ପୁରୀ,୨୯/୦୫: ଲଗାଣ ବର୍ଷା ଯୋଗୁ ବୁଧବାର ରଥର ଦଣ୍ଡା କାର୍ଯ୍ୟ ଆରମ୍ଭ ସମ୍ଭବ ହେଲାନି । ଦଣ୍ଡା କାର୍ଯ୍ୟ ଅନୁକୂଳ ପାଇଁ ସମସ୍ତ  ପ୍ରସ୍ତୁତି ହୋଇଥିଲା । ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ବାଧକ ହେଲା ବର୍ଷା । ଅସରାକୁ ଅସରା ବର୍ଷା ଅଜାଡ଼ିବାରେ ଦଣ୍ଡା କାର୍ଯ୍ୟ ଅଟକି ରହିଲା ।  ଗୁରୁବାର ଦଣ୍ଡା କାର୍ଯ୍ୟ ଅନୁକୂଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏପଟେ ରଥ  ଖଳାରେ ଚାରିନାହାକା, ଗରଗରା ଓ ଗୁଜ  ଆଦିର ନିର୍ମାଣ କାର୍ଯ୍ୟ ଏବଂ ଖଳା ବାହାରେ  ରଥର ଅଖ ଓ ଗୟଳ କାର୍ଯ୍ୟ ଚାଲିଛି ।  

ଦଣ୍ଡାକୁ ରଥର ମୂଳଦୁଆ କୁହାଯାଏ ।  ତାଳଧ୍ୱଜ ଓ ନନ୍ଦିଘୋଷର ୯ଦଣ୍ଡା ରହିଥିବା ବେଳେ ଦେବଦଳନ ରଥର ୭ଦଣ୍ଡା ରହିଛି ।  ବୁଧବାର ସୁଦ୍ଧା ତିନି ରଥର ନିର୍ଦ୍ଦିଷ୍ଟ ସ୍ଥାନ ନିରୁପଣ ହୋଇ ଦଣ୍ଡା କାଠ ସବୁ ଖେଳା ଯାଇଛି । ୪୦ ଫୁଟିଆ କାଠରେ ଦଣ୍ଡା ପ୍ରସ୍ତୁତ ହେବ । ଦଣ୍ଡା  କାମ ସରିଲେ ଏଥିରେ ସଂଯୋଗ ହେବ ମୁହାଁଟ । ପୂର୍ବରୁ ବିନ୍ଧ ହୋଇ ମୁହାଁଟ ପ୍ରସ୍ତୁତ ରହିଛି । ରଥର ୪୨ ଚକ ପ୍ରସ୍ତୁତ ସରିଛି ।  ୨୧ଟି ଅଖ ନିର୍ମାଣ ଚାଲିଛି । ଚକ ଓ ଅଖ  ସଂଯୋଗ ହେଲେ ଏଥିରେ ଦଣ୍ଡା ଉଠିବ ।  ଚାରି ନାହାକା ହଣା ଜାରି ରହିଛି । ଗରଗରା  ଚଉପଟ କରୁଛନ୍ତି ବିଶ୍ୱକର୍ମା । ପ୍ରତି ରଥରେ  ଦୁଇ ଗୋଟି ଗରଗରା ଲାଗିବ । ଅଖ ଉପରେ  ଦଣ୍ଡା ପଡ଼ିଲେ ଗରଗରା ରହି ଚାରିନାହାକା  ଉଠିବ । 

ରୂପକାର ସେବକମାନେ ଗୁଜ କାମ ଜାରି ରଖିଛନ୍ତି । କରତି ସେବକମାନେ ରଥର ଗୟଳ ଚିରଟ କରୁଛନ୍ତି । ତିନୋଟି ପୃଥକ  ଶାଳରେ କମାର ତଥା ଓଝା ସେବକ ରଥର  ଲୁହା ସାମଗ୍ରୀ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ  ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା  ବିଜୟ କୁମାର ମହାପାତ୍ର ଓ ଦେବଦଳନର  ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ  ତତ୍ୱାବଧାନରେ ରଥ ନିର୍ମାଣ ଜାରି ରହିଛି ।

ଆସିଲା ୨୬ ରଥ କାଠ

ବୁଧବାର ରେଢ଼ାଖୋଲରୁ ଆସିଛି ୨୬ଟି ଧଉରା ରଥ  କାଠ । ସେଥିରେ ୪୦ ଫୁଟିଆ ୨୪ଟି ଓ ୨୦ ଫୁଟିଆ ୨ଟି  ରହିଛି । ଦଫା ଦଫା ହୋଇ ୪୦ ଫୁଟିଆ କାଠ ପହଞ୍ଚିବାରେ  ରଥ ନିର୍ମାଣକାରୀ ଆଶ୍ୱସ୍ତ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର  ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ । ଏଥିରୁ ବଛା  ହୋଇ ବିଭିନ୍ନ ରଥାଂଶ ପ୍ରସ୍ତୁତ ହେବ । ରଥର ଅଖ,  ଦଣ୍ଡା ଓ ଗୟଳ ନିର୍ମାଣ ପାଇଁ ୧୦୦ ଟି ୪୦ ଫୁଟିଆ କାଠ  ଅବଶ୍ୟକ ହୁଏ । ଏଥିରୁ ୩୦ ଅସନ ଓ ଓ ୭୦ଟି ଧଉରା  କାଠ ଲୋଡ଼ା ହୁଏ । ଧାର୍ଯ୍ୟ ସମୟରେ ୪୦ ଫୁଟିଆ କାଠ  ନପହଞ୍ଚିବାରେ ରଥଖଳାରେ ଭାଳେଣି ପଡ଼ିଯାଇଥିଲା ।  ଏବେ ବରାଦି ମୁତାବକ ୪୦ ଫୁଟିଆ କାଠ ପହଞ୍ଚିବା  ଯିବାରେ ରଥ ନିର୍ମାଣ ନେଇ ଆଶଙ୍କା ଟଳିବା ସହ ରଥ  ନିର୍ମାଣକାରୀ ଖୁସି ବ୍ୟକ୍ତ କରିଛନ୍ତି ।