ପୁରୀ,୧୫/୦୬:  ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।  ତିନି ରଥର ୭୦ ଭାଗ କାର୍ଯ୍ୟ ଶେଷ ହୋଇଥିବା ବେଳେ ରଥରେ ଚିତ୍ରକାର ସେବକ ମାନେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ କରିଛନ୍ତି। ରବିବାର ରଥରେ ବଡ଼ ପୋଟଳ  ଉଠାଯାଇଛି । ପୂର୍ବରୁ ରଥରେ ଧମକ ଲଗାଯାଇ ପ୍ରଥମ, ଦ୍ୱିତୀୟ  ଭୂଇଁ ଓ ତୃତୀୟ ଭୂଇଁ ଟୁଙ୍ଗୁରା ପରେ ପୋଟଳ ଓରା, ପୋଟଳ ଖମ୍ୱି ଓ ପୋଟଳ ପାରେଣୀ କାମ ସରିଥିଲା । ଏହା ପରେ ବଡ଼ ପୋଟଳ ରଖାଗଲା । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ  କାଠ ସବୁକୁ ରଥ ଉପରକୁ ବୋହି ନେଇଥିଲେ । ବଡ଼ ପୋଟଳ  ଉଠାଇ ସାରିବା ପରେ ରଥ ଶୀର୍ଷରେ  ଠିଆ ହୋଇ ଭୋଇ ସେବକମାନେ ହରିବୋଲ ଡାକ ଦେଇଥିଲେ । ଏହା ପଞ୍ଚମ ହରିବୋଲ ଡାକ କୁହନ୍ତି ଭୋଇ ସର୍ଦ୍ଦାରରବି ଭୋଇ ।

 

ବଡ଼ପୋଟଳ ଉପରକୁ ରହିବ ଆହୁରି ୧୨ ପରସ୍ତ  ପୋଟଳ । ରଥରେ ୧୩ ପରସ୍ତ ପୋଟଳ ଲାଗେ । ନିମ୍ନ ଅଂଶରୁ  ଉପରକୁ କ୍ରମଶଃ ଛୋଟ । ୬ ଓ ୭ ନମ୍ବର ପୋଟଳ ମିଶି ହେବ  ‘ପାରାଭାଡ଼ି’ । ରଥର ଉପର ଅଂଶ ମଧ୍ୟରେ ଆକର୍ଷଣୀୟ ହେଉଛି  ରଥର ପାରାଭାଡ଼ି । ଦୁଇ ସ୍ତର ପୋଟଳ ମଝିରେ ପଟା ଦିଆଯାଇ  ବକ୍‌ସ ଭଳି ‘ପାରାଭାଡ଼ି’ ତିଆରି କରାଯାଏ । ଏଥିରେ ଚିତ୍ରକରମାନେ  ପାରା ଚିତ୍ର ଅଙ୍କନ କରିଥାନ୍ତି । ପରେ ପାରାଭାଡ଼ି ରଥରେ ସ୍ଥାପନ  ହୋଇଥାଏ । ଏଥିସହ ରଥରେ କତରା ଓ ଚାରପରିଛା ଲାଗିଛି ।

​​​​​​​

ରୂପକାରମାନେ ରଥ ବିଭିନ୍ନ ଅଂଶକୁ ଖୋଦେଇ କରି ସୁନ୍ଦର କରୁଛନ୍ତି ।  ରଥ ପାଶ୍ୱର୍ଦେବଦେବୀ ଓ ସଖୀ ଆଦିଙ୍କୁ ରଙ୍ଗ କରୁଛନ୍ତି ଚିତ୍ରକର  ସେବକ । ଦୋଳବେଦି ଅସ୍ଥାୟୀ ଶାଳରେ କମାର ସେବକମାନେ  ଦ୍ୱାର କଣ୍ଟା, କଇଁଚି କଣ୍ଟା ଆଦି ଲୁହା ସାମଗ୍ରୀ ତିଆରୁଛନ୍ତି ।

ଅଧିକ ପଢ଼ନ୍ତୁ :- Rath Khala Update: ରଥରେ ତାଗ ବାଡ଼ିଆ ଆରମ୍ଭ, ଖଳାରେ ‘ଗାରେଡ଼ି ଓ  ଅଂଳା’ ତିଆରି ନିର୍ମାଣ