ନୂଆଦିଲ୍ଲୀ, ୨୩/୧୧: ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ପୂର୍ବରୁ ଗିରଫ ହୋଇଥିବା ଅଲଫଲହା ୟୁନିଭର୍ସିଟିର ଡାକ୍ତର ମୁଜମ୍ମିଲ୍ ଶକିଲର ଜେରା ରିପୋର୍ଟ ସାମ୍ନାକୁ ଆସିଲା । ବିସ୍ଫୋରଣକୁ ନେଇ ଗୋଟି ଗୋଟି ସତ କହିଛି ଅଭିଯୁକ୍ତ । ସେ କାଶ୍ମୀରର ପୁଲଓ୍ବାମା ଅଞ୍ଚଳର ବାସିନ୍ଦା । ଗିରଫ ପରେ ନଭେମ୍ବର ୧୦ ତାରିଖରେ ଶ୍ରୀନଗରର ପନ୍ଥଚୌକ ଥାନାରେ ପଚରାଉଚରା କରାଯାଇଥିଲା । ଜେରା ବେଳେ ଭାରତ ବିରୋଧୀ ବିଷ ଓଗାଳିଥିଲା ଡାକ୍ତର ମୁଜମ୍ମିଲ୍ ଶକିଲ୍ ।
କିପରି ଆତଙ୍କବାଦ ରାସ୍ତା ବାଛିଲା ଡାକ୍ତର ମୁଜମ୍ମିଲ୍ ?
ଫରିଦାବାଦର ଅଲଫଲାହ ହସ୍ପିଟାଲ୍ରେ ସେ ଚିଫ୍ ମେଡିକାଲ୍ ଅଫିସର୍ ଭାବେ କାମ କରୁଥିଲେ । ବାର୍ଷିକ ୯ ଲକ୍ଷରୁ ଅଧିକ ଟଙ୍କା ଉପାର୍ଜନ କରୁଥିଲେ । ୨୦୨୧ରେ ତାଙ୍କ ବନ୍ଧୁ ମୁଫ୍ତି ଇରଫାନ୍ ୱାଗେ ତାଙ୍କୁ ଆତଙ୍କୀ ଗତିବିଧି ଦିଗରେ ଉସୁକାଇଥିଲା । ଅନ୍ୟ ଜଣେ ମିତ୍ର ମୁଜାମିଲ୍ ତନ୍ତ୍ରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ୍ ହେବାକୁ କହିଥିଲା । ବିସ୍ଫୋରଣ ପାଇଁ ୨୦୨୩-୨୪ ମଧ୍ୟରେ IED ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା କରୁଥିଲା ଅଭିଯୁକ୍ତ ଫେରାର ଡାକ୍ତର ଉମର ନବୀ । ଏଥିପାଇଁ ଟଙ୍କା ଯୋଗାଡ଼ରେ ଅନେକ ଲୋକ ଲାଗିଥିଲେ ।
ଆତଙ୍କୀ କାର୍ଯ୍ୟ ପାଇଁ ୨୬ ଲକ୍ଷ ଟଙ୍କାର ଚନ୍ଦା:
ଯାଞ୍ଚ ଏଜେନ୍ସିର ତଦନ୍ତ ରିପୋର୍ଟରୁ ପ୍ରକାଶ ପାଇଛି ଯେ ଆତଙ୍କୀ କାର୍ଯ୍ୟ ପାଇଁ ୨୬ ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ଅଭିଯୁକ୍ତ ଡାକ୍ତର ଶକିଲ ୫ଲକ୍ଷ ଟଙ୍କା ଚାନ୍ଦା ବାବଦକୁ ଦେଇଥିଲା । ସେହିପରି ଡାକ୍ତର ଉମର ୨ ଲକ୍ଷ ଟଙ୍କା, ଡାକ୍ତର ମୁଜଫର୍ ରଦର ୬ ଲକ୍ଷ ଟଙ୍କା, ଡାକ୍ତର ଶାହିନ୍ ଶାହିଦ ୫ ଲକ୍ଷ ଟଙ୍କା ଦାନ କରିତିଲେ । ଆତଙ୍କୀ କାର୍ଯ୍ୟପାଇଁ ମୋଟ୍ ୨୬ ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ମୁଜମ୍ମିଲ୍ ସ୍ବୀକାର କରିଛି ଯେ ସେ ଗୁରୁଗାଓଁ ଓ ନୁହଁରୁ ୨୬ କ୍ୱିଣ୍ଟାଲ୍ ଆମୋନିୟମ୍ ନାଇଟ୍ରେଡ୍ ସାର କିଣିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । ଏହି ସବୁ IED ତିଆରି ପାଇଁ ରଖାଯାଇଥିଲା।
ଟଙ୍କାକୁ ନେଇ ବିବାଦ ଲାଗିଥିଲା:
ମୁଜମ୍ମିଲ୍ ଓ ଉମରଙ୍କ ମଧ୍ୟରେ ଟଙ୍କାକୁ ନେଇ ବିବାଦ ହୋଇଥିଲା । ମୁଜମ୍ମିଲ୍ ଚାହୁଁଥିଲେ ଯେ ଟଙ୍କା ତାଙ୍କୁ ଫେରସ୍ତ ଦିଆଯାଉ କିମ୍ବା IED ସାମଗ୍ରୀ ସମ୍ପୂର୍ଣ୍ଣ ତାଙ୍କ ପାଖରେ ରହୁ । ଗ୍ରୁପ୍ ଦ୍ୱାରା ଦ୍ୱିତୀୟ ବିକଳ୍ପ ଚୟନ ହେଲା ଓ ସମସ୍ତ ସାମଗ୍ରୀ ମୁଜମ୍ମିଲ୍ଙ୍କୁ ଦିଆଯାଇଲା। ମୁଜ୍ଜାମିଲ୍ ଶକିଲ୍ ଗିରଫ ହେବା ପରେ ଏସବୁ ସାମଗ୍ରୀ ଜବତ କରାଯାଇଛି ।
ଶାହିନ୍ର ଗାଡିରୁ ଅସ୍ତ୍ର ମିଳିଥିଲା:
ବିବାଦର ସମାଧାନ ପାଇଁ ଉମର ୩ ମାସ ପୂର୍ବେ ‘ସିଗ୍ନାଲ୍’ ଆପ୍ରେ ଏକ ଗ୍ରୁପ୍ ତିଆରି କରିଥିଲା, କିନ୍ତୁ ବିବାଦ ଥମି ନଥିଲା । ଶାହିନ୍ଙ୍କ ଗାଡ଼ିରୁ ୧ Krinkov ରାଇଫଲ୍ ଏବଂ ୧ ପିଷ୍ଟଲ୍ ମିଳିଥିଲା, ଯାହାକୁ ଉମର ୨୦୨୪ରେ ଇରଫାନ୍କୁ ଦେଇଥିଲା । ପରେ ବିବାଦ ଯୋଗୁ ମୁଜମ୍ମିଲ୍ ଏହି ଅସ୍ତ୍ରଗୁଡ଼ିକୁ ମଧ୍ୟ ନିଜ ପାଖରେ ରଖିଥିଲା । ତେବେ ଡାକ୍ତର ମୁଜମ୍ମିଲ୍ଙ୍କୁ ଅଲଫଲହା ହସ୍ପିଟାଲ୍ର କ୍ୟାଜୁଆଲ୍ଟି ବିଭାଗରୁ ଡ୍ୟୁଟି ବେଳେ ଗିରଫ କରିଥିଲା ପୁଲିସ ।