ପ୍ରମୂଖ ଖବର
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ରଥ ଖଳା ହାଲ୍‌ଚାଲ୍‌...ବର୍ଷା ପାଇଁ ଅଟକିଲା ଦଣ୍ଡା କାମ, ଆଜି ଅନୁକୂଳ ହେବା ସମ୍ଭାବନା

Published By : Prameya | May 29, 2025 8:57 AM

ପୁରୀ,୨୯/୦୫: ଲଗାଣ ବର୍ଷା ଯୋଗୁ ବୁଧବାର ରଥର ଦଣ୍ଡା କାର୍ଯ୍ୟ ଆରମ୍ଭ ସମ୍ଭବ ହେଲାନି । ଦଣ୍ଡା କାର୍ଯ୍ୟ ଅନୁକୂଳ ପାଇଁ ସମସ୍ତ  ପ୍ରସ୍ତୁତି ହୋଇଥିଲା । ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ବାଧକ ହେଲା ବର୍ଷା । ଅସରାକୁ ଅସରା ବର୍ଷା ଅଜାଡ଼ିବାରେ ଦଣ୍ଡା କାର୍ଯ୍ୟ ଅଟକି ରହିଲା ।  ଗୁରୁବାର ଦଣ୍ଡା କାର୍ଯ୍ୟ ଅନୁକୂଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏପଟେ ରଥ  ଖଳାରେ ଚାରିନାହାକା, ଗରଗରା ଓ ଗୁଜ  ଆଦିର ନିର୍ମାଣ କାର୍ଯ୍ୟ ଏବଂ ଖଳା ବାହାରେ  ରଥର ଅଖ ଓ ଗୟଳ କାର୍ଯ୍ୟ ଚାଲିଛି ।  

ଦଣ୍ଡାକୁ ରଥର ମୂଳଦୁଆ କୁହାଯାଏ ।  ତାଳଧ୍ୱଜ ଓ ନନ୍ଦିଘୋଷର ୯ଦଣ୍ଡା ରହିଥିବା ବେଳେ ଦେବଦଳନ ରଥର ୭ଦଣ୍ଡା ରହିଛି ।  ବୁଧବାର ସୁଦ୍ଧା ତିନି ରଥର ନିର୍ଦ୍ଦିଷ୍ଟ ସ୍ଥାନ ନିରୁପଣ ହୋଇ ଦଣ୍ଡା କାଠ ସବୁ ଖେଳା ଯାଇଛି । ୪୦ ଫୁଟିଆ କାଠରେ ଦଣ୍ଡା ପ୍ରସ୍ତୁତ ହେବ । ଦଣ୍ଡା  କାମ ସରିଲେ ଏଥିରେ ସଂଯୋଗ ହେବ ମୁହାଁଟ । ପୂର୍ବରୁ ବିନ୍ଧ ହୋଇ ମୁହାଁଟ ପ୍ରସ୍ତୁତ ରହିଛି । ରଥର ୪୨ ଚକ ପ୍ରସ୍ତୁତ ସରିଛି ।  ୨୧ଟି ଅଖ ନିର୍ମାଣ ଚାଲିଛି । ଚକ ଓ ଅଖ  ସଂଯୋଗ ହେଲେ ଏଥିରେ ଦଣ୍ଡା ଉଠିବ ।  ଚାରି ନାହାକା ହଣା ଜାରି ରହିଛି । ଗରଗରା  ଚଉପଟ କରୁଛନ୍ତି ବିଶ୍ୱକର୍ମା । ପ୍ରତି ରଥରେ  ଦୁଇ ଗୋଟି ଗରଗରା ଲାଗିବ । ଅଖ ଉପରେ  ଦଣ୍ଡା ପଡ଼ିଲେ ଗରଗରା ରହି ଚାରିନାହାକା  ଉଠିବ । 

ରୂପକାର ସେବକମାନେ ଗୁଜ କାମ ଜାରି ରଖିଛନ୍ତି । କରତି ସେବକମାନେ ରଥର ଗୟଳ ଚିରଟ କରୁଛନ୍ତି । ତିନୋଟି ପୃଥକ  ଶାଳରେ କମାର ତଥା ଓଝା ସେବକ ରଥର  ଲୁହା ସାମଗ୍ରୀ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ  ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା  ବିଜୟ କୁମାର ମହାପାତ୍ର ଓ ଦେବଦଳନର  ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ  ତତ୍ୱାବଧାନରେ ରଥ ନିର୍ମାଣ ଜାରି ରହିଛି ।

ଆସିଲା ୨୬ ରଥ କାଠ

ବୁଧବାର ରେଢ଼ାଖୋଲରୁ ଆସିଛି ୨୬ଟି ଧଉରା ରଥ  କାଠ । ସେଥିରେ ୪୦ ଫୁଟିଆ ୨୪ଟି ଓ ୨୦ ଫୁଟିଆ ୨ଟି  ରହିଛି । ଦଫା ଦଫା ହୋଇ ୪୦ ଫୁଟିଆ କାଠ ପହଞ୍ଚିବାରେ  ରଥ ନିର୍ମାଣକାରୀ ଆଶ୍ୱସ୍ତ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର  ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ । ଏଥିରୁ ବଛା  ହୋଇ ବିଭିନ୍ନ ରଥାଂଶ ପ୍ରସ୍ତୁତ ହେବ । ରଥର ଅଖ,  ଦଣ୍ଡା ଓ ଗୟଳ ନିର୍ମାଣ ପାଇଁ ୧୦୦ ଟି ୪୦ ଫୁଟିଆ କାଠ  ଅବଶ୍ୟକ ହୁଏ । ଏଥିରୁ ୩୦ ଅସନ ଓ ଓ ୭୦ଟି ଧଉରା  କାଠ ଲୋଡ଼ା ହୁଏ । ଧାର୍ଯ୍ୟ ସମୟରେ ୪୦ ଫୁଟିଆ କାଠ  ନପହଞ୍ଚିବାରେ ରଥଖଳାରେ ଭାଳେଣି ପଡ଼ିଯାଇଥିଲା ।  ଏବେ ବରାଦି ମୁତାବକ ୪୦ ଫୁଟିଆ କାଠ ପହଞ୍ଚିବା  ଯିବାରେ ରଥ ନିର୍ମାଣ ନେଇ ଆଶଙ୍କା ଟଳିବା ସହ ରଥ  ନିର୍ମାଣକାରୀ ଖୁସି ବ୍ୟକ୍ତ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.