ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ନେତା ରମେଶ ବିଧୁରୀ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ‘କୌଣସି କାରଣରୁ କହିଥିବା କଥାର ଭିନ୍ନ ଅର୍ଥ ବାହାର କରାଯାଇଛି । ରାଜନୈତିକ ଲାଭ ଦୃଷ୍ଟିରୁ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି । ମୋ ଉଦ୍ଦେଶ୍ୟ କାହାକୁ ଅପମାନିତ କରିବାର ନଥିଲା ।  ତଥାପି କୌଣସି ବ୍ୟକ୍ତିଙ୍କୁ ଯଦି ମୋ କଥା ଦୁଃଖ ଦେଇଥାଏ ତେବେ କ୍ଷମା ମାଗୁଛି ।’

ଏହା ପୂର୍ବରୁ ଦିଲ୍ଲୀ କାଲକାଜୀ ବିଜେପି ବିଧାୟକ ପ୍ରାର୍ଥୀ ରମେଶ ବିଧୁରୀ  କହିଥିଲେ ଯେ, ସେ ନିର୍ବାଚନ ଜିତିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ ରାସ୍ତା ତିଆରି କରିବେ। ରମେଶଙ୍କ ଏଭଳି ବୟାନକୁ ନେଇ ବିବାଦ ତୀବ୍ର ହେବା ପରେ ସେ କ୍ଷମା ମାଗିଛନ୍ତି ।  ଦିଲ୍ଲୀରେ ଏକ ଜନସଭାକୁ ସମ୍ବୋଧନ କରି ରମେଶ ବିଧୁରୀ କହିଥିଲେ ‘ସମସ୍ତେ ଜାଣନ୍ତି ଯେ ଦିନେ ଲାଲୁ ଯାଦବ କହିଥିଲେ ଯେ ସେ ହେମାମାଳିନୀଙ୍କ ପରି ରାସ୍ତା ଚିକ୍କଣ କରିବେ। ହେଲେ ସେ ତାଙ୍କ ପ୍ରତିଶ୍ରୁତି ପୂରା କରିପାରିଲେ ନାହିଁ। ମୁଁ କିନ୍ତୁ ଆପଣଙ୍କୁ କଥା ଦେଉଛି ଯେ ଯେମିତି ଆମେ ଓଖଲା ଓ ସଂଗମ ବିହାରର ରାସ୍ତା ବଦଳେଇ ଦେଲୁ ସେମିତି କାଲକାଜୀର ପ୍ରତ୍ୟେକ ରାସ୍ତା ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ପରି ଚିକ୍କଣ କରିଦେବୁ।’

ରମେଶ ବିଧୁରୀଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ନେତାମାନେ କଡ଼ା ସମାଲୋଚନା କରିଥିଲେ। ବିଜେପିର ମହିଳା ବିରୋଧୀ ମାନସିକତା ରହିଛି ବୋଲି କଂଗ୍ରେସ ନେତାମାନେ କହିଥିଲେ । କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ସମାଲୋଚନା କରି କହିଥିଲେ ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ମହିଳାଙ୍କ ପ୍ରତି ଥିବା ଘୃଣ୍ୟ ମାନସିକତାକୁ ଦର୍ଶାଉଛି। ବିଜେପିର ବରିଷ୍ଠ ନେତାମାନେ ହାତ ଯୋଡ଼ି ପ୍ରିୟଙ୍କା ଗାନ୍ଧୀଙ୍କୁ କ୍ଷମା ମାଗିବା ଦରକାର ବୋଲି ଶ୍ରୀନେତ କହିଥିଲେ । ସେହିପରି କଂଗ୍ରେସ ନେତା ପବନ ଖେଡ଼ା ମନ୍ତବ୍ୟକୁ ସମାଲୋଚନା କରିବା ସହିତ ଆରଏସଏସର ଆଦର୍ଶ ସ୍ପଷ୍ଟ ବାରି ହୋଇପଡ଼ୁଛି ବୋଲି କହିଥିଲେ ।

ସେପଟେ ଚାରିଆଡ଼ୁ ସମାଲୋଚିତ ହେବା ପରେ ମଧ୍ୟ ବିଧୁରୀ ଓଲଟା କଂଗ୍ରେସକୁ ଟାର୍ଗେଟ କରିଥିଲେ ।  ବିଧୁରୀ କହିଥିଲେ ‘ଯଦି ମୋର ମନ୍ତବ୍ୟ କଂଗ୍ରେସକୁ ବାଧିଛି ତେବେ   ସେମାନେ ହେମା ମାଳିନୀଙ୍କୁ କାହିଁକି କ୍ଷମା ମାଗିଲେ ନାହିଁ ? ସେ ଜଣେ ପ୍ରସିଦ୍ଧ କଳାକାର ଯିଏ ଭାରତ ପାଇଁ ଗୌରବ ଆଣିଛନ୍ତି | ହେମା ମାଳିନୀ ଜଣେ ମହିଳା ନୁହଁନ୍ତି କି ? ସଫଳତାରେ ସେ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ବହୁ ଉର୍ଦ୍ଧ୍ୱରେ।’ କିନ୍ତୁ ବିଜେପି ନେତା ରମେଶ ବିଧୁରୀ ଏକ୍ସରେ କ୍ଷମା ପ୍ରାର୍ଥନା କରିଛନ୍ତି ।