ନୂଆଦିଲ୍ଲୀ,୩/୩ : ଗୋଟିଏ ପଟେ ପାକିସ୍ତାନ ନିଜ ଖେଳାଳୀଙ୍କ ଉପରେ ୫୦-୫୦ଲକ୍ଷ ଟଙ୍କାର ଜରିମାନା ଲଗାଇବାର ପ୍ରସ୍ତୁତିରେ ଲାଗିଛି ତ ଅନ୍ୟପଟେ ଆଫଗାନିସ୍ତାନ ଆଉ ଟିକେ ଆଗକୁ ଚାଲିଯାଇଛି । ୨୦୨୬ ଟି-୨୦ ବିଶ୍ବକପରେ ଆଫଗାନ ଟିମ୍ ଖରାପ ପ୍ରଦର୍ଶନ ପରେ ରଶିଦ ଖାନଙ୍କଠାରୁ ଅଧିନାୟକ ଛଡ଼ାଇ ନିଆଯାଇଛି । ଆଫଗାନିସ୍ତାନ କ୍ରିକେଟ ଟିମ୍ ଗ୍ରୁପ୍ ଷ୍ଟେଜର ୪ମ୍ୟାଚରୁ ଦୁଇଟି ବିଜୟ ହାସଲ କରିପାରିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଡବଲ ସୁପର-ଓଭର ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିପାରିଲା ନାହିଁ । ୨୦୨୪ରେ ଆଫଗାନିସ୍ତାନ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲା ।
ସୂଚନା ମୁତାବକ ଆଫଗାନିସ୍ତାନ କ୍ରିକେଟ ବୋର୍ଡ଼ର ଚିଫ୍ ଏଗଜିକ୍ୟୁଟିଭ୍ ଅଧିକାରୀ ନସୀବ ଖାନ ସିଧା ସଳଖ ସ୍ପଷ୍ଟ କରି ଦେଇଛନ୍ତି ଯେ ଟିମ୍ ଭିତରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଚାଲୁ ରହିଛି । ନସୀବ ଖାନ କହିଛନ୍ତି କି, ଯଦି ଆପଣ ଭବିଷ୍ୟତ ଲାଗି ଟିମ୍ ପ୍ରସ୍ତୁତ କରୁଛନ୍ତି ତ ପରିବର୍ତ୍ତନ ନିଶ୍ଚିତ ଅଟେ । ଆମେ ପ୍ରଥମରୁ ମୁଖ୍ୟ କୋଚ୍, ବ୍ୟାଟର କୋଚ୍ ଏବଂ ଟ୍ରେନରଙ୍କୁ ପରିବର୍ତ୍ତନ କରି ସାରିଛୁ । ସେହିଭଳି ଭାବେ ଟିମ୍ ଭିତରେ ପରିବର୍ତ୍ତନ ହୋଇପାରେ ।