ଭୁବନେଶ୍ଵର : ସିନେ ଅଭିନେତ୍ରୀ ଲଳିତା ପାୱାର... ଜଣେ ଆଇକନିକ୍ ଭିଲିଆନ୍। ରାମାନନ୍ଦ ସାଗରଙ୍କ ରାମାୟଣର ମନ୍ଥରା। ପିଲାଙ୍କ ଠୁ ବୁଢା ଯାଏଁ ତାଙ୍କୁ ଗାଳି କରନ୍ତି ସମସ୍ତେ। କଳିହୁଡ଼ି ଶାଶୁ ହେଉକି ନେଗେଟିଭ୍ ରୋଲ୍... କ୍ରୁର ଓ ନିର୍ଦ୍ଦୟୀ ଭୂମିକା ପାଇଁ ସେ ଚର୍ଚ୍ଚିତ। ଲଳିତା ମିଛି ମିଛିକା ଅଭିନୟ କରୁଥିଲେ ବି ଲୋକମାନେ ତାଙ୍କୁ ସତ ସତିକା ଘୃଣା କରନ୍ତି। ଏହି ଅଭିନେତ୍ରୀଙ୍କ ରିଲ୍ ଲାଇଫ୍ ଠୁ ରିଅଲ୍ ଲାଇଫ୍ ଖୁବ୍ ଅଲଗା। ସ୍କିନ୍ ରେ ସେ ପର ଘର ଭାଙ୍ଗନ୍ତି ହେଲେ ରିଅଲ୍ ଲାଇଫ୍ ରେ ଲଳିତାଙ୍କ ଘର ତାଙ୍କ ନିଜ ଭଉଣୀ ଉଜାଡ଼ିଛନ୍ତି। ଏହି ଅଭିନେତ୍ରୀଙ୍କ ଶେଷ ସମୟ ବହୁ ଦୁଃଖ ଦୁର୍ଦ୍ଦଶା ଭିତରେ କଟିଛି।

ରାମାୟଣରେ ମନ୍ଥରା ରୋଲ୍ ଯୋଗୁଁ ଲଳିତାଙ୍କ କ୍ୟାରିଅର୍ ଶିଖର ଛୁଇଁଥିଲା। ଆଜି ବି ମନ୍ଥରା କଥା ପଡ଼ିଲେ ତାଙ୍କ ମୁହଁ ସାମ୍ନାକୁ ଆସେ। ହେଲେ ଆପଣ ଜାଣିଛନ୍ତି କି ? ଭିଲିଆନ୍ ରୋଲ୍ ପାଇଁ ପ୍ରସିଦ୍ଧ ଏହି ଖଳନାୟିକା ଜଣେ ହିରୋଇନ୍ ହେବାକୁ ସ୍ଵପ୍ନ ଦେଖିଥିଲେ। ହେଲେ ଏମିତି କଣ ହେଲା ? ଯେଉଁଥିପାଇଁ ଲଳିତାଙ୍କ ସ୍ଵପ୍ନ ଅଧାରେ ରହିଗଲା ? ଲିଡ୍ ରୋଲ୍ ଛାଡ଼ି ତାଙ୍କୁ ସାଇଡ୍ ରୋଲ୍ କରିବାକୁ ପଡ଼ିଲା।

ମହାରାଷ୍ଟ୍ର ନାସିକରେ ଲଳିତା ପାୱାରଙ୍କ ଜନ୍ମ। ପିଲାଦିନରୁ ଅଭିନୟ ପ୍ରତି ଥିଲା ତାଙ୍କର ଦୁର୍ବଳତା। ୯ ବର୍ଷ ବୟସରେ ରାଜା ହରିଶ୍ଚନ୍ଦ୍ର ଫିଲ୍ମରେ ଡେବ୍ୟୁ କରିଥିଲେ ସେ। ଏହାପର ଠୁ ଲଳିତା କ୍ୟାରିଅରରେ ଆଗକୁ ବଢି ଚାଲିଥିଲେ। ଗୋଟିଏ ପରେ ଗୋଟିଏ ସଫଳତା ଛୁଇଁଥିଲେ। ହେଲେ ୧୯୪୨ରେ ସବୁକିଛି ଓଲଟପାଲଟ ହୋଇଗଲା। ଫିଲ୍ମ ଜଙ୍ଗ-ଏ-ଆଜାଦି ଫିଲ୍ମ ଶୁଟିଂ ବେଳେ ଏକ ଦୁର୍ଘଟଣା ତାଙ୍କ ଜୀବନର ଗତିପଥ ବଦଳାଇ ଦେଲା। ଜଣେ କୋ-ଆକ୍ଟର ଲଳିତାଙ୍କୁ ଏମିତି ଥାପଡ ମାରିଲେ ଯେ ତାଙ୍କ ବାମ ଆଖିର ଶିରା ଫାଟିଗଲା। ଫେସିଆଲ୍ ପାରାଲାଇଜ୍ ହୋଇଗଲା। ୩ ବର୍ଷ ଯାଏଁ ଲଳିତାଙ୍କ ଚିକିତ୍ସା ଚାଲିଲା। ବାମ ଆଖି ଖରାପ ହେବାରୁ ତାଙ୍କୁ ଲିଡ୍ ରୋଲ୍ ରୁ ସାଇଡ୍ କରିଦିଆଗଲା। ଏଇଟି ଲଳିତାଙ୍କ ହିରୋଇନ୍ ହେବା ସ୍ଵପ୍ନ ଅଧାରେ ରହିଗଲା।

ଲଳିତାଙ୍କୁ ୭୦ ବର୍ଷ ହେବା ବେଳକୁ ସେ ୭୦୦ ଫିଲ୍ମ କରିସାରିଥିଲେ। ସବୁଠୁ ଲମ୍ବା ଅବଧି ଯାଏଁ ଆକ୍ଟିଂ କରିଥିବା ଅଭିନେତ୍ରୀ ଭାବେ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡ ବି କରିଥିଲେ। ହେଲେ ଲଳିତାଙ୍କ ରିଅଲ୍ ଲାଇଫ୍ ଖୁବ୍ ଡ୍ରାମାଟିକ୍ ଥିଲା। ଲଳିତାଙ୍କ ନିଜ ଭଉଣୀ ତାଙ୍କ ଘର ଉଡାଡ଼ିଥିଲେ। ତାଙ୍କ ସ୍ଵାମୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏକଥା ଜାଣିବା ପରେ ଲଳିତା ବିବାହ ବିଛେଦ କରି ପ୍ରଡ୍ୟୁସର ରାଜପ୍ରକାଶ ଗୁପ୍ତାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ତାଙ୍କ ପୁଅ ଜୟ ପାୱାର ବି ଜଣେ ପ୍ରଡ୍ୟୁସର ଥିଲେ। ଜୀବନରେ ଝଡ଼ ଝଞ୍ଜା ସହିଥିବା ଲଳିତାଙ୍କ ଶେଷ ସମୟ ବି ଖୁବ୍ କଷ୍ଟଦାୟକ ଥିଲା। ମାଉଥ୍ କ୍ୟାନସରରେ ତାଙ୍କର ମୃତ୍ୟୁ ହୋଇଥିଲା। ମରିବାର ୩ ଦିନ ଯାଏଁ ଘର ଭିତରେ ତାଙ୍କ ଶବ ପଡ଼ି ରହିଥିଲା। ଶେଷ ସମୟରେ ତାଙ୍କ ପାଖରେ କେହି ନଥିଲେ।

ଏହି ଖବରଟିକୁ ପଢନ୍ତୁ- ଚାପରେ ଆସି ମାଳତୀ ମାରୀଙ୍କ ଜନ୍ମ କଥା ଘୋଷଣା କରିଥିଲେ ପ୍ରିୟଙ୍କା; କହିଲେ ଏମିତି...