ରାୟଗଡ଼ା,୨୦/୦୫: ଏକ୍ସପାୟାର୍ଡ ସାମଗ୍ରୀ ବିକିବା ମହଙ୍ଗା ପଡ଼ିଛି । ରାୟଗଡ଼ା ସହରର ବିଶାଲ୍ ମେଗାମାର୍ଟକୁ ଲକ୍ଷେ ଟଙ୍କା ଜରିମାନା କରାଯାଇଛି । ମଲ୍ରୁ ଏହି ସାମଗ୍ରୀ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ଜ୍ୟୋତି ପ୍ରକାଶ ସୋରେନ । ବେଆଇନ୍ ଜାତୀୟ ରାଜପଥ ଜବରଦଖଲ କରିଥିବାରୁ ଏଥିରୁ ହଟିଯିବାକୁ ମଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ପୌର ପ୍ରଶାସନ ।
ରାୟଗଡ଼ା ସହରର ସଂଗ୍ରାମ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୪ ତାରିଖରେ ୩୨୬ନଂ ଏନ୍ଏଚ୍ର ଏଫ୍ସିଆଇ ଛକସ୍ଥିତ ବିଶାଲ ମେଗାମାର୍ଟରୁ ସେ ୧୪୬୩ ଟଙ୍କାର ବିଭିନ୍ନ ଜିନିଷ କିଣିଥିଲେ । ପରଦିନ ଘରେ ଜିନିଷଗୁଡ଼ିକୁ ବିଲ୍ ଅନୁଯାୟୀ ମିଳାଇଥିଲେ । କିଣିଥିବା ୧ କେଜି ଆଳୁ ଭୋଜିଆର ଉପଯୋଗୀ ତାରିଖ ଅବଧି ଶେଷ ହୋଇଥିବା ଦେଖିଥିଲେ । ସେ ଉକ୍ତ ମେଗାମାର୍ଟକୁ ଯାଇ ଆଳୁ ଭୋଜିଆ ଏକ୍ସପାୟାର୍ଡ ହୋଇଯାଇଥିବାରୁ ଏହାକୁ ବଦଳାଇବାକୁ କହିଥିଲେ । କର୍ମଚାରୀମାନେ ମ୍ୟାନେଜରଙ୍କ ସହ କଥାହେବାକୁ କହି ଘଣ୍ଟାଏ ଅପେକ୍ଷା କରାଇଥିଲେ । ପରେ ମ୍ୟାନେଜର ଏହି ଜିନିଷ ବିଶାଲ ମେଗାମାର୍ଟରୁ କିଣାଯାଇନି ବୋଲି କହିଥିଲେ ।
ବହୁ ସମୟ ଆଲୋଚନା ପରେ ଉପଯୋଗୀ ତାରିଖ ଶେଷ ହୋଇଥିଲା ମାନିଥିଲେ । ଉପସ୍ଥିତ କେତେକ ବୁଦ୍ଧିଜୀବୀ ମ୍ୟାନେଜରଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇଥିଲେ । ଏକ୍ସପାୟାର୍ଡ ଷ୍ଟକ୍ କାହିଁକି ରଖାଯାଇଛି ବୋଲି ପ୍ରଶ୍ନ କରିଥିଲେ । ମ୍ୟାନେଜର ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନ ଥିଲେ । ଆଜି ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ସୋରେନ ବିଶାଲ ମେଗାମାର୍ଟରେ ବିଭିନ୍ନ ଦ୍ରବ୍ୟର ମାନ, ଏକ୍ସପାୟାର୍ଡ ତାରିଖ ଯାଞ୍ଚ୍ କରିଥିଲେ । ଅନେକ ସାମଗ୍ରୀ ଏକ୍ସପାୟାର୍ଡ ହୋଇଥିବା ଦେଖିବାକୁ ପାଇଥିଲେ । କେତେକ ସାମଗ୍ରୀ ଅପରିଷ୍କାର ଭାବେ ପଡ଼ିଥିବା ଦେଖିଥିଲେ ।