ଭୁବନେଶ୍ୱର,୦୮/୧୦: ରମାଦେବୀ  ମହିଳା ମହାବିଦ୍ୟାଳୟରୁ ଉପରକୁ ଉଠି  ବିଶ୍ୱବିଦ୍ୟାଳୟ ହେଲା । ହେଲେ ନାକ୍‌  ମାନ୍ୟତାରେ ‘ଏ’ରୁ ତଳକୁ ଖସି ‘ବି  ପ୍ଲସ୍‌ ପ୍ଲସ୍‌’ରେ ମାନ୍ୟତା ରହିଲା । ତେବେ  ନାକ୍‌ ଦଳ ପାଠପଢ଼ାକୁ ପ୍ରଶଂସା କରଥିବା  ବେଳେ ବିଶ୍ୱବିଦ୍ୟାଳୟ ହିସାବରେ ଥିବା  ଭିତ୍ତିଭୂମି ଓ ଗବେଷଣାକୁ ମୁହଁ ମୋଡ଼ିଛନ୍ତି । ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିନ୍ତୁ  ‘ବି ପ୍ଲସ୍‌ ପ୍ଲସ୍‌’ ମାନ୍ୟତାରେ ଢେର ଖୁସ୍‌ । 

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ  ପ୍ରଥମ ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ  ଆକ୍ରିଡେସନ୍‌ କାଉନସିଲ୍‌(ନାକ୍‌)ର ମାନ୍ୟତା  ମିଳିଛି । ପ୍ରଥମ ପର୍ଯ୍ୟାୟ ନାକ୍‌ ପରିଦର୍ଶନରେ  ନାକ୍‌ ଟିମ୍‌ ବିଶ୍ୱବିଦ୍ୟାଳୟକୁ ୨.୮୭ ସିଜିପିଏ  ପ୍ରଦାନ କରି ‘ବି ପ୍ଲସ୍‌ ପ୍ଲସ୍‌’ ଗ୍ରେଡ୍‌ ମାନ୍ୟତା ଦେଇଛନ୍ତି। ନାକ୍‌ ଟିମ୍‌ ତାଙ୍କ ରିପୋର୍ଟରେ  ବିଶ୍ୱବିଦ୍ୟାଳୟର ପାଠପଢ଼ାକୁ ପ୍ରଶଂସା  କରିଛନ୍ତି । ହେଲେ ଭିତ୍ତିଭୂମି, ନୈରାଶ୍ୟଜନକ ଗବେଷଣା ପତ୍ର ପ୍ରକାଶନ, ଆବଶ୍ୟକୀୟ ସ୍ଥାୟୀ  ଅଧ୍ୟାପକ ଓ ଅଣଅଧ୍ୟାପକ ନିଯୁକ୍ତି, ଅନ୍ତର୍ଜାତୀୟ ଶିକ୍ଷାର୍ଥୀ ନଥିବାରୁ ଏହା ନାକ ଟିମକୁ ଖୁସି କରିପାରିନାହିଁ । 

ନାକ୍‌ ୱେବ୍‌ସାଇଟ୍‌ରେ  ରମାଦେବୀର ନାକ୍‌ ରିପୋର୍ଟ ଅପଲୋଡ୍‌  ହୋଇଥିଲା । ତେବେ ଅପଲୋଡ୍‌ର କିଛି ସମୟ  ପରେ ଏହାକୁ ଉଡାଇ ଦିଆଯାଇଛି । ଏହା  ସନ୍ଦେହ ବଢ଼ାଇଛି । ବିଶ୍ୱବିଦ୍ୟାଳୟ କୁଳପତି  ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି,  ପ୍ରଥମ ସାଇକେଲ୍‌ରେ ବିଶ୍ୱବିଦ୍ୟାଳୟକୁ ବି  ପ୍ଲସ୍‌ ପ୍ଲସ୍‌ ମିଳିଛି, ଯାହା ସନ୍ତୋଷଜନକ ।  କମ୍‌ ଭିତ୍ତିଭୂମି ଭିତରେ ଆମେ ଭଲ ରେଜଲ୍ଟ  କରିଛୁ । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ  ନାକ୍‌ ମାନ୍ୟତା ଭଲ କରିବ । 

ତେବେ  ନାକ ଟିମ ପରାମର୍ଶରେ ଦର୍ଶାଇଛନ୍ତି,  ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ  ପାଇଁ ପରିସୀମା ବୃଦ୍ଧି କରିବା ଆବଶ୍ୟକ ।  ସ୍ଥାୟୀ ଅଧ୍ୟାପକ ଓ ଅଣଅଧ୍ୟାପକ ପଦବି  ପୂରଣ । ଅନ୍ତର୍ଜାତୀୟସ୍ତରର ଶିକ୍ଷାର୍ଥୀଙ୍କୁ  ଆକୃଷ୍ଟ କରିବାକୁ ପଡ଼ିବ । ରାଜସ୍ୱ ଆଦାୟ  ପାଇଁ ଉତ୍ସ ସୃଷ୍ଟି କରିବାକୁ ପଡ଼ିବ।