ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ସମବାୟ ଋଣରେ ଆସିଲା ସଂସ୍କାର, ୯ ପ୍ରକାର ଋଣ ପାଇଁ ନୀତି ନିର୍ଦ୍ଧାରଣ

Published By : Prameya | May 10, 2025 1:55 PM

ଭୁବନେଶ୍ୱର,୧୦/୦୫: ରାଜ୍ୟରେ ଦିଆଯାଉଥିବା ବିଭିନ୍ନ ସମବାୟ ଋଣରେ ଆସିଲା ସଂସ୍କାର । ବିଶେଷ କରି ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) କେଉଁ ଋଣ ପାଇଁ  କେତେ ଟଙ୍କା ଦେଇପାରିବ, ତାହା ନିର୍ଦ୍ଧାରଣ କରାଯାଇଛି । ସେହିପରି  କେଉଁ ଋଣ ବାବଦରେ କେତେ ଟଙ୍କା ଜିଲ୍ଲା କେନ୍ଦ୍ରୀୟ ସମବାୟ  ବ୍ୟାଙ୍କ(ଡିସିସିବି) ଦେଇପାରିବ, ତାହା ମଧ୍ୟ ସ୍ଥିର ହୋଇଛି । ଏହିପରି ୯  ପ୍ରକାର ଋଣ ଓ ୩ଟି ଜମା ବାବଦରେ  ସମବାୟ ବିଭାଗ ନୀତି ଚୂଡ଼ାନ୍ତ କରିଛି । 

ନୂଆ ଯୋଜନା ଅନୁସାରେ କୁକୁଡ଼ା ଓ ବତକ ଫାର୍ମ ପାଇଁ ପାକ୍ସ ଓ  ଲାମ୍ପ୍‌ସଗୁଡିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଇପାରିବେ । ଏଥିରେ ସବ୍‌ସିଡି ଟଙ୍କା ରହିବା ସହ ଡିସିସିବିର ଅନୁମତି ବାଧ୍ୟତାମୂଳକ । ତେବେ ଡିସିସିବି ସିଧାସଳଖ କୁକୁଡ଼ା ଓ ବତକ ଫାର୍ମ  ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଇପାରିବ । ୫୦ ଲକ୍ଷରୁ ଅଧିକ  ଋଣ ପାଇଁ ଓଡ଼ିଶା ରାଜ୍ୟ ସମବାୟ  ବ୍ୟାଙ୍କରୁ ଅନୁମତି ନେବାକୁ ପଡିବ ।  

ଏଣିକି ସମବାୟ ବ୍ୟାଙ୍କ ସ୍କୁଟର,  ମୋଟରସାଇକେଲ୍‌ ସମେତ ବ୍ୟାଟେରୀ  ଚାଳିତ ଦୁଇ ଚକିଆ ଯାନ ପାଇଁ ଋଣ  ପ୍ରଦାନ କରିବେ । ହେଲେ ଏହି ଋଣ  ପ୍ରଦାନ ପାଇଁ ଆର୍‌ଟିଓ ପଞ୍ଜୀକରଣ  ବାଧ୍ୟତାମୂଳକ । ୨୧ରୁ ୬୦ ବର୍ଷର  ବ୍ୟକ୍ତିଙ୍କୁ ଏହି ଋଣ ମିଳିପାରିବ । ବାର୍ଷିକ  ୨ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି  ଏହି ଋଣ ନେଇପାରିବେ । ୫୦ ହଜାର  ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ  ଡିସିସିବି ଦେଇପାରିବେ । ମାତ୍ର ୫ଲକ୍ଷରୁ  ଅଧିକ ହେଲେ ଓଡ଼ିଶା ରାଜ୍ୟ ସମବାୟ  ବ୍ୟାଙ୍କରୁ ଅନୁମତି ନେବାକୁ ପଡିବ ।  

ଅପରପକ୍ଷେ, ଅଟୋ ରିକ୍ସା,  ଟ୍ୟାକ୍ସି, ଇ-ରିକ୍ସା ସମେତ ବିଭିନ୍ନ  ପ୍ରକାର ବ୍ୟାବସାୟିକ ଯାନ(ହାଲୁକା  ଓ ଭାରୀ) ବାବଦରେ ମଧ୍ୟ ସମବାୟ  ବ୍ୟାଙ୍କ ଋଣ ପ୍ରଦାନ କରିବ । ଜଣେ  ବ୍ୟକ୍ତି କିମ୍ବା ଭାଗିଦାରୀ ସଂସ୍ଥା, ସମବାୟ  ସଂସ୍ଥା ଓ କର୍ପୋରେଟ୍‌ ସଂସ୍ଥାକୁ ଏ  ବାବଦରେ ସର୍ବାଧିକ ୪୦ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ଋଣ ମିଳିପାରିବ । ପୁରୁଣା  ଯାନ ବାବଦରେ ମଧ୍ୟ ଋଣ ଦିଆଯିବ ।  ଏହା ବ୍ୟତୀତ ଟ୍ରାକ୍ଟର, ପାୱାର ଟିଲର୍‌,  ଟ୍ରେଲର୍‌, କମ୍ବାଇନ୍‌ଡ ହାରଭେଷ୍ଟର୍‌,  ଗ୍ରେନ୍‌ ଥ୍ରେସର୍‌, ସ୍ପ୍ରେୟାର୍‌, ଡଷ୍ଟର୍‌,  କଳଲଙ୍ଗଳ, ଡ୍ରିଲ୍‌ସ ସମେତ ବିଭିନ୍ନ  କୃଷି ଯନ୍ତ୍ରପାତି କିଣି ବ୍ୟବସାୟ  କରିବା ଲାଗି ଋଣ ମିଳିବ । ଏହି  ଋଣ ନେବା ବେଳେ ୨ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ସୁଧ ଦେବାକୁ ପଡିବ ନାହିଁ ।  ୨ ଲକ୍ଷରୁ ଅଧିକ ଟଙ୍କା ଋଣ ନେଲେ  ୧୫-୨୫% ସୁଧ ଦେବାକୁ ପଡିବ ।  

ଗୋଶାଳା ପ୍ରତିଷ୍ଠାଠୁ ଆରମ୍ଭ  କରି ଉନ୍ନତମାନର ଗୋପାଳନ ପାଇଁ  ମଧ୍ୟ ଋଣ ମିଳିବ । ଏ ନେଇ ପାକ୍ସ ଓ  ଲାମ୍ପ୍‌ସଗୁଡିକ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ  ଦେଇପାରିବେ । ଡିସିସିବି ସିଧାସଳଖ  ୫୦ ଲକ୍ଷ ପର୍ଯ୍ୟନ୍ତ ଋଣ ଦେଇପାରିବ ।  ୫୦ ଲକ୍ଷରୁ ଅଧିକ ହେଲେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରୁ ଅନୁମତି  ନେବାକୁ ପଡିବ । ଏହାବ୍ୟତୀତ ମତ୍ସ୍ୟ  ଚାଷ ଋଣ, କ୍ଷୁଦ୍ର ଜଳସେଚନ ଋଣ, ଉପଭୋକ୍ତା ସ୍ଥାୟୀ ଋଣ, ନଗଦ ଓ ବକେୟା ଋଣ, ପରିବହନ ଯୋଜନାରେ  ଋଣ ପାଇଁ ନୂଆ ନୀତି ନିର୍ଦ୍ଧାରଣ  କରାଯାଇଛି । ଏହାବାଦ୍‌ ସମବାୟ  ବ୍ୟାଙ୍କଗୁଡିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନା ଋଣ ମଧ୍ୟ ଦେଇପାରିବେ । ଏ  ନେଇ ରାଜ୍ୟ ସମବାୟ ନିବନ୍ଧକ  ରାଜ୍ୟରେ ଥିବା ସମସ୍ତ ଜିଲ୍ଲା କେନ୍ଦ୍ରୀୟ  ସମବାୟ ବ୍ୟାଙ୍କ ଓ ଅର୍ବାନ ସମବାୟ  ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ  ଚିଠି ଲେଖି ଆବଶ୍ୟକ ପଦକ୍ଷେପ  ନେବାକୁ ଅନୁରୋଧ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.