ନୂଆଦିଲ୍ଲୀ, ୦୮/୦୨ : ଦିଲ୍ଲୀର ଜଣେ ଅପରାଜେୟ ନେତା। କ୍ୟାରିଅରରେ ୱିନିଂ ରେକର୍ଡ। ଜୀବନ କାଳ ଭିତରେ ଜିତିଛନ୍ତି ସବୁ ନିର୍ବାଚନ। ବିଜେପିର ପାଲଟିଥିଲେ ଆଶା ଭରଷା। ହେଲେ ଏହି ଅପରାଜେୟ ନେତାଙ୍କ କ୍ୟାରିଅରରେ ଲାଗିଗଲା ଗ୍ରହଣ। ପ୍ରଥମ ଥର ପାଇଁ ଚାଖିଲେ ପରାଜୟର ସ୍ଵାଦ। ୨୦୨୫ ନିର୍ବାଚନରେ କାମୁଡ଼ିଲେ ମାଟି। ବିଜୟ ପଥରେ ଲାଗିଗଲା ବ୍ରେକ୍। ଏହି ନେତାଙ୍କୁ ହରାଇଲେ ଆପ୍ ନେତ୍ରୀ। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବିଜେପି ନେତା ରମେଶ ବିଧୁଡ଼ି। 

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘର ଜଣେ ସକ୍ରିୟ ସଦସ୍ୟ ହେଉଛନ୍ତି ରମେଶ ବିଧୁଡ଼ି। ଜଣେ ଛାତ୍ର ନେତା ରୂପେ ସେ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିଅର। ଛାତ୍ର ଜୀବନରେ ଶହୀଦ ଭଗତ ସିଂହ କଲେଜର ସେଣ୍ଟ୍ରାଲ କାଉନସିଲର ଏବଂ ଦିଲ୍ଲୀ ବିଶ୍ଵବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦ ଭାବେ ହୋଇଥିଲେ ନିର୍ବାଚିତ। ଜଣେ ଛାତ୍ର ନେତା ଭାବେ ୧୯୮୩ ମସିହାରେ ଏବିଭିପିର କାମ କରିବା ଆରମ୍ଭ କରିଥିଲେ ରମେଶ। ଶହୀଦ ଭଗତ ସିଂହ କଲେଜରେ ସ୍ନାତକ ସାରିବା ପରେ ମେରଠ ସ୍ଥିତ ଚୌଧୁରୀ ଚରଣ ସିଂହ ବିଶ୍ଵବିଦ୍ୟାଳୟରେ ଏଲଏଲବି ଡିଗ୍ରୀ କରିଥିଲେ ସେ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ସେ ଓକିଲାତି ବି କରିଥିଲେ। 

୧୯୯୩ ମସିହାରେ ରମେଶ ବିଧୁଡ଼ି ବହୁ ଧାର୍ମିକ ଏବଂ ରାଜନୈତିକ ସଙ୍ଗଠନରେ ପ୍ରତିଷ୍ଠିତ ପଦ ପଦବୀରେ ରହି ଆସିଛନ୍ତି। ୧୯୯୬ ମସିହାରେ ସେ ମହରୌଲି ଜିଲ୍ଲାରେ ମହାସଚିବ ଭାବେ କାର୍ଯ୍ୟ କରିଥିଲେ। ୧୯୯୭ ରୁ ୨୦୦୩ ପର୍ଯ୍ୟନ୍ତ ମହରୌଲି ଜିଲ୍ଲା ବିଜେପିର ଅଧ୍ୟକ୍ଷ ଥିଲେ। ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଦିଲ୍ଲୀର ବିଜେପି ଉପାଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଇଥିଲେ। ବର୍ତ୍ତମାନ ସେ ଦିଲ୍ଲୀ ବିଜେପି ମହାସଚିବ ଅଛନ୍ତି। 

ରମେଶ ବିଧୁଡ଼ି ୨୦୦୩ ମସିହାରେ ତୁଗଲକାବାଦରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୮ରେ ତୁଗଲକାବାଦକୁ ଦୁଇ ଭାଗରେ ବିଭାଜିତ କରାଯାଇଥିଲା ଏବଂ ଓଖଲା ବିଧାନସଭା ସିଟ୍ ତିଆରି ହୋଇଥିଲା। ଏହାପରେ ଓଖଲା ଜନତା ବିଧୁଡ଼ିଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ। ୨୦୧୩ରେ ସେ ପୁନଶ୍ଚ ତୁଗଲକାବାଦ ବିଧାନସଭା ସିଟ୍‌ରୁ ନିର୍ବାଚନ ଲଢିଥିଲେ ଏବଂ ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୯ରେ ସେ ଦକ୍ଷିଣ ଦିଲ୍ଲୀ ସିଟ୍‌ରୁ ନିର୍ବାଚନ ଜିତି ସାଂସଦ ହୋଇଥିଲେ। ତେବେ ୨୦୨୪ରେ ବିଜେପି ଏହି ସିଟ୍‌କୁ ରମେଶ ବିଧୁଡ଼ିଙ୍କ ସ୍ଥାନରେ ରାମବୀର ସିଂହ ବିଧୁଡ଼ିଙ୍କୁ ଦେଇଥିଲା। 

୨୦୨୫ ବିଧାନସଭା ନିର୍ବାଚନରେ ବିଜେପି କାଲକାଜି ସିଟ୍‌ରୁ ରମେଶ ବିଧୁଡ଼ିଙ୍କୁ ପ୍ରାର୍ଥୀ କରିଥିଲା। ଆପ୍ ନେତ୍ରୀ ଆତିଶୀ ଏବଂ କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ ସହ ତ୍ରିମୁଖୀ ଲଢେଇ ହୋଇଥିଲା। ତେବେ ଏହି ନିର୍ବାଚନରେ ତାଙ୍କୁ ପରାଜୟର ସ୍ଵାଦ ଚାଖିବାକୁ ପଡ଼ିଛି। ଆତିଶୀଙ୍କ ଠାରୁ ରମେଶ ବିଧୁଡ଼ି ପରାଜୟ ବରଣ କରିଛନ୍ତି।