ରାୟଗଡ଼ା,୨୦/୦୫: ଏକ୍ସପାୟାର୍ଡ ସାମଗ୍ରୀ ବିକିବା ମହଙ୍ଗା ପଡ଼ିଛି । ରାୟଗଡ଼ା ସହରର ବିଶାଲ୍‌ ମେଗାମାର୍ଟକୁ ଲକ୍ଷେ  ଟଙ୍କା ଜରିମାନା କରାଯାଇଛି । ମଲ୍‌ରୁ ଏହି ସାମଗ୍ରୀ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ଜ୍ୟୋତି  ପ୍ରକାଶ ସୋରେନ । ବେଆଇନ୍‌ ଜାତୀୟ  ରାଜପଥ ଜବରଦଖଲ କରିଥିବାରୁ ଏଥିରୁ  ହଟିଯିବାକୁ ମଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ  ଦେଇଛି ପୌର ପ୍ରଶାସନ । 

ରାୟଗଡ଼ା ସହରର ସଂଗ୍ରାମ ପଟ୍ଟନାୟକଙ୍କ ଅଭିଯୋଗ  ଅନୁଯାୟୀ, ଗତ ୧୪ ତାରିଖରେ ୩୨୬ନଂ  ଏନ୍‌ଏଚ୍‌ର ଏଫ୍‌ସିଆଇ ଛକସ୍ଥିତ ବିଶାଲ ମେଗାମାର୍ଟରୁ ସେ ୧୪୬୩ ଟଙ୍କାର ବିଭିନ୍ନ ଜିନିଷ କିଣିଥିଲେ । ପରଦିନ ଘରେ ଜିନିଷଗୁଡ଼ିକୁ ବିଲ୍‌ ଅନୁଯାୟୀ  ମିଳାଇଥିଲେ । କିଣିଥିବା ୧ କେଜି ଆଳୁ ଭୋଜିଆର ଉପଯୋଗୀ ତାରିଖ ଅବଧି ଶେଷ ହୋଇଥିବା ଦେଖିଥିଲେ । ସେ ଉକ୍ତ ମେଗାମାର୍ଟକୁ ଯାଇ ଆଳୁ ଭୋଜିଆ ଏକ୍ସପାୟାର୍ଡ ହୋଇଯାଇଥିବାରୁ ଏହାକୁ ବଦଳାଇବାକୁ କହିଥିଲେ । କର୍ମଚାରୀମାନେ ମ୍ୟାନେଜରଙ୍କ ସହ  କଥାହେବାକୁ କହି ଘଣ୍ଟାଏ ଅପେକ୍ଷା କରାଇଥିଲେ । ପରେ ମ୍ୟାନେଜର ଏହି  ଜିନିଷ ବିଶାଲ ମେଗାମାର୍ଟରୁ କିଣାଯାଇନି ବୋଲି କହିଥିଲେ ।  

ବହୁ ସମୟ ଆଲୋଚନା ପରେ ଉପଯୋଗୀ ତାରିଖ ଶେଷ ହୋଇଥିଲା  ମାନିଥିଲେ । ଉପସ୍ଥିତ କେତେକ  ବୁଦ୍ଧିଜୀବୀ ମ୍ୟାନେଜରଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇଥିଲେ । ଏକ୍ସପାୟାର୍ଡ ଷ୍ଟକ୍‌  କାହିଁକି ରଖାଯାଇଛି ବୋଲି ପ୍ରଶ୍ନ  କରିଥିଲେ । ମ୍ୟାନେଜର ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନ  ଥିଲେ । ଆଜି ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ  ସୋରେନ ବିଶାଲ ମେଗାମାର୍ଟରେ ବିଭିନ୍ନ  ଦ୍ରବ୍ୟର ମାନ, ଏକ୍ସପାୟାର୍ଡ ତାରିଖ ଯାଞ୍ଚ୍‌  କରିଥିଲେ । ଅନେକ ସାମଗ୍ରୀ ଏକ୍ସପାୟାର୍ଡ  ହୋଇଥିବା ଦେଖିବାକୁ ପାଇଥିଲେ ।  କେତେକ ସାମଗ୍ରୀ ଅପରିଷ୍କାର ଭାବେ  ପଡ଼ିଥିବା ଦେଖିଥିଲେ ।