ପୁରୀ ୦୯/୦୮: ରଥଯାତ୍ରା, ବାହୁଡ଼ା ସମେତ ଶ୍ରୀମନ୍ଦିରରେ ପାଳନ  ହେଉଥିବା ଦୈନନ୍ଦିନ ନୀତିକାନ୍ତି ଓ ଉତ୍ସବ  ପାଳନରେ ବିଶୃଙ୍ଖଳା ଦେଖାଦେଉଛି । ଠାକୁରଙ୍କ ଦର୍ଶନରେ ଶୃଙ୍ଖଳା ଆସିପାରୁନି ।  ଠେଲାପେଲା ଭିତରେ ଠାକୁର ଦର୍ଶନ  କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଦଳାଚକଟା ପରିସ୍ଥିତି ସୃଷ୍ଟି  ହେଉଛି । ଶ୍ରଦ୍ଧାଳୁ ଜଗା ଦର୍ଶନ କରିବାକୁ  ଆସି ମୌଳିକ ସୁବିଧା ପାଉନାହାନ୍ତି ।  

ଚଳିତ ବର୍ଷ ରଥଯାତ୍ରା ଓ ବାହୁଡ଼ା ବେଳେ  ଶରଧାବାଲି ଦଳାଚକଟାରେ ୩ ଜଣଙ୍କ  ଜୀବନ ଯାଇଥିଲା । ଏହି ଘଟଣାକୁ  ନେଇ ସରକାର ଓ ପ୍ରଶାସନିକ କଳ  ସମାଲୋଚିତ ହୋଇଥିଲା । ଏହାକୁ  ଦୃଷ୍ଟିରେ ରଖି ମଙ୍ଗଳବାର ମୁଖ୍ୟ  ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ତାଙ୍କ  ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକ ବସିବାକୁ ଯାଉଛି । ବୈଠକରେ  ରଥଯାତ୍ରା ଓ ବାହୁଡ଼ାଯାତ୍ରା ଆଦି ସମ୍ପର୍କରେ  ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । 

ଏହି  ବୈଠକରେ ଡିଜିପି, ଶ୍ରୀଜଗନ୍ନାଥ ମନ୍ଦିର  ମୁଖ୍ୟ ପ୍ରଶାସକ, ନଗର ଉନ୍ନୟନ ବିଭାଗ  ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ପୁରୀ ଜିଲ୍ଲାପାଳ  ଓ ଏସ୍‌ପି ଯୋଗଦେବାର କାର୍ଯ୍ୟକ୍ରମ  ରହିଛି ବୋଲି ଏସ୍‌ପି ପିନାକ ମିଶ୍ର  ସୂଚନା ଦେଇଛନ୍ତି । ଏହି ବୈଠକରେ  ରଥଯାତ୍ରା, ବାହୁଡ଼ା ଯାତ୍ରା ସମେତ  ଶ୍ରୀମନ୍ଦିରର ସମସ୍ତ ପର୍ବପର୍ବାଣୀ ଏବଂ  ଦୈନନ୍ଦିନ ନୀତିକାନ୍ତି, ଦର୍ଶନ ଶୃଙ୍ଖଳା  ନେଇ ଆଲୋଚନା ହେବ । ଗୁରୁତ୍ୱପୂର୍ଣ୍ଣ  ଅଂଶୀଦାରମାନଙ୍କ ସହ ବୈଠକରେ  ଆଲୋଚନା କରି ମୁଖ୍ୟ ଶାସନ ସଚିବ  ମାର୍ଗଦର୍ଶନ ଦେବେ ।