ନୂଆଦିଲ୍ଲୀ,୦୬/୦୩:  ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଡ. ଅଜିତ ରତ୍ନାକର ଯୋଶୀଙ୍କୁ ନୂଆ  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ନିଯୁକ୍ତ କରିଛି । ଆଗାମୀ ୩ ବର୍ଷ ଲାଗି ସେ ଏହି ପଦବୀରେ କାର୍ଯ୍ୟ  କରିବେ । ପଦୋନ୍ନତୀ ପୂର୍ବରୁ ଶ୍ରୀ ଯୋଶୀ ଡିପାର୍ଟମେଣ୍ଟ ଅଫ୍‌ ଷ୍ଟାଟିଷ୍ଟିକ୍ସ ଇନଫରମେଶନ ମ୍ୟାନେଜମେଣ୍ଟ (ଡିଏସ୍‌ଆଇଏମ୍‌) ର ପ୍ରମୁଖ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ ।  

ଡିସିଆଇଏମ୍‌ ସହ ସେ ଏବେ ବିତ୍ତୀୟ ସ୍ଥିରତା ବିଭାଗ  ଦାୟିତ୍ୱରେ ରହିବେ । ନୀତି  ନିର୍ଦ୍ଧାରଣ ଲାଗି ପରିସଂଖ୍ୟାନ  ଡାଟାର ସଠିକତା ଏବଂ ବିଶ୍ୱସନୀୟତା ସୁନିଶ୍ଚିତ  କରିବା ଉପରେ ଶ୍ରୀ ଯୋଶୀ  କାର୍ଯ୍ୟ କରିବେ ବୋଲି କହିଛି  ଆର୍‌ବିଆଇ । ଏହାବାଦ ସେ  ବ୍ୟାଙ୍କିଙ୍ଗ କ୍ଷେତ୍ରର କ୍ରିଟିକାଲ  ଫାଇନାନ୍ସିଆଲ ଷ୍ଟାବିଲିଟି ଦିଗ  ଉପରେ ମଧ୍ୟ ଧ୍ୟାନ ରଖିବେ । 

ଶ୍ରୀ ଯୋଶୀଙ୍କ ନିକଟରେ  ଦୀର୍ଘ ୩ ଦଶନ୍ଧିର ଅଭିଜ୍ଞତା ରହିଛି । ପରିସଂଖ୍ୟାନ ବାଦ  ଆଇଟି ଏବଂ ସାଇବର ରିସ୍କ ପରିଚାଳନା ସହ ହାଇଦ୍ରାବାଦ  ସ୍ଥିତ ଇନଷ୍ଟିଚ୍ୟୁଟ ଫର୍‌ ଡେଭଲପମେଣ୍ଟ ଆଣ୍ଡ ରିସର୍ଚ୍ଚ ଇନ୍‌  ବ୍ୟାଙ୍କିଙ୍ଗ ଟେକ୍ନାଲୋଜିରେ ଫାକଲ୍ଟି ମେମ୍ବର ଭାବେ ମଧ୍ୟ ସେ କାମ କରିଛନ୍ତି । ନାଗପୁର ବିଶ୍ୱବିଦ୍ୟାଳୟରୁ ପରିସଂଖ୍ୟାନରେ  ମାଷ୍ଟର ଡିଗ୍ରୀ ଏବଂ ଆଇଆଇଟି ମାଡ୍ରାସରୁ ମନିଟାରି  ଇକୋନୋମିକ୍ସରେ ସେ ପିଏଚ୍‌ଡି କରିଛନ୍ତି ।