ଭୁବନେଶ୍ୱର,୨୩/୦୨: ମିଛ ତଥ୍ୟ  ଦେଇ କିମ୍ବା ରାଜନୈତିକ ଚାପ ପକାଇ  ରାସନ କାର୍ଡ ହାତେଇଛ । ତୁରନ୍ତ ରାସନ କାର୍ଡ  ଫେରାଅ । ନଚେତ୍‌ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବେ ସରକାର। ରାଜ୍ୟର ଅଯୋଗ୍ୟ ରାସନକାର୍ଡଧାରୀଙ୍କୁ  ଏମିତି ଚେତାବନୀ ଦେଇଛନ୍ତି ଯୋଗାଣ  ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏପରିକି ସେ  ବେଆଇନ ଭାବେ କାର୍ଡ ହାତେଇଥିବା  ହିତାଧିକାରୀଙ୍କୁ ଶୀଘ୍ର କାର୍ଡ ଫେରସ୍ତ କରିବାକୁ  ଅପିଲ୍‌ କରିଛନ୍ତି । ୩୧ରେ ଇ-କେଓ୍ବାଇସି ଶେଷ ହେବ, ତା ପୂର୍ବରୁ ରାସନ୍‌ କାର୍ଡ ଫେରସ୍ତ କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ  ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । 

ଡାକ୍ତର, ଇଂଜିନିୟରଙ୍କଠୁ ଆରମ୍ଭ କରି ଶିକ୍ଷକ ଓ ରାଜସ୍ୱ ନିରୀକ୍ଷକ, ଯାଏ ବହୁ  ସଂଖ୍ୟାରେ ସରକାରୀ କର୍ମଚାରୀ ରାଜ୍ୟରେ  ରାସନ କାର୍ଡ ହାତେଇଛନ୍ତି । ବର୍ଷ ବର୍ଷ ଧରି  ଏହି କାର୍ଡରେ ରାସନ ଚଳୁ କରୁଛନ୍ତି । ଏପଟେ ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀ ରାସନ  କାର୍ଡ ପାଇବାକୁ ବର୍ଷ ବର୍ଷ ଅପେକ୍ଷା କରି  ବସିଛନ୍ତି । ରାଜ୍ୟ ସରକାର ଇ-କେୱାଇସି  ପ୍ରକିୟା ଆରମ୍ଭ କରିବା ପରେ ବହୁ  ସଂଖ୍ୟାରେ ଅଯୋଗ୍ୟଙ୍କ ତାଲିକା ପଦାକୁ  ଆସୁଛି । ତେବେ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ  ଗରିବ ଯୋଗ୍ୟ ହିତାଧିକାରୀ କାର୍ଡ  ପାଇପାରୁନାହାନ୍ତି । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେବା ପରେ ଯେତିକି ସଂଖ୍ୟାରେ  ହିତାଧିକାରୀ ହଟିବେ ସେହି ସ୍ଥାନରେ ଯୋଗ୍ୟ  ଆବେଦନକାରୀଙ୍କୁ ନୂତନ ରାସନ କାର୍ଡ଼ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।