ଭୁବନେଶ୍ୱର,୨୮/୧୨ : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ଜାନୁଆରୀ-୨୫ ଶିକ୍ଷା ସତ୍ର ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା ଓ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ଜାନୁଆରୀ ୩୧ ତାରିଖ ଯାଏ ଚାଲୁ ରହିବ । ଏ ନେଇ ଇଗ୍ନୋର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । 

ସ୍ନାତକ (କଳା, ବିଜ୍ଞାନ, ବାଣିଜ୍ୟ)ର ସାଧାରଣ ବିଭାଗରେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଦେୟ ଓ ପୁନଃ ପଞ୍ଜୀକରଣ ଦେୟ ଛାଡ଼ କରାଯାଇଛି । ମାତ୍ର ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତି ସୁବିଧା ପାଉଥିବେ ସେମାନେ ଏହି ରିହାତି ପାଇବାରୁ ଯୋଗ୍ୟ ହେବେ ନାହିଁ ବୋଲି ଇଗ୍ନୋ ପକ୍ଷରୁ କୁହାଯାଇଛି । ଚଳିତ ଜାନୁଆରୀ ଶିକ୍ଷାବର୍ଷଠାରୁ ନୂତନ ଭାବେ ଆରମ୍ଭ ହୋଇଥିବା ସ୍ନାତକୋତ୍ତର ଓ ବ୍ୟାଚଲର ଅଫ୍‌ ସାଇନ୍ସ ପ୍ରୋଗ୍ରାମରେ ମଧ୍ୟ ନାମଲେଖା ହେବ । ଏ ନେଇ ସମସ୍ତ ସୂଚନା ଇଗ୍ନୋ ୱେବ୍‌ସାଇଟ୍‌ www.ignou.ac.inରେ ଉପଲବ୍ଧ ରହିଛି । କୌଣସି ଅସୁବିଧା ହେଲେ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରର ଯୋଗାଯୋଗ ନମ୍ବର ୦୬୭୪- ୨୯୭୧୦୭୧/୨୩୦୧୩୪୮ରେ ଯୋଗାଯୋଗ କରିବାକୁ ଇଗ୍ନୋ ପକ୍ଷରୁ ପରାମର୍ଶ ଦିଆଯାଇଛି ।