କୋଣାର୍କ,୧୪।୧୧(ଆପ୍ର) ଶୀତ ଆରମ୍ଭ ହୋଇଗଲାଣି। ପୁରୀ-କୋଣାର୍କ ବେଳାମାର୍ଗ ମା’ରାମଚଣ୍ଡୀ ପୀଠରେ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ବିଶେଷକରି ବଣଭୋଜି ପାଇଁ ନଭେମ୍ବରରୁ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥାଏ। ପରିତାପର ବିଷୟ ସଫେଇ ନହେବାରୁ ଏହି ପୀଠ ପରିସର ଏବେ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇରହିଥିବା ଦେଖିବାକୁ ମିଳିଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଏଭଳି ପରିବେଶକୁ ଦେଖି ନାକ ଟେକି ଫେରୁଛନ୍ତି।
ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପୀଠରେ ବେଆଇନ ଭାବେ ପାର୍କିଂ ଫି ଆଦାୟ ହେଉଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି। ରାମଚଣ୍ଡୀ ପୀଠ ପରିସରରେ ଅଳିଆ ଆବର୍ଜନା ଜମି ରହି ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ପୀଠରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିଥିବା ଯୋଗୁଁ ପୀଠର ପବିତ୍ରତା ନଷ୍ଟ ହେଉଛି। ଏଭଳି ପରିବେଶ ଦେଖି ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଏଥପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପର୍ଯ୍ୟଟକ ମହଲରେ ଦାବି ହୋଇଛି।