ପୁରୀ,୨୧/୦୫:  ରଥ ଚାଳିରେ ଚଉତା ତଥା ଭୂଇଁ କାଠରେ ବିନ୍ଧ ଅନୁକୂଳ କରାଯାଇଛି । ମୁଖ୍ୟ ବିଶ୍ୱକର୍ମା ମାଳ, ମାହାର୍ଦ୍ଦ ଓ ଶ୍ରୀଫଳ ଦେଇ ଚଉତାରେ ବିନ୍ଧ ଖୋଦେଇ ଆରମ୍ଭ କଲେ । ପରେ ନିପୁଣ କାରିଗରମାନେ ବିନ୍ଧ ତିଆରୁଛନ୍ତି । ଚଉତା ହେଉଛି ରଥର ଉପରିଭାଗ ଭୂଇଁ କାର୍ଯ୍ୟ । ତିନି ରଥର ଅଖ ତିଆରି ଉପରେ ଏବେ ଜୋର୍ ଦିଆଯାଉଛି । ନାହାକା ଅଖ ୩ଟି ସଂଯୋଗ ପରେ ବାକି ୧୮ଟି ଅଖ ତିଆରି ଚାଲିଛି । ଏପଟେ ଗରଗରା ଚଉପଟ ଓ ଗୟଳ ଚିରା ଜାରି ରହିଛି ।

ରଥ ନିର୍ମାଣସ୍ଥଳୀକୁ ଆଖନ୍ଦ କରାଯାଇ ଅଖ ହଣା ଆରମ୍ଭ ହୋଇଯାଇଛି । ଭଉଁରୀ ଉତ୍ସବରେ ତିନି ରଥର ନାହାକା ଅଖ ନିର୍ମାଣ ସରି ଚକ ସଂଯୋଗ ସରିଥିଲା । ଏବେ ଦେବଦଳନର ବାକି ୫ଟି, ନନ୍ଦିଘୋଷର ୭ଟି ଓ ତାଳଧ୍ୱଜର ୬ଟି ଅଖର ହଣା ଆରମ୍ଭ ହୋଇଛି । ୪୦ ଫୁଟିଆ ଧଉରା କାଠରେ ତିଆରି ହେଉଛି ଅଖ । ରଥର ଭାରା ଚକ ଓ ଅଖ ସମ୍ଭାଳେ । ଅଖ ଉପରେ ଦଣ୍ଡା ଫିଟିଂ ହୋଇ ଗରଗରା ପଡ଼ି ଚାରିନାହାକା ଉଠିବ । ଅଖ ଦୁର୍ବଳ ହେଲେ ରଥ ସ୍ଥିତି ଉପରେ ପ୍ରଭାବ ପଡ଼ିବ । ଏଣୁ ଭଲ କାଠ ପରଖି ତିଆରି ହେଉଛି ରଥ ଅଖ ।

ଅଧିକ ପଢ଼ନ୍ତୁ :-  Bhubaneswar missing case : ୮ ମାସ ହେଲା ପୁଅ ନିଖୋଜ, ଶୁଣିଲାନି ପୁଲିସ... ବାବାଙ୍କ ଭବିଷ୍ୟବାଣୀ ପୂର୍ବମୁହାଁ ହୋଇ ବସିଲେ ମିଳିବ ପୁଅ

ଚଉତା ତଥା ଭୂଇଁ କାଠରେ ଦାଗ ଦିଆଯିବା ପରେ ଅନୁକୂଳ ହୋଇ ବିନ୍ଧ ଖୋଳା ଜାରି ରହିଛି । ଚଉତା କାଠରେ ପାଖୁଡ଼ା ଓ ଖମ୍ବୀ ବିନ୍ଧ ହୋଇଥାଏ । ପ୍ରଥମ ଭୂଇଁ ଉପରେ ୪ଟି ଖମ୍ବୀ ଓ ଦ୍ୱିତୀୟ ଭୂଇଁ ଉପରେ ୪ଟି ଖମ୍ବୀ ଲାଗିବ । ତା’ ଉପରେ ପୋଟଳ ଖମ୍ବୀ ଲାଗି ତୃତୀୟ ଭୂଇଁ ରହିବ । ଖୁବ୍‌ଶୀଘ୍ର ଅନୁକୂଳ ହୋଇ ଦଣ୍ଡା ତିଆରି ଆରମ୍ଭ ହୋଇଯିବ । ଦୋଳବେଦି ଶାଳରେ ଓଝା ସେବକମାନେ ଦଣ୍ଡା ପାଇଁ ଲୋଡ଼ା ଲୌହ ସାମଗ୍ରୀ ତିଆରୁଛନ୍ତି ।