ପୁରୀ,୨୮/୦୪ : ନିହଣ ଓ ମୁଗୁର ମାଡ଼ର ଧ୍ୱନିରେ ଗୁଞ୍ଜରି ଉଠୁଛି ରଥଖଳା । ତୁମ୍ବରେ ବିନ୍ଧ ଖୋଦେଇ ଚାଲିଛି । ପ୍ରତି ତୁମ୍ବରେ ୧୬ଯୋଡ଼ା ବିନ୍ଧ ହେଉଛି । ସୋମବାର ନାହାକା ତୁମ୍ବର ବିନ୍ଧ ଖୋଦେଇ ସରିଥିବା କହିଛନ୍ତି ତାଳଧ୍ୱଜର ବରିଷ୍ଠ ବିଶ୍ୱକର୍ମା ରଘୁନାଥ ସୁବୁଦ୍ଧି । ବିଶ୍ୱକର୍ମାମାନେ ରଥତ୍ରୟର ୪୨ତୁମ୍ବରେ ବିନ୍ଧ ଖୋଦେଇ କରୁଛନ୍ତି । ତୁମ୍ବର ମଝିରେ ବିନ୍ଧ ପାଇଁ ରଥ ଖଳାରେ ବିନ୍ଧ ଖୋଳା ମେସିନ୍ ପ୍ରସ୍ତୁତ ରହିଛି । ଓଝା ସେବକମାନେ ଦୋଳବେଦିରେ ଚକ ପାଇଁ ଲୋଡ଼ା ଅର କଣ୍ଟା ଓ ପନ୍ଦାରି ବଳା ତିଆରୁଛନ୍ତି ।
ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ୧୪ଟି ଚକ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ୧୬ଟି ଚକ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ୧୨ଟି ଚକ । ମୋଟ ୪୨ଟି ଚକର ୪୨ଟି ତୁମ୍ବ ପ୍ରସ୍ତୁତି ଚାଲିଛି । ଗୋଟିଏ ତୁମ୍ବରେ ୩୨ଟି ବିନ୍ଧ ହେଉଛି । ୪୨ଟି ତୁମ୍ବରେ ମୋଟ୍ ୧୩୪୪ଟି ବିନ୍ଧ କରାଯିବ । ଆଗକୁ କରତକଳରେ କଟା ହୋଇ ଅର ପଟା ଓ ପହି ରଥ ଖଳାରେ ପହଞ୍ଚିବ । ଭୋଇସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତା ଗାଡ଼ ଖୋଳିବେ । ସେଠାରେ ସିଙ୍ଗଡ଼ା ବାଡ଼ିଆ କରି ତୁମ୍ବର ବିନ୍ଧରେ ଅର ଫିଟ୍ ହେବ । ପରେ ରଥଖଳାରେ ବିଲେଇ ବାଡ଼ିଆ ପ୍ରକ୍ରିୟାରେ ସିଙ୍ଗଡ଼ା(ତୁମ୍ବ ଓ ଅର ଫିଟିଂ)ରେ ପହି ପିନ୍ଧାଇ ଚକ ପ୍ରସ୍ତୁତ ହେବ । ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମହାନଗର ନିଗମ କମିଶନର ଅରୁଗୁଳା ସ୍ନେହା ରଥଖଳା ପରିଦର୍ଶନ କରିଥିଲେ । ବିନ୍ଧ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ତୁମ୍ବର ଘେର କଟା କାର୍ଯ୍ୟ ଚାଲିଛି । ମଙ୍ଗଳବାର ତୁମ୍ବରେ ଅର କଣ୍ଟା ବସିବାକୁ ଅଗର ବିନ୍ଧ କରାଯିବ ବୋଲି ମୁଖ୍ୟ ବିଶ୍ୱକର୍ମାମାନେ ସୂଚନା ଦେଇଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଅତିଥି ଦେବୋ ଭବଃ: ରାଜଧାନୀରେ ସାଧାରଣ ଲୋକଙ୍କ ଅତିଥି ଭବନ, ଭଡ଼ା ୧୦୦ ଟଙ୍କା