ନୂଆଦିଲ୍ଲୀ, ୨।୬: ସୋସିଆଲ ମିଡିଆ ଆପ୍ଗୁଡ଼ିକ କ’ଣ ସତରେ ସ୍କୁଲ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛନ୍ତି ? ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଥିବା ବେଳେ ଏବେ ଏହାକୁ ନେଇ ଏକ ବଡ଼ ଧରଣର ଆନ୍ତର୍ଜାତୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଆମେରିକାର ଏକ ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ସାଙ୍ଘାତିକ ଅଭିଯୋଗ ପରେ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀଗୁଡ଼ିକ କୋର୍ଟ ବାହାରେ ଏକ ବଡ଼ ଆର୍ଥିକ ବୁଝାମଣା କରିବାକୁ ବାଧ୍ୟ ହୋଇଛନ୍ତି । ଫେସବୁକ, ଇନଷ୍ଟାଗ୍ରାମ, ଟିକଟକ, ୟୁଟ୍ୟୁବ୍ ଏବଂ ସ୍ନାପଚାଟ୍ ଭଳି ପ୍ଲାଟଫର୍ମଗୁଡ଼ିକ ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ଚାପ, ଅନିଦ୍ରା ଏବଂ ଭାବନାତ୍ମକ ସମସ୍ୟା ବଢ଼ୁଥିବା ଦର୍ଶାଇ କୋର୍ଟରେ ମାମଲା ହୋଇଥିଲା । ଏବେ ଏହି ମାମଲାର ରଫାଦଫା ପାଇଁ ଟେକ୍ କମ୍ପାନୀଗୁଡ଼ିକ ପ୍ରାୟ ୨.୭ କୋଟି ଡଲାର ଦେବାକୁ ସହମତି ପ୍ରକାଶ କରିଛନ୍ତି ।
କେଉଁ କମ୍ପାନୀ କେତେ ଟଙ୍କା ଦେବେ ?
ଅଦାଲତର ଦସ୍ତାବିଜ୍ ଅନୁଯାୟୀ, ଆମେରିକାର କେଣ୍ଟକିରେ ଥିବା ଏକ ସ୍କୁଲ ଜିଲ୍ଲା (ସ୍କୁଲ ଡିଷ୍ଟ୍ରିକ୍ଟ)କୁ ଏହି ଅର୍ଥ ପ୍ରଦାନ କରାଯିବ । ବୁଝାମଣା ମୁତାବକ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ନିମ୍ନମତେ ଜରିମାନା ଭରିବେ:
ମେଟା: ସବୁଠାରୁ ଅଧିକ ୯୦ ଲକ୍ଷ ଡଲାର ଦେବ ।
ବାଇଟ୍ଡାନ୍ସ (ByteDance - ଟିକଟକ): ୮୦ ଲକ୍ଷ ଡଲାର ପ୍ରଦାନ କରିବ ।
ସ୍ନାପଚାଟ୍: ୮୦ ଲକ୍ଷ ଡଲାର ଦେବାକୁ ରାଜି ହୋଇଛି ।
ଗୁଗଲ-ୟୁଟ୍ୟୁବ୍: ୨୦ ଲକ୍ଷ ଡଲାର ନଗଦ ଟଙ୍କା ଦେବା ସହ ୯ ଲକ୍ଷ ଡଲାର ମୂଲ୍ୟର ସ୍ୱତନ୍ତ୍ର ସଫ୍ଟୱେର୍ ଲାଇସେନ୍ସ ଏବଂ ଟ୍ରେନିଂ ସୁବିଧା ଯୋଗାଇଦେବ ।
ଶିକ୍ଷା ବିଭାଗକୁ କାହିଁକି ମିଳୁଛି ଏହି କୋଟି କୋଟି ଟଙ୍କା ?
ଏହି ମାମଲା ଆମେରିକାର ପୂର୍ବ କେଣ୍ଟକିର ଏକ ଗ୍ରାମୀଣ ଅଞ୍ଚଳରେ ଥିବା ‘ବ୍ରାଥୀଟ୍ କାଉଣ୍ଟି ସ୍କୁଲ ଡିଷ୍ଟ୍ରିକ୍ଟ’ ପକ୍ଷରୁ ଦାୟର କରାଯାଇଥିଲା । ସାରା ଦେଶରେ ଦାୟର ହୋଇଥିବା ପ୍ରାୟ ୧,୨୦୦ରୁ ଅଧିକ ସମାନ ମାମଲା ମଧ୍ୟରୁ ଏହାକୁ ଏକ ‘ଟେଷ୍ଟ କେସ୍’ ଭାବେ କୋର୍ଟ ବାଛିଥିଲେ । ସ୍କୁଲ ବିଭାଗର ଅଭିଯୋଗ ଥିଲା ଯେ, ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଯୋଗୁଁ ପିଲାମାନେ ଅନିଦ୍ରା ରୋଗର ଶିକାର ହେଉଛନ୍ତି, ସେମାନଙ୍କ ମଧ୍ୟରେ ଆକ୍ରୋଶ ଓ ପରସ୍ପର ମଧ୍ୟରେ ବିବାଦ ବଢ଼ୁଛି ଏବଂ ସେମାନେ ଗଭୀର ମାନସିକ ଅବସାଦ ଆଡ଼କୁ ଗତି କରୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଏବଂ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ସ୍କୁଲରେ ଏକ ସ୍ୱତନ୍ତ୍ର ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚଲାଇବା ପାଇଁ ଶିକ୍ଷା ବିଭାଗ କମ୍ପାନୀଗୁଡ଼ିକଠାରୁ ୬ କୋଟି ଡଲାରରୁ ଅଧିକ କ୍ଷତିପୂରଣ ଦାବି କରିଥିଲା । କାଲିଫର୍ଣ୍ଣିଆର ଓକଲାଣ୍ଡ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବା ପୂର୍ବରୁ ହିଁ ଚାରୋଟିଯାକ କମ୍ପାନୀ ପଛଘୁଞ୍ଚା ଦେଇ ଏହି ବୁଝାମଣା କରିଛନ୍ତି । ତେବେ ବଡ଼ କଥା ହେଉଛି, ଏହି ଚୁକ୍ତିନାମାରେ କୌଣସି ବି କମ୍ପାନୀ ନିଜର ଭୁଲ୍ ସ୍ୱୀକାର କରିନାହାନ୍ତି । ଗୁଗଲ୍ ଟଙ୍କା ବଦଳରେ ସ୍କୁଲକୁ ଜଣେ ପ୍ରଫେସନାଲ ଟ୍ରେନିଂ କୋଚ୍ ଯୋଗାଇବ, ୩ ବର୍ଷ ପାଇଁ ‘ଗୁଗଲ୍ ଏଆଇ ଫର୍ ଏଜୁକେସନ୍’ ସଫ୍ଟୱେର୍ ଲାଇସେନ୍ସ ଦେବ ଏବଂ ୪ ବର୍ଷ ପାଇଁ ଏକ "ସୋସିଆଲ ଇମୋସନାଲ ଲର୍ଣ୍ଣିଂ" କାର୍ଯ୍ୟକ୍ରମ ପରିଚାଳନା କରିବାରେ ବୈଷୟିକ ସହାୟତା ପ୍ରଦାନ କରିବ ।
ଏହି ରାୟ କାହିଁକି ଗୁରୁତ୍ୱପୂର୍ଣ୍ଣ ?
ବିଶେଷଜ୍ଞଙ୍କ ମତରେ, ଏହି ସେଟଲମେଣ୍ଟ ବା ବୁଝାମଣା ପରେ ବାକି ଥିବା ୧,୨୦୦ରୁ ଅଧିକ ମାମଲାରେ ମଧ୍ୟ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ କ୍ଷତିପୂରଣ ଦେବା ପାଇଁ ଚାପ ବଢ଼ିବ । ଏହି ସମସ୍ତ ମାମଲାର ତଦାରଖ ପ୍ରସିଦ୍ଧ ବିଚାରପତି ଇଭୋନ୍ ଗୋଞ୍ଜାଲେଜ୍ ରୋଜର୍ସ କରୁଛନ୍ତି । କେବଳ ଏହି ମାମଲା ନୁହେଁ, ବରଂ ନିକଟରେ ଲସ୍ ଆଞ୍ଜେଲିସର ଏକ ଜୁରୀ ମଧ୍ୟ ମେଟା ଓ ଗୁଗଲକୁ ପିଲାଙ୍କ ମଧ୍ୟରେ "ସୋସିଆଲ ମିଡିଆ ନିଶା" ବଢ଼ାଇବା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ । ସେହିପରି ନ୍ୟୁ ମେକ୍ସିକୋର ଏକ ଅଦାଲତ ମେଟା କମ୍ପାନୀକୁ ୩୭.୫ କୋଟି ଡଲାର ଜରିମାନା କରିଥିଲେ, କାରଣ ଇନଷ୍ଟାଗ୍ରାମ ନାବାଳକମାନଙ୍କୁ ଅଶ୍ଳୀଳ ବିଷୟବସ୍ତୁ ଏବଂ ଯୌନ ଶୋଷଣ କରୁଥିବା ଅପରାଧୀଙ୍କ ସଂସ୍ପର୍ଶରେ ଆଣିବାରେ ସହଯୋଗ କରୁଥିଲା । ବର୍ତ୍ତମାନ ସୁଦ୍ଧା ଆମେରିକାର ୩୦ରୁ ଅଧିକ ରାଜ୍ୟ ମେଟା ବିରୋଧରେ ଏଭଳି ସମାନ ଅଭିଯୋଗ ଆଣି ଆଇନଗତ ଲଢ଼େଇ ଜାରି ରଖିଛନ୍ତି, ଯାହାର ଚୂଡ଼ାନ୍ତ ଶୁଣାଣି ଆଗାମୀ ଦିନରେ ହେବାକୁ ଯାଉଛି ।
ଆହୁରି ପଢ଼ନ୍ତୁ... CBSE Portal Issue: ସିବିଏସଇ ଉପରେ ବର୍ଷିଲେ ଛାତ୍ରଛାତ୍ରୀ; ଖୋଲୁନି ୱେବସାଇଟ୍, ଲଗ୍-ଇନ୍ ବେଳେ ‘ଭେରିଫିକେସନ୍ ଫେଲ୍’