ଭୁବନେଶ୍ୱର,୨୫/୧୧: ହାଏ ଲୋ ଗୋରୀ ତୋର, ରୂପ ମଟକା... ଛାତି ତଳେ ମାରିଦେଲୁ, ତାଳ ଫୋଟକା... ତୁ ହେଲେ ଛନଛନ, ଆଲୋ ଫସିଯିବୁ ଧନ... କୁଁଆରୀ ମନ ତୁ ଟିକେ ଅଟକା... ଅଟକା...

ଡାକ୍ତରାଣୀ ହେବିନି ମୁଁ ମାଷ୍ଟରାଣୀ ହେବିନି... ପାଠ ଛାଡି ମୁଁ ଫେସନ କରୁଛି... ପିନ୍ଧୁଛି ଟାଇଟ୍‌ ଜିନ୍ସ... ମୁଁ ହେବି ଲୋ, ହେବି ଲୋ ଆଲ୍‌ବମ୍‌ କୁଇନ୍‌...

ବିନା ହେଲମେଟ୍‌ରେ ସ୍କୁଟି ଚଳାଇ ଏଭଳି ସୁପରହିଟ୍‌ ଆଲବମ୍‌ ଗୀତର ତାଳେ ତାଳେ ରିଲ୍ସ କରିଥିଲେ । ଇନଷ୍ଟାଗ୍ରାମ, ୟୁ-ଟ୍ୟୁବ୍‌ ଭଳି ସୋସିଆଲ ମିଡିଆରେ ପୋଷ୍ଟ ବି କରିଥିଲେ । ଯାହାକି, ଆଲବମ କୁଇନ୍‌ ରାନୀ ପ୍ରିୟଦର୍ଶିନୀ ଓରଫ ଭାରତୀ ସାହୁଙ୍କୁ ମହଙ୍ଗା ପଡିଛି । ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ନେଇଛି । ରାନୀଙ୍କ ସ୍କୁଟି (ଓଡି୦୨ସିୟୁ ୪୯୩୭)କୁ ଜବତ କରିଛି ।

ରାନୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହିଭଳି ୨-୩ଟି ଭିଡିଓ ଗତକାଲି ପୋଷ୍ଟ ହୋଇଥିଲା । ଯେଉଁଥିରେ ରାଜଧାନୀର ଏକ ବ୍ୟସ୍ତବହୁଳ ରାସ୍ତାରେ ରାନୀ ସ୍କୁଟି ଚଳାଉଥିବା ଦେଖାଯାଇଥିଲା । ମୁଣ୍ଡରେ ହେଲ୍‌ମେଟ ପିନ୍ଧି ନଥିଲେ । ସ୍କୁଟି ଚଳାଇବା ବେଳେ ସେ ଗୀତର ତାଳେ ତାଳେ ନାଚୁଥିଲେ । ଅନ୍ୟ କେହି ଜଣେ ଏସବୁର ଦୃଶ୍ୟ ମୋବାଇଲ୍‌ରେ ରେକର୍ଡ କରୁଥିଲା । ଉକ୍ତ ରାସ୍ତାରେ ଦୃତଗତିରେ ଯାଉଥିବା କାର, ବାଇକ୍‌, ବସ୍‌ ସହ ଦୁର୍ଘଟଣାର ଆଶଙ୍କା ଥିଲା । ରାନୀ କିନ୍ତୁ ନାଚଗୀତରେ ଏତେ ମସଗୁଲ ହୋଇଯାଇଥିଲେ ଯେ, ଏଥିପ୍ରତି ତାଙ୍କର ଆଦୌ ନିଘା ନଥିଲା ।


ଏନେଇ ନାରାୟଣ ବିଶ୍ୱାଳ ନାମକ ଜଣେ ଏକ୍ସ ଆକାଉଣ୍ଟଧାରୀ ଏସ୍‌ଟିଏକୁ ଟୁଇଟ୍‌ ଯୋଗେ ଅବଗତ କରାଇଥିଲେ । ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପରିବହନ ଆୟୁକ୍ତ ଅମିତାଭ ଠାକୁର ଓ ଡିସିପି ଟ୍ରାଫିକଙ୍କୁ ଉକ୍ତ ଟୁଇଟ୍‌ରେ ଟ୍ୟାଗ୍‌ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ବଡ଼ଗଡ଼ ଥାନା ପୁଲିସ ସହାୟତାରେ ଆର୍‌ଟିଓ-୨ ଏମ୍‌ଭିଆଇ ସ୍କ୍ୱାଡ୍‌ ରାନୀଙ୍କ ଘରୁ ସ୍କୁଟିକୁ ଜବତ କରିଛି । ଏସ୍‌ଟିଏ ଚେତାଇଛି, ଯେକେହି ରିଲ୍ସ ନାଁରେ ସଡ଼କ ସୁରକ୍ଷା ନିୟମକୁ ଲଂଘିବ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।