ନୂଆଦିଲ୍ଲୀ,୧୭/୧୨ :  ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼-କେନ୍ଦୁଝର, ଗୋରୁମହିଷାଣୀ-ବାଙ୍ଗିରିପୋଷୀ ଏବଂ ବୁଢ଼ାମରା-ଚାକୁଲିଆ ରେଳ ଲାଇନ ନିର୍ମାଣ ପାଇଁ ବର୍ତ୍ତମାନ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ପ୍ରକ୍ରିୟା ଜାରି ରହିଥ‌ିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ଲୋକସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜରେ ବିଶ୍ବର ଅନ୍ୟତମ ପ୍ରାକୃତିକ ଐତିହ୍ୟ ଶିମିଳିପାଳ ଅଭୟାରଣ୍ୟ ରହିଛି ଏବଂ ଓଡ଼ିଶାର ଏହି ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଏଠାରେ ରେଳ ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ପ୍ରୟାସ ଜାରି ରଖୁଛନ୍ତି । ବର୍ତ୍ତମାନ ଜିଲ୍ଲାରେ ତିନୋଟି ଷ୍ଟେସନର ଉନ୍ନତିକରଣ କରାଯାଉଛି ଏବଂ ଉପରୋକ୍ତ ତିନୋଟି ରେଳ ଲାଇନକୁ ମଞ୍ଜୁରି ମିଳିଛି । ଦୀର୍ଘ ୫୦ରୁ ୬୦ବର୍ଷ ଧରି ଏହି ତିନୋଟି ରେଳଲାଇନ ପ୍ରକଳ୍ପ କାମ ବିଳମ୍ବିତ ହୋଇପଡ଼ି ରହିଥୁଲା ଏବଂ ବହୁ ଦିନରୁ ଏଥିପାଇଁ ଦାବି ହୋଇ ଆସୁଥିଲା । ବର୍ତ୍ତମାନ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ବହୁତ ଭଲ ସହଯୋଗ ମିଳୁଛି। ଖୁବଶୀଘ୍ର ସମସ୍ତ ଜଙ୍ଗଲ ଅନୁମତି ଏବଂ ଜମି ଅଧିଗ୍ରହଣ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ମଞ୍ଜୁରି ମିଳିବା ପରେ ରେଳ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ମୟୂରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବାଦାମପାହାଡ଼-କେନ୍ଦୁଝର, ଗୋରୁମହିଷାଣୀ-ବାଙ୍ଗିରିପୋଷୀ

ବୁଢ଼ାମରା-ଚାକୁଲିଆ ରେଳ ଲାଇନ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ

ଜଙ୍ଗଲ ଅନୁମତି କାମ ଜାରି ରହିଛି

ବାରିପଦା ଷ୍ଟେସନ ପୁନର୍ବିକାଶ କାମ ଶେଷ ପର୍ଯ୍ୟାୟରେ

ବାଦାମପାହାଡ଼ ଏବଂ ରାଇରଙ୍ଗପୁର ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ପ୍ରାୟ ୭କୋଟି ଟଙ୍କାର ନିବେଶ ସହ ବାରିପଦା ଷ୍ଟେସନର ପୁନର୍ବିକାଶ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ୧୨କୋଟି ଟଙ୍କା ବ୍ୟୟରେ ବାଦାମପାହାଡ଼ ଷ୍ଟେସନ ପୁନିର୍ବିକାଶ କାମ ଜାରି ରହିଛି । ଷ୍ଟେସନର ଅଟ୍ଟାଳିକା, ପ୍ଲାଟଫର୍ମ, ଚଳପ୍ରଚଳ ସ୍ଥାନ, ସମ୍ପ୍ରସାରିତ କ୍ଷେତ୍ରର ବିକାଶ କାମ କରାଯାଉଛି। ଏହାସହିତ ୭କୋଟି ଟଙ୍କା ବିନିଯୋଗ କରି ରାଇରଙ୍ଗପୁର ଷ୍ଟେସନର ଅଟ୍ଟାଳିକା, ପ୍ଲାଟଫର୍ମ, ସଂଯୋଗ ରାସ୍ତା, ଆଲୋକିକରଣ କାମ କରାଯାଉଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଶ୍ବର ସବୁଠୁ ବଡ଼ ରେଳଷ୍ଟେସନ ପୁନର୍ବିକାଶ କାର୍ଯ୍ୟକ୍ରମ ଅମୃତ ଭାରତ ଯୋଜନା ଅଧୀନରେ ଓଡ଼ିଶାର ୫୯ଟି ଷ୍ଟେସନର ପୁନର୍ବିକାଶ କାମ ଚାଲିଥିବା କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ।