ଭୁବନେଶ୍ୱର, ୨୨/୦୭ (ବ୍ୟୁରୋ): ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟଗୁଡ଼ିକର ନାମକୁ ପରିବର୍ତ୍ତନ କରାଯାଇଛି । ଏଣିକି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବଦଳରେ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ଲେଖାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ନମ୍ବର ୧୯୦୨୧ ଅନୁଯାୟୀ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ରହିଛି । ଏସବୁ ଗୁଡ଼ିକର ନାମ ପୂର୍ବରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ସମ୍ବଲପୁର ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ବ୍ରହ୍ମପୁର ଉଲ୍ଲେଖ କରାଯାଉଥିଲା । ଏସବୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହିଛି ।

ଅଧିକ ପନ୍ତୁ :- Ekamra Project : ମୁହଁ ମାଡ଼ି ପଡ଼ିଛି ଏକାମ୍ର ପ୍ରକଳ୍ପ, ୯ଟିରୁ ବନ୍ଦ କରିଦେଲେ ୫ଟି ପ୍ରକଳ୍ପ, ବିନ୍ଦୁସାଗର ପରିକ୍ରମା ଓ ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ହେବନି

ଏବେ ଆଉ କେବଳ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଉଲ୍ଲେଖ ନହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ବୋଲି ଉଲ୍ଲେଖ କରାଯିବ । ଏହା ମଧ୍ୟ କୁହାଯାଇଛି ଯେ ସରକାରୀ ରେକର୍ଡ, ବିଜ୍ଞପ୍ତି, ନିର୍ଦ୍ଦେଶନାମା, ନିୟମ, ଅଧିନିୟମ, ମାନୁଆଲ୍ସ, ସର୍ଭିସ୍ ରେକର୍ଡ୍ସ ଆଦି କାର୍ଯ୍ୟାଳୟ ନଥିପତ୍ରରେ ଏହି ନୂଆ ନାମକୁ ସ୍ଥାନିତ କରାଯିବ । ଏଥିରେ ଆଗରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟମାନଙ୍କର କ୍ଷମତା ରହିଥିଲା ତାହା ଜାରି ରହିବ । ଡ୍ୟୁଟି, କ୍ଷମତା, ଦାୟିତ୍ୱ, ଅଧୀନ, କାର୍ଯ୍ୟ ଆଦି ସମାନ ଭାବେ ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ । ଏପରିକି ଆଗାମୀ ଦିନରେ ଏନେଇ ସରକାରୀ ଗେଜେଟ୍ ଆସିବ ।