କୋଲକାତା, ୧୦/୦୨: ରୋଗୀ ଚେତା ଥିଲା । ସେ ସବୁକଥା ଜାଣୁଥିଲେ । ଏହି ଅବସ୍ଥାରେ ତାଙ୍କର ମସ୍ତିଷ୍କରେ ଅସ୍ତ୍ରୋପଚାର ହୋଇଥିଲା । ବିଦେଶରେ ଏପରି ଅସ୍ତ୍ରୋପଚାର ଏକ ସାଧାରଣ କଥା ହୋଇଥିଲେ ମଧ୍ୟ ଭାରତରେ ଏହାକୁ ବିରଳ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ରୋଗୀଙ୍କ ବୟସ ମାତ୍ର ୨୭ ବର୍ଷ । ଏହି ଅଳ୍ପ ବୟସରେ ଏକ ଆକ୍ରମଣ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷାରୁ ଜଣାପଡିଥିଲା ଯେ, ମସ୍ତିଷ୍କରେ ଏକ ଅଂଶରେ ଜଟିଳ ସମସ୍ୟା ଦେଖାଦେଇଛି ଯାହା କଥାବାର୍ତ୍ତା, ସ୍ମୃତିଶକ୍ତି, ସ୍ୱର, ଗିଳିବା ଏବଂ ଗୀତ ଗାଇବାର କ୍ଷମତାକୁ ନିୟନ୍ତ୍ରଣ କରେ । ଏହି ସ୍ଥିତିରେ ଅସ୍ତ୍ରୋପଚାରର ଅର୍ଥ ହେଉଛି ତାଙ୍କ ସ୍ୱର, ଭାଷା ଏବଂ ପରିଚୟ ହରାଇବାର ଭୟ ।
ଅଧିକ ପଢ଼ନ୍ତୁ-୫୪ ହଜାର କୋଟିର ସାଇବର ଠକେଇକୁ ଡକାୟତି କହିଲେ ସୁପ୍ରିମକୋର୍ଟ, ନିୟମାବଳୀ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ
ନ୍ୟୁରୋଲୋଜିଷ୍ଟ ଡକ୍ଟର ଦୀପ ଦାସଙ୍କ ନେତୃତ୍ୱରେ ସ୍ନାୟୁ ପରୀକ୍ଷା କରାଯାଇଥିଲା । ତାଙ୍କ ପରାମର୍ଶ ଅନୁଯାୟୀ ଡାକ୍ତରୀ ଦଳ ଏକ ସାହସିକ ନିଷ୍ପତ୍ତି ନେଇଥିଲେ, ରୋଗୀଙ୍କ ଚେତା ଥାଇ ତାଙ୍କର ଅସ୍ତ୍ରୋପଚାର କରାଯିବ । କୋଲକାତାର ଚିଏମ୍ଆର୍ଆଇ ହସ୍ପିଟାଲର ନ୍ୟୁରୋସର୍ଜନ ଡକ୍ଟର ରଥିଜିତ ମିତ୍ର ଏହି ଚ୍ୟାଲେଞ୍ଜିଂ ଅସ୍ତ୍ରୋପଚାର କରିଥିଲେ । ଡକ୍ଟର ଶୈଳେଶ କୁମାର ନିଶ୍ଚେତକ ଥିଲେ । ଏହି ଅସ୍ତ୍ରୋପଚାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବାକ୍-ଭାଷା ରୋଗ ବିଶେଷଜ୍ଞ ସମୀର କୁଶାଲିଙ୍କର । ସେ ରୋଗୀଙ୍କୁ ମାନସିକ ଭାବରେ ପ୍ରସ୍ତୁତ କରିଥିଲେ । ରୋଗୀ ଅସ୍ତ୍ରୋପଚାର ଟେବୁଲରେ ଶୋଇଥିଲେ । ତାଙ୍କୁ କହିବାକୁ, ଶବ୍ଦ ଚିହ୍ନିବାକୁ, ଛୋଟ ବାକ୍ୟ ଗଠନ କରିବାକୁ ଓ କେତେବେଳେ ଗୀତ ଗାଇବାକୁ କୁହାଯାଇଥିଲା । ତାଙ୍କର ପ୍ରତ୍ୟେକ ପ୍ରତିକ୍ରିୟା ଉପରେ ବାକ୍-ଭାଷା ରୋଗ ବିଶେଷଜ୍ଞଙ୍କ କଡ଼ା ନଜର ରହିଥିଲା । ଅସ୍ତ୍ରୋପଚାରର କିଛି ଦିନ ମଧ୍ୟରେ ରୋଗୀ ସ୍ୱାଭାବିକ ଜୀବନକୁ ଫେରି ଆସିଥିଲେ । ଡାକ୍ତରୀ ଦଳ ଅନୁଯାୟୀ, ଏହି ପ୍ରକାରର ବହୁମୁଖୀ ଚିକିତ୍ସା ପଦ୍ଧତି ବିକଶିତ ଦେଶଗୁଡ଼ିକରେ ଧୀରେ ଧୀରେ ସାଧାରଣ ହେବାରେ ଲାଗିଛି, କିନ୍ତୁ ଭାରତରେ ଏହା ଏବେ ବି ବିରଳ । ଏହି ଘଟଣା ଆମକୁ ମନେ ପକାଇ ଦିଏ ଯେ ଆଧୁନିକ ଚିକିତ୍ସାର ଲକ୍ଷ୍ୟ କେବଳ ଜୀବନ ରକ୍ଷା କରିବା ନୁହେଁ, ବରଂ ଜଣେ ବ୍ୟକ୍ତିଙ୍କର ପୂର୍ଣ୍ଣ ପରିଚୟ ଅକ୍ଷୁଣ୍ଣ ରଖିବା ।