ନୂଆଦିଲ୍ଲୀ ୧୯/୦୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଆଉ ଏକ ‘ଆଉଟ୍‌ ଅଫ୍‌ ଦ ବକ୍ସ’ ଚିନ୍ତାଧାରା ସାମ୍ନାକୁ ଆସିଛି । ସେ ଅନୁସାରେ ଏବେ ରିଆଲିଟି ଟିଭି ଶୋ’ ମାଧ୍ୟମରେ ବି ପ୍ରବାସୀମାନଙ୍କୁ ଆମେରିକାର ନାଗରିକତ୍ୱ ମିଳିପାରିବ । ଦେଶର ଗୃହ ମନ୍ତ୍ରଣାଳୟ ଏଥିଲାଗି ଏକ ଟିଭି ଶୋ’ ସଂପର୍କରେ ବିଚାର କରୁଛି । ଯୋଜନାଟି ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ ତାର ନାମ ‘ଦ ଆମେରିକାନ୍‌ ଶୋ’ ରହିପାରେ । ଏଥିରେ ବିଜୟୀ ପ୍ରତିଯୋଗୀଙ୍କୁ ଆମେରିକାର ନାଗରିକତ୍ୱ ପ୍ରଦାନ କରାଯିବ । 

ଏହି ନିଆରା ଟିଭି ଶୋ’ରେ ଭିନ୍ନ ଭିନ୍ନ ଦେଶରୁ ଆସିଥିବା ପ୍ରବାସୀମାନେ ଆମେରିକୀୟ ପରମ୍ପରା, ରୀତିନୀତି ଓ ଦେଶଭକ୍ତି ସହ ଜଡ଼ିତ ଟାସ୍କରେ ଭାଗ ନେବେ । ନେଟ୍‌ଫ୍ଲିକ୍ସରେ ଏହି ରିଆଲିଟି ଶୋ’ର ସିଧା ପ୍ରସାରଣ ବି କରାଯିବ । ପ୍ରୋଜେକ୍ଟ ‘ଦ ଆମେରିକାନ୍‌ ଶୋ’ର ପ୍ରଥମ ଅଧ୍ୟାୟରେ ୧୨ ଜଣ ପ୍ରତିଯୋଗୀ ସାମିଲ ହେବେ । ତାର ଅବଧି ୧ ଘଣ୍ଟା ରହିବ । ସେଥିରେ ପ୍ରତିଯୋଗୀଙ୍କୁ ୬ଟି ଟାସ୍କ କରିବାକୁ ହେବ । ସେଥିମଧ୍ୟରେ ସାନ୍‌ ଫ୍ରାନ୍‌ସିସ୍କୋରେ ଗୋଲ୍‌ଡ ମାଇନିଂ(ଖଣିରୁ ସୁନା ସଂଗ୍ରହ), ୱିସକନସିନ୍‌ରେ ଲଗ୍‌ ରୋଲିଂ(ନଦୀରେ ଗଛ ଗଣ୍ଡି ଉପରେ ଶକ୍ତି ସନ୍ତୁଳନର ପ୍ରଦର୍ଶନ), କଲରାଡୋରେ ରିଭର ରାଫ୍ଟିଂ(ନୌଚାଳନା), ଫ୍ଲୋରିଡାରେ ରକେଟ୍‌ ଆସେମ୍ବ୍ଲିଂ, ଡେଟ୍ରଏଟ୍‌ରେ ଫୋର୍ଡର ୧୯୧୪ର ଆଇକନିକ୍‌ ଟି ମଡେଲ ଗାଡି଼ର ଆସେମ୍ବ୍ଲିଂ, କାନସାସ୍‌ରେ ଘୋଡ଼ାରେ ଡାକ ପହଞ୍ଚାଇବା ଭଳି ଟାସ୍କ ସାମିଲ । ଏହାଦ୍ୱାରା ପ୍ରତିଯୋଗୀମାନେ କେତେ ମାତ୍ରାରେ ଆମେରିକୀୟ ସଂସ୍କୃତିକୁ ଆପଣାଇ ପାରିଛନ୍ତି ତାହା ପରଖାଯିବ । 

ଶୋ’ରେ ମୋଟ କେତୋଟି ଅଧ୍ୟାୟ ରହିବ ସେଥିନେଇ ସ୍ପଷ୍ଟ ହୋଇନାହିଁ । ପ୍ରଥମ ଅଧ୍ୟାୟ ପରେ ପରବର୍ତ୍ତୀ ଅଧ୍ୟାୟଗୁଡି଼କରେ କେତେ ଜଣ ପ୍ରତିଯୋଗୀ ସାମିଲ ହେବେ ସେ ନେଇ ତଥ୍ୟ ବି ମିଳିପାରିନାହିଁ । ପ୍ରବାସୀଙ୍କୁ ପ୍ରଥମେ ଦ ସିଟିଜେନ୍‌ ଶିପ୍‌ରେ ବସାଇ ନ୍ୟୁୟର୍କର ବିଶ୍ୱ ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଥିବା ଏଲିସ ଆଇଲାଣ୍ଡ ନିଆଯିବ । ସେଠାରେ ବିଳାସବହୁଳ ବଙ୍ଗଳାରେ ସେମାନଙ୍କୁ ରଖାଯିବ । ସେହିଠାରେ ଇନ୍‌ ହାଉସ୍‌ ଆକ୍ଟିଭିଟି ହେବ । ସିଜନ୍‌ର ପ୍ରତି ଅଧ୍ୟାୟରେ ହେରିଟେଜ ଚାଲେଞ୍ଜ, ଏଲିମିନେସନ୍‌ ଚାଲେଞ୍ଜ, ଟାଉନ୍‌ ହଲ ମିଟିଂ ଓ ଫାଇନାଲ୍‌ ଭୋଟିଂ ପରି ପର୍ଯ୍ୟାୟ ରହିବ । ଏହି ପର୍ଯ୍ୟାୟସବୁ ଖୁବ୍‌ ଚାଲେଞ୍ଜିଂ ହେବ । ସେହିପରି ପ୍ରତିଯୋଗୀମାନେ ବିଭିନ୍ନ ଅଞ୍ଚଳ ବୁଲି ସେହି ଅଞ୍ଚଳ ଭିତ୍ତିକ ସାଂସ୍କୃତିକ ଟାସ୍କରେ ବି ଭାଗ ନେବେ । ଶୋ’ର ପ୍ରଥମ ୩ ଜଣ ବିଜେତାଙ୍କୁ ପୁରସ୍କାର ମଧ୍ୟ ମିଳିବ । ବିଜେତାଙ୍କୁ ୧୦ ଲକ୍ଷ ଆମେରିକୀୟ ଏୟାରଲାଇନ୍ସ ପଏଣ୍ଟସ, ୧୦ ଲକ୍ଷ ଟଙ୍କାର ଷ୍ଟାରବକ୍ସ ଉପହାର କାର୍ଡ ଓ ଆମେରିକାର ୭୬ଟି ପେଟ୍ରୋଲ ପମ୍ପରୁ ଆଜୀବନ ମାଗଣା ତେଲ ଭରିବାର ସୁବିଧା ପ୍ରଦାନ କରାଯିବ ।