ଧଉଳି, ୧୬/୬: ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବର ମଙ୍ଗଳବାର ଥିଲା ଉଦ୍ଯାପନ ଦିବସ । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଜୟଗାନ କରି ଚାରିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ମହୋତ୍ସବର ଅନ୍ତିମ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖରିତ ହେବା ସହିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ସେମାନଙ୍କୁ ଢେର ଉତ୍ସାହିତ କରିଥିଲା । ଏହି ଅବସରରେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଅତିଥି ଭାବେ ଯୋଗଦେଇ ରଜ ମହୋତ୍ସବକୁ ପ୍ରଶଂସା କରିବା ସହ ଅଞ୍ଚଳବାସୀଙ୍କ ଏକତା ଓ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଥିଲେ । ସେ କହିଲେ ଯେ ଏହି ମହୋତ୍ସବରେ ରାଜ୍ୟସ୍ତରୀୟ ଝଲକ ଦେଖିବାକୁ ମିଳିଛି । ଆପଣମାନେ ସମସ୍ତେ ‘ପ୍ରମେୟ’ ପରିବାର ସହ ସାମିଲ ହୁଅନ୍ତୁ । ଆଗକୁ ନୂଆଗାଁ ଅଞ୍ଚଳବାସୀଙ୍କ ସୁଖଦୁଃଖର ସାଥୀ ଭାବେ ‘ପ୍ରମେୟ’ ଓ ‘ନ୍ୟୁଜ-୭’ ଠିଆ ହେବ । ଆଞ୍ଚଳିକ ସମସ୍ୟାକୁ ସରକାରୀ ସ୍ତରରେ ପହଞ୍ଚାଇ ତା’ର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
‘ପ୍ରମେୟ’ର ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ନ୍ୟୁଜ୍-୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ କହିଲେ ଯେ ଆଖପାଖରେ ବହୁତ ରଜ ଉତ୍ସବ ହେଉଛି । କିନ୍ତୁ ଏଭଳି କାର୍ଯ୍ୟକ୍ରମ ନିଆରା । କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶିଳ୍ପୀଗୁରୁ ପ୍ରଭାକର ମହାରଣା, ଆଞ୍ଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ଅରୁଣ କୁମାର ପୁରୋହିତ, ସଞ୍ଜୟ ଗିରି, ବସନ୍ତ ସୁନ୍ଦରାୟ, ଅନୁଷ୍ଠାନ ସଭାପତି ବସନ୍ତ କୁମାର ବରାଳ, ସମ୍ପାଦକ ଡ. ଚିନ୍ମୟନନ୍ଦ ବଡ଼ଜେନା, ‘ପ୍ରମେୟ’ର ପ୍ରସାର ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ, କର୍ପୋରେଟର ଶିବ ନାରାୟଣ ରାୟ, ଭୁବନେଶ୍ୱର ଜିଲ୍ଲା ଅଭିଯାନ ମୁଖ୍ୟ ଲିଙ୍ଗରାଜ ସାହୁ, ବରିଷ୍ଠ ଶିକ୍ଷାବିତ୍ ଡ.ଉପେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଅତିଥିମାନଙ୍କୁ ମଞ୍ଚ ପକ୍ଷରୁ ସମ୍ମାନିତ କରାଯିବା ସହ ଉପହାର ପ୍ରଦାନ କରାଯାଇଥିଲା । ନୃତ୍ୟ, ସଂଗୀତ, ଶଙ୍ଖ, ହୁଳହୁଳି ଓ ଝୋଟି ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥି ପୁରସ୍କୃତ କରିଥିଲେ । ଶେଷ ଦିବସରେ ମୁମ୍ବାଇର କଣ୍ଠଶିଳ୍ପୀ ପାମେଲା ଜୈନ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଥିଲେ । ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ, ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ଓ ସାଥି କଳାକାରମାନେ ମନୋରଞ୍ଜନ କରିଥିଲେ । ହାସ୍ୟ ଅଭିନେତା ନାଲି ଆମ୍ବ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରିଥିଲେ । ଏଥିସହ ରଙ୍ଗାରଙ୍ଗ ମେଲୋଡ଼ି କାର୍ଯ୍ୟକ୍ରମ ହୋଇଥିଲା । ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ଓଡ଼ିଆ କଳା ଓ ସଂସ୍କୃତିକୁ ବଞ୍ଚାଇବାକୁ ପ୍ରତିବଦ୍ଧ । ଆଗାମୀ ବର୍ଷ ଆହୁରି ବଡ଼ ଆକାରରେ ମହୋତ୍ସବ କରାଯିବ ବୋଲି ମଞ୍ଚର ସଭାପତି ଶ୍ରୀ ବରାଳ ପ୍ରକାଶ କରିଥିଲେ ।
ଅଧିକ ପଢନ୍ତୁ- ଜଳାଶୟ ସୁରକ୍ଷା ପାଇଁ ଯୋଜନା, ଫିଜିବିଲିଟି ଷ୍ଟଡି କରିବ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟସ୍