ନୂଆଦିଲ୍ଲୀ,୧୫/୧୧ : ଡିଜ୍‌ନୀ ଏବଂ ରିଲାଏନ୍ସ ଏଣ୍ଟର୍‌ଟେନ୍‌ମେଣ୍ଟ ଏବେ ମିଶିଯାଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଭାୟକମ-୧୮ ଏବଂ ଡିଜ୍‌ନୀ ଇଣ୍ଡିଆ ଗୁରୁବାର ଏହାର ଘୋଷଣା କରିଛନ୍ତି । ମିଶ୍ରଣ ପରେ ଗଠିତ ୭୦,୩୫୨ କୋଟିର ଯୌଥ ଉଦ୍ୟୋଗ ଦେଶର ସର୍ବବୃହତ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ କମ୍ପାନି ପାଲଟିଛି । ଡିଜ୍‌ନୀ-ରିଲାଏନ୍ସ ଏଣ୍ଟର୍‌ଟେନ୍‌ମେଣ୍ଟ ପାଖରେ ଏବେ ୨ ଓଟିଟି ଏବଂ ୧୨୦ ଚ୍ୟାନେଲ ସହ ୭୫ କୋଟି ଦର୍ଶକ ରହିବେ । ଏହି ଯୌଥ ଉଦ୍ୟୋଗ ପାଇଁ ରିଲାଏନ୍ସ ୧୧,୫୦୦ କୋଟି ଟଙ୍କା ନିବେଶ କରିଛି । ଉଭୟ କମ୍ପାନିଙ୍କ ମଧ୍ୟରେ ଚୁକ୍ତିକୁ ନେଇ ଗତ ବର୍ଷେ ହେବ ଆଲୋଚନା ଚାଲିଥିଲା । 

ଉଭୟ କମ୍ପାନି ଯୁଗ୍ମ ବିବୃତିରେ ପ୍ରକାଶ କରିଛନ୍ତି ଯେ, ଏ ଚୁକ୍ତି ୭୦,୩୫୨ କୋଟି ଟଙ୍କାରେ ହୋଇଛି । ମିଶ୍ରଣ ପରେ ଗଠିତ କମ୍ପାନିରେ ରିଲାଏନ୍ସର ୬୩.୧୬% ଏବଂ ଡିଜ୍‌ନୀର ୩୬.୮୪% ଅଂଶଧନ ରହିବ । ନୀତି ଅମ୍ବାନି ନୂଆ କମ୍ପାନିର ଅଧ୍ୟକ୍ଷା ହେବେ । ଉପାଧ୍ୟକ୍ଷ ହେବେ ଉଦୟ ଶଙ୍କର । ଉଭୟ କମ୍ପାନିକୁ ରଣନୀତିକ ପରାମର୍ଶ ଦେବେ ।  ଏହି ମିଶ୍ରଣ ଦ୍ୱାରା ଦେଶର ବହୁ ପ୍ରତିଷ୍ଠିତ ମିଡିଆ ବ୍ରାଣ୍ଡ ଗୋଟିଏ ପ୍ଲାଟ୍‌ଫର୍ମକୁ ଆସିଛନ୍ତି । ଏଥିମଧ୍ୟରେ ଟେଲିଭିଜନ ଜଗତର ବୃହତ୍‌ ବ୍ରାଣ୍ଡ୍‌ ଷ୍ଟାର ଏବଂ କଲର୍ସ ସହିତ ଜିଓ ସିନେମା ଏବଂ ହଟ୍‌ଷ୍ଟାର ଭଳି ଡିଜିଟାଲ ପ୍ଲାଟ୍‌ଫର୍ମ ରହିଛି । ଏଣ୍ଟର୍‌ଟେନ୍‌ମେଣ୍ଟ ଏବଂ ସ୍ପୋର୍ଟସ କ୍ଷେତ୍ରରେ ଦର୍ଶକଙ୍କୁ ବହୁବିଧ କଣ୍ଟେଣ୍ଟ ପ୍ରଦାନ କରିବା ଏହାର ଲକ୍ଷ୍ୟ । ଏହି ଯୌଥ ଉଦ୍ୟୋଗର ନେତୃତ୍ୱ ନେବେ ୩ ଜଣ ସିଇଓ । କେଭିନ ଭାଜ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ ଅର୍ଗାନାଇଜେସନ୍‌ର ପ୍ରମୁଖ ହେବେ । କିରଣ ମଣି ଡିଜିଟାଲ ଅର୍ଗାନାଇଜେସନ୍‌ର ଦାୟିତ୍ୱ ନେବେ । ସଂଯୋଗ ଗୁପ୍ତା ସ୍ପୋର୍ଟ ଅର୍ଗାନାଇଜେସନ୍‌ର ନେତୃତ୍ୱ ନେବେ । 

ଏ ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ, ଏହି ଯୌଥ ଉଦ୍ୟୋଗ ସହ ଭାରତୀୟ ମିଡିଆ ଏବଂ ଏଣ୍ଟର୍‌ଟେନ୍‌ମେଣ୍ଟ ଶିଳ୍ପରେ ବିପ୍ଳବ ଆସିବ । ଏହି ଯୌଥ ଉଦ୍ୟୋଗର ଭବିଷ୍ୟତକୁ ନେଇ ମୁଁ ଉତ୍ସାହିତ ଏବଂ ଏହାର ସଫଳତା କାମନା କରୁଛି । ଏହି ମେଗା ମିଶ୍ରଣରେ ଡିଜ୍‌ନୀ ଷ୍ଟାରର ୮୦ ଚ୍ୟାନେଲ ଏବଂ ରିଲାଏନ୍ସ ଭାୟକମ୍‌ ୧୮ର ୪୦ଟି ଚ୍ୟାନେଲ ଯୋଡ଼ି ହୋଇଯିବେ । ଅର୍ଥାତ୍‌ ମୋଟ ୧୨୦ଟି ଚ୍ୟାନେଲ ହୋଇଯିବ । ତେବେ କିଛି ଚ୍ୟାନେଲକୁ ବନ୍ଦ କରି ଦିଆଯାଇପାରେ । ଉଭୟଙ୍କ ପାଖରେ ଓଟିଟି ଆପ୍‌ ବି ଅଛି । ତାହା ହେଲା ଡିଜ୍‌ନୀ ହଟ୍‌ଷ୍ଟାର ଏବଂ ଜିଓ ସିନେମା ।