ଅଯୋଧ୍ୟା - ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ଆଜି (ସୋମବାର, ଜୁଲାଇ ୬)ରେ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ଟ୍ରଷ୍ଟର ସଭାପତି ଚମ୍ପତ ରାୟ ଏବଂ ଅନ୍ୟ ଜଣେ ଟ୍ରଷ୍ଟି ଅନିଲ ମିଶ୍ରାଙ୍କ ଇସ୍ତଫା ଗ୍ରହଣ କରାଯାଇ ଥିଲା। ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ଥିଲେ। ଏହି ସମୟରେ ଗୋବିନ୍ଦ ଦେବ ଗିରି ଭାବପ୍ରବଣ ହେବାର ନଜର ଆସି ଥିଲେ। ସେ ଦାନ ଅର୍ଥ ହଡ଼ପ ଘଟଣାରେ ଖୁବ୍ ଦୁଃଖିତ ଥିବା କହି ଥିଲେ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଗୋବିନ୍ଦ ଦେବ ଗିରି କହିଥିଲେ ଯେ, ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ଭାବରେ, ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି କୃଷ୍ଣ ମୋହନଙ୍କୁ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ଭାବରେ ନିଯୁକ୍ତ କରାଯାଇଛି। ସେ ଚମ୍ପତ ରାୟଙ୍କ ସ୍ଥାନ ନେବେ ଏବଂ ବର୍ତ୍ତମାନ ପାଇଁ ମନ୍ଦିର ଟ୍ରଷ୍ଟର କାର୍ଯ୍ୟ ତଦାରଖ କରିବେ।
କୃଷ୍ଣ ମୋହନ କିଏ ?
କୃଷ୍ଣ ମୋହନ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଜଣେ ଟ୍ରଷ୍ଟି। ସେ ଜଣେ ପୂର୍ବତନ ଭାରତୀୟ ବନ ସେବା ଅଧିକାରୀ ଥିଲେ। ଅବସର ନେବା ପରେ, ସେ RSS ରେ ଯୋଗ ଦେଇଥିଲେ। ସେ ହରଦୋଇର ବାସିନ୍ଦା। ଗତ ବର୍ଷ, ସେପ୍ଟେମ୍ବର ୨୦୨୫ ରେ ହିଁ ତାଙ୍କୁ ଟ୍ରଷ୍ଟର ନୂଆ ଟ୍ରଷ୍ଟି କରାଯାଇ ଥିଲା। କାମେଶ୍ୱର ଚୌପାଲଙ୍କ ମୃତ୍ୟୁ ପରେ ଖାଲି ହୋଇଥିବା ଆସନ ପୂରଣ କରି ତାଙ୍କୁ ଟ୍ରଷ୍ଟିର ନୂତନ ଟ୍ରଷ୍ଟି ନିଯୁକ୍ତ କରାଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ସେହି ଟ୍ରଷ୍ଟି ଯାହାଙ୍କ ଅଭିଯୋଗ ପରେ ରାମ ମନ୍ଦିରରେ ଦାନ ଅର୍ଥ ଚୋରି କେସ୍ ରୁଜୁ ହୋଇଥିଲା।
୨୦୧୨ ମସିହାରେ ଚାକିରିରୁ ଅବସର ନେଇ ଥିଲେ-
କୃଷ୍ଣ ମୋହନ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ି ଥିଲେ। ତାଙ୍କ କ୍ୟାରିୟରର ପ୍ରାରମ୍ଭରେ, ସେ କିଛି ବର୍ଷ ପାଇଁ ପରମାଣୁ ଶକ୍ତି ବିଭାଗରେ କାର୍ଯ୍ୟ କରିଥିଲେ। ପରେ, ତାଙ୍କୁ ଭାରତୀୟ ବନ ସେବା ପାଇଁ ମନୋନୀତ କରାଯାଇ ଥିଲା, ଯେଉଁଠାରେ ସେ ମହାରାଷ୍ଟ୍ରରେ କାର୍ଯ୍ୟ କରିଥିଲେ। ସେ ୨୦୧୨ ମସିହାରେ ତାଙ୍କ ପଦବୀରୁ ଅବସର ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସମାଜ ସେବାରେ ନିୟୋଜିତ ହୋଇ ଥିଲେ।
ଆଠ ଜଣଙ୍କୁ ଗିରଫ କରାଯାଇଛି-
ସାମ୍ବାଦିକ ସମ୍ମିଳନୀ ବେଳେ ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଗିରି କହିଥିଲେ -ଆମେ ଚାହୁଁଛୁ ଯେ ,ଦାନ ଚୋରି କରିଥିବା ଦୋଷୀମାନଙ୍କୁ ଦଣ୍ଡ ଦିଆଯାଉ, କିନ୍ତୁ ଯେଉଁଲୋକେ ହଠାତ୍ ସନାତନ ପ୍ରେମ ପ୍ରଦର୍ଶନ କରୁଛନ୍ତି , ସେମାନେ କେବଳ ହିନ୍ଦୁମାନଙ୍କୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଦାନରେ ଦିଆଯାଇ ଥିବା ଯେଉଁ ମହଙ୍ଗା ଜିନିଷ ଗୁଡ଼ିକର ଚୋରି ହୋଇଥିବା କଥା କୁହାଯାଉଛି, ସେ ସବୁ ପ୍ରଦର୍ଶିତ ହେବ। କହି ରଖୁଛୁ କି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟିଙ୍କ ଏହି ବୈଠକ ମନ୍ଦିର ଦାନର ହେରଫେର ବିବାଦ ମଧ୍ୟରେ ହୋଇଛି। ଉକ୍ତ ମାମଲାର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଦ୍ୱାରା ପ୍ରାଥମିକ ତଦନ୍ତ ଆଧାରରେ ଏକ ମାମଲା ପଞ୍ଜିକୃତ ହେବା ପରେ ଆଠ ଜଣଙ୍କୁ ଗିରଫ କରାଯାଇଛି।
ଆହୁରି ମଧ୍ୟ ପଢନ୍ତୁ : ଚମ୍ପତ୍ତ ରାୟ ଓ ଅନିଲ ମିଶ୍ରଙ୍କ ଇସ୍ତଫା ମଞ୍ଜୁର କଲା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ, କୃଷ୍ଣମୋହନ ଅନ୍ତରୀଣ ମହାସଚିବ ନିଯୁକ୍ତ