ମୁମ୍ବାଇ ୦୯/୧୨: ଗତ ୫ ତାରିଖରେ ସିନେମାଘରକୁ ଆସିଛି ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ ‘ଧୁରନ୍ଧର’ । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରଣବୀର ସିଂହ, ଅକ୍ଷୟ ଖାନ୍ନା, ଅର୍ଜୁନ ରାମପାଲ, ଆର୍ ମାଧବନ ଓ ସଞ୍ଜୟ ଦତ୍ତ । ରିଲିଜ୍ ପରଠୁ ଫିଲ୍ମକୁ ନେଇ ଦମଦାର ପ୍ରତିକ୍ରିୟା ମିଳୁଛି । ଇଣ୍ଟରନେଟରେ କେବଳ ‘ଧୁରନ୍ଧର’କୁ ନେଇ ଚର୍ଚ୍ଚା । ବକ୍ସ ଅଫିସରେ ଭଲ ଓପନିଂ ପରେ ସପ୍ତାହାନ୍ତ କଲେକ୍ସନ୍ ବଢ଼ିଛି । ପ୍ରଥମ ୩ ଦିନରେ ଫିଲ୍ମର ଆୟ ୧୦୦ କୋଟି ଟପିଛି । କିନ୍ତୁ ସୋମବାରଠୁ ଫିଲ୍ମ ପାଇଁ ପ୍ରକୃତ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ ଫିଲ୍ମ ୨୮ କୋଟି କଲେକ୍ସନ୍ କଲା । ଶନିବାର ୧୪ ପ୍ରତିଶତ ବଢ଼ି ଆୟ ହେଲା ୩୨ କୋଟି । ରବିବାର ବଡ଼ ଲମ୍ଫ ସହିତ ଏହା ୪୩ କୋଟି କଲେକ୍ସନ୍ କଲା । ସୋମବାର ସନ୍ଧ୍ୟା ସୁଦ୍ଧା ଫିଲ୍ମର ୧୮.୨୫ କୋଟି ଆୟ ହୋଇଥିଲା ।

ସାକନିଲ୍କ ଅନୁସାରେ, ଅଦ୍ୟାବଧି ଫିଲ୍ମର କଲେକ୍ସନ୍ ୧୧୭ କୋଟି ଟପିଛି । ସୋମବାର ଫିଲ୍ମର ଆୟ କମିବା ସ୍ୱାଭାବିକ, ଯାହା ସବୁ ଫିଲ୍ମ ସହିତ ହୋଇଥାଏ । କିନ୍ତୁ ରବିବାର ୪୩ କୋଟି ଆୟ ପରେ କଲେକ୍ସନ୍ ଯଦି ୨୦ କୋଟି ପାର୍ କରେ, ତେବେ ଏହା ଫିଲ୍ମର ବଡ଼ ବିଜୟ । ‘ଧୁରନ୍ଧର’ ରଣବୀରଙ୍କର ସବୁଠୁ ଦମଦାର ୱିକେଣ୍ଡ୍ କଲେକ୍ସନ୍ । ଏହା ପୂର୍ବରୁ ତାଙ୍କ ଅଭିନୀତ ‘ପଦ୍ମାବତ୍’ର ସପ୍ତାହାନ୍ତ କଲେକ୍ସନ୍ ୭୮ କୋଟି, ‘ସିମ୍ବା’ ୭୫.୧୧ କୋଟି ଏବଂ ‘ରକି ଔର୍ ରାନୀ କି ପ୍ରେମ୍ କାହାନୀ’ ୪୬.୮୧ କୋଟି ଥିଲା ।