କୋଣାର୍କ, ୧୫/୧୦: ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ତୃଣମୂଳସ୍ତରରେ ସଚେତନତା କାର୍ଯ୍ୟକ୍ରମ । ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ବୁଧବାର କୋଣାର୍କ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଛି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏହି  କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ସାମ୍ୱାଦିକ ଯୋଗ ଦେଇ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ସହ ସେଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ଏବଂ ଝାଡ଼ଖଣ୍ଡ ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ(ଏଡିଜି) ତଥା ଅତିରିକ୍ତ ପ୍ରେସ୍‌ ରେଜିଷ୍ଟ୍ରାର ଜେନେରାଲ ଅଖିଳ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ଗଣମାଧ୍ୟମକୁ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ରୂପେ ଅଭିହିତ କରିଛନ୍ତି। ସେ କହିଛନ୍ତି, ଲୋକସମ୍ପର୍କ ସ୍ଥାପନ କରିବା ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ସବୁବେଳେ ଭଲ ଯୋଗାଯୋଗକାରୀଙ୍କର ଆବଶ୍ୟକତା ରହିଛି । ସାମାଜିକ ସମସ୍ୟାର ସମାଧାନ କରିବା ଏବଂ ବକାଶକୁ ତ୍ୱରାନ୍ୱିତ କରିବା ଲାଗି ଦ୍ୱିପାକ୍ଷିକ ଯୋଗାଯୋଗ ଏବଂ ପାରସ୍ପରିକ ମତବିନିମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏଡିଜି କହିଛନ୍ତି। ଏଭଳି ସ୍ଥିତିରେ ବାର୍ତ୍ତାଳାପ ଭଳି କାର୍ଯ୍ୟକ୍ରମର ଆୟୋଜନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଭୁବନେଶ୍ୱର ସିଜିଏସଟି ଯୁଗ୍ମ ଆୟୁକ୍ତ ଡି କଲ୍ୟାଣ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରରେ ପରବଜର୍ତ୍ତୀ ପିଢିର ଜିଏସଟି  ସଂସ୍କାର ଏବଂ ଏହାର ଲାଭ’’ ସମ୍ପର୍କରେ ମତ ରଖିଥିଲେ । ସେ କହିଥିଲେ, ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିକଟରେ ବସ୍ତୁ ଓ ସେବା କର (ଜିଏସଟି) ଦରକୁ ଯୁକ୍ତିସଂଗତ କରିଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଗତ ସେପ୍ଟେମ୍ୱର ୨୨ ତାରିଖ ଠାରୁ ଲାଗୁ ହୋଇଛି। ନୂଆ ଜିଏସଟି ଦର ଦେଶର ଗରିବ ଏବଂ ମଧ୍ୟବିତ୍ତ ବର୍ଗ ସମେତ ସବୁ ବର୍ଗର ଲୋକଙ୍କୁ ଲାଭ ଦେବ । ଏହା ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହିତ କରିବ । ଜିଏସଟି କମିବା ଫଳରେ ବିଭିନ୍ନ ସାମଗ୍ରୀର ଦର ହ୍ରାସ ପାଇଛି । ଏହା ବ୍ୟବହାର  ଏବଂ ଉତ୍ପାଦନ ବଢ଼ାଇବା ସହିତ ଦେଶର ଜିଡିପି ବିକାଶରେ ଯୋଗଦାନ ଦେବ ବୋଲି ଡି କଲ୍ୟାଣ ଚକ୍ରବର୍ତ୍ତୀ ରହିଛନ୍ତି । ଏହି ଅବସରରେ ସେ ଜିଏସଟି ଟିକସ ହାରରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ବରିଷ୍ଠ ସାମ୍ୱାଦିକ ତଥା ଦୈନିକ ସମୟର ମୁଖ୍ୟ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ତାଙ୍କ ବକ୍ତବ୍ୟରେ ମାତୃ ଭାଷାର ଗୁରୁତ୍ୱ ଏବଂ ଆଞ୍ଚଳିକ ଭାଷାରେ ସମ୍ୱାଦପତ୍ରର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ସେ ଜିଏସଟି ସଂସ୍କାର ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ମତ ରଖିଥିଲେ। ବିଶେଷ କରି କୃଷି ଏବଂ ମତ୍ସ୍ୟପାଳନ କ୍ଷେତ୍ରରେ ପ୍ରଣୟନ ହୋଇଥିବା  ଯୋଜନା ଓଡ଼ିଶାର ଚାଷୀ ଏବଂ ମତ୍ସ୍ୟଜୀବୀଙ୍କୁ ଲାଭ ଦେଉଥିବା ସେ କହିଥିଲେ। ଏସବୁ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଗୁରୁକଲ୍ୟାଣ ମହାପାତ୍ର କହିବା ସହିତ ବିକାଶ ମୂଳକ ସାମ୍ୱାଦିକତା ଉପରେ ଉପରେ ଗୁରୁତ୍ୱ ଦେବାକୁ ସାମ୍ୱାଦିକମାନଙ୍କୁ ପରାମର୍ଶ ଦେଇଥିଲେ ।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ତଥା ବାର୍ତ୍ତାଳାପର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବାର୍ତ୍ତାଳାପର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ । ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ କର୍ମଶାଳାର ଉଦଘାଟନୀ ପର୍ଯ୍ୟାୟକୁ ପରିଚାଳନା କରିଥିଲେ। ସିବିସି ଭୁବନେଶ୍ୱରର କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।  ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶ ଗ୍ରହଣ କରି ଅଧିକାରୀଙ୍କ ସହିତ ବିଭିନ୍ନ ଯୋଜନା ଓ ଗଣମାଧ୍ୟମ ସହ ଜଡ଼ିତ ପ୍ରସଙ୍ଗରେ ମତ ବିନିମୟ କରିଥିଲେ ।