ଭୁବନେଶ୍ୱର, ୨୪।୧୨: ଓଡ଼ିଶା ଅର୍ଥନୈତିକ ଅପରାଧ ଶାଖା (EOW) ଏକ ରେଞ୍ଜ ରୋଭର (ସ୍ପୋର୍ଟ SE) ଗାଡ଼ି ଜବତ କରିଛି । ଗାଡ଼ିର ମାଲିକାନା ମୁଖ୍ୟ ଅଭିଯୁକ୍ତ ଶଙ୍କର ମିନେରାଲ୍ସ ସଂସ୍ଥାର ମାଲିକ ସୌମ୍ୟ ଶଙ୍କର ଓରଫ୍ ରାଜା ଚକ୍ର ନାଁରେ ଥିବା ଜଣାପଡ଼ିଛି । ଗାଡ଼ିଟିକୁ ଗତ ୨୩ ତାରିଖରେ ପାହାଳ ଅଞ୍ଚଳର ଗୁଲମୋହର କୋର୍ଟ ଆପାର୍ଟମେଣ୍ଟ ନିକଟରୁ ଜବତ କରାଯାଇଛି । ଗାଡ଼ିଟି ଗନ୍ଧମାର୍ଦ୍ଦନ ଲୋଡିଂ ଏବଂ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ୍ ସୋସାଇଟି, ସୁଆକାଟି, କେଉଁଝରର ବ୍ୟାପକ ଠକେଇ ଏବଂ ଅବୈଧ ଟଙ୍କାରେ କିଣାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।  

ଏହି ମାମଲାରେ ୪୦ରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ୩୨ କୋଟି ଟଙ୍କାରୁ ଅଧିକ ଟଙ୍କା ଦୁରୁପଯୋଗ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଏହି ମାମଲାରେ ସୌମ୍ୟ ଶଙ୍କର ଓରଫ୍ ରାଜା ଚକ୍ର ସମେତ ମୋଟ୍ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ନ୍ୟାୟିକ ହେପାଜତରେ ଅଛନ୍ତି । ମାମଲାର ତଦନ୍ତ ଚାଲୁ ରହିଛି ।