ଇନ୍ଦୋର, ୨୫/୦୭: ମଧ୍ୟପ୍ରଦେଶ ଇନ୍ଦୋରରେ ମହାରାଜା ଟୁକୋଜିରାଓ ହୋଲକର (MTH) ହସ୍ପିଟାଲରେ ଏକ ଯମଜ ଶିଶୁ ଜନ୍ମ ହୋଇଛି । ଏହି ଖବର ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଜୁଲାଇ ୨୨ ତାରିଖରେ ଜନ୍ମ ହୋଇଥିବା ଏହି ଯମଜ ଶିଶୁଟିର ଓଜନ ୨ କିଲୋଗ୍ରାମ ରହିଥିବା ବେଳେ ଶରୀର ଗୋଟିଏ ଏବଂ ଦୁଇଟି ପୃଥକ ମୁଣ୍ଡ ରହିଛି । ଯାହାକୁ ଡାକ୍ତରୀ ଭାଷାରେ ପାରାପାଗସ୍ ଡାଇସେଫେଲିକ୍ କୁହାଯାଏ।
ଦେବାସ ଜିଲ୍ଲାର ୨୨ ବର୍ଷୀୟା ରୂସାଙ୍କୁ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସିଜାରିଆନ୍ ଅସ୍ତ୍ରୋପଚାର ମାଧ୍ୟମରେ ଏହି ଯମଜ ସନ୍ତାନର ଜନ୍ମ ହୋଇଥିଲା । ଡାକ୍ତରମାନେ କହିଛନ୍ତି ଯେ, ଅସ୍ୱାଭାବିକ ଅବସ୍ଥା ସତ୍ତ୍ୱେ, ଉଭୟ ଶିଶୁ ଏବଂ ମା' ସୁରକ୍ଷିତ ଅଛନ୍ତି । ଶିଶୁଟିକୁ ଶିଶୁ ବିଭାଗର CNCU ୱାର୍ଡରେ ଅବଜର୍ଭେସନ୍ରେ ରଖାଯାଇଛି। ପରବର୍ତ୍ତୀ ସମୟରେ ସ୍କାନିଂ ଏବଂ ସର୍ଜରୀ କରିବା ପାଇଁ ଡାକ୍ତର ଯୋଜନା କରୁଛନ୍ତି ।
ତେବେ ଭୃଣରେ ଆନ୍ତରିକ ବିଭାଜନ ଅଧୁରା ହେବାରୁ ଏହି ସ୍ଥିତି ଉପୁଜି ଥାଏ । ଯାହାକୁ ମୋନୋଜାଇଗୋଟିକ୍ କନ୍ଜଏଣ୍ଟ ଟ୍ୱିନ୍ ବୋଲି କୁହାଯାଇଥାଏ । ତେବେ ଏହା ବଂଶାନୁକ୍ରମିକ ନୁହେଁ, ବରଂ ଏକ ବିକାଶ ଜନିତ ସମସ୍ୟା । ଡାକ୍ତରମାନେ ଏହି ଘଟଣାକୁ ଏକ ଅତ୍ୟନ୍ତ ବିରଳ ଘଟଣା ବୋଲି କହିଛନ୍ତି, ଯାହା ପ୍ରତି ୬୦,୦୦୦ ଜନ୍ମ ମଧ୍ୟରୁ ପ୍ରାୟ ଗୋଟିଏରେ ଦେଖିବାକୁ ମିଳିଥାଏ ।