ନୂଆଦିଲ୍ଲୀ, ୨୧।୩: ବିଶ୍ୱ ରାଜନୀତି ଏବଂ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ 'ହୋର୍ମୁଜ ପ୍ରଣାଳୀ' ଦେଇ ଜାହାଜ ଚଳାଚଳ ପ୍ରାୟତଃ ବନ୍ଦ ହୋଇଯାଇଥିଲେ ହେଁ, ଭାରତର ଦୁଇଟି LPG ଟ୍ୟାଙ୍କରକୁ ଏହି ପଥ ଦେଇ ଯିବାକୁ ଅନୁମତି ମିଳିବାକୁ ଯାଉଛି । ରଏଟର୍ସର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂକୀର୍ଣ୍ଣ ସମୁଦ୍ରପଥ ଦେଇ ଗୋଟିଏ ବି ଅଶୋଧିତ ତୈଳ ଟ୍ୟାଙ୍କର ଗତି କରିନାହିଁ । ତେହେରାନର ଚେତାବନୀ ପରେ ଶହ ଶହ ଜାହାଜ ଏବେ ସମୁଦ୍ର ମଝିରେ ଲଙ୍ଗର ପକାଇ ଅଟକି ରହିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ୱର ମୋଟ୍ ତୈଳ ଏବଂ LPG ଯୋଗାଣର ପ୍ରାୟ ୨୦ ପ୍ରତିଶତ କେବଳ ଏହି ପଥ ଦେଇ ପରିବହନ କରାଯାଇଥାଏ ।

ଏହା ବି ପଢ଼ନ୍ତୁ... ଏବେ ହୋର୍ମୁଜରେ ମୁହାଁମୁହିଁ ଯୁଦ୍ଧ ! ୩ଟି ଯୁଦ୍ଧଜାହାଜ ଏବଂ ସୈନ୍ୟ ପଠାଇଲା ଆମେରିକା

ଭାରତୀୟ ଜାହାଜ 'ଜଗ ବସନ୍ତ' ଓ 'ପାଇନ୍ ଗ୍ୟାସ୍' ଉପରେ ନଜର:

ଏହି ସଙ୍କଟ ସମୟରେ UAE ର ସାରଜାହ ନିକଟରେ ଅଟକିଥିବା ଦୁଇଟି ଭାରତୀୟ LPG ଟ୍ୟାଙ୍କର 'ପାଇନ୍ ଗ୍ୟାସ୍' (IOC) ଏବଂ 'ଜଗ ବସନ୍ତ' (BPCL) ପୁଣି ଥରେ ନିଜର ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ମାରିନ୍ ଟ୍ରାଫିକ୍ ତଥ୍ୟ ଅନୁଯାୟୀ, ଶନିବାର ଏହି ଟ୍ୟାଙ୍କରଗୁଡ଼ିକ ହୋର୍ମୁଜ ପ୍ରଣାଳୀ ଅତିକ୍ରମ କରିପାରନ୍ତି । ବିଶେଷଜ୍ଞଙ୍କ ମତରେ, ଏଭଳି ସମୟରେ ଭାରତୀୟ ଜାହାଜକୁ ଅନୁମତି ମିଳିବା ପଛରେ ଭାରତର ନିରପେକ୍ଷ ଆଭିମୁଖ୍ୟ ଏବଂ ସଫଳ କୂଟନୈତିକ ପ୍ରଭାବ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିଶ୍ୱ ନେତାମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ଉପସାଗରୀୟ ଅଞ୍ଚଳରେ ଭାରତର ୨୨ଟି ଜାହାଜର ସୁରକ୍ଷିତ ଯାତ୍ରା ପାଇଁ ସରକାର ପ୍ରତିବଦ୍ଧ ।

ନିଷେଧ ସତ୍ତ୍ୱେ କେମିତି ମିଳୁଛି ଅନୁମତି ?

ଗତ ସପ୍ତାହରେ ଇରାନ ମଧ୍ୟ ଦୁଇଟି LPG ଟ୍ୟାଙ୍କରକୁ ଯିବାକୁ ଅନୁମତି ଦେଇଥିଲା । ଏପରିକି ପାକିସ୍ତାନ ଅଭିମୁଖେ ଯାଉଥିବା ଏକ ତୈଳ ଟ୍ୟାଙ୍କର ମଧ୍ୟ ଏହି ପଥ ଦେଇ ସଫଳତାର ସହ ଗତି କରିଛି । ଏହା ସୂଚାଉଛି ଯେ, ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ଭାରତ ପରି ବନ୍ଧୁ ରାଷ୍ଟ୍ରଙ୍କ ପାଇଁ କିଛି ସ୍ୱତନ୍ତ୍ର ସହମତି ପ୍ରକାଶ ପାଇଥାଇପାରେ । ଯଦି ଏହି ଦୁଇଟି ଟ୍ୟାଙ୍କର ସୁରକ୍ଷିତ ଭାବେ ଭାରତରେ ପହଞ୍ଚନ୍ତି, ତେବେ ଦେଶରେ LPG ଯୋଗାଣ ସ୍ବାଭାବିକ ରହିବ ଏବଂ ଏହା ଭାରତର ବୈଦେଶିକ ନୀତିର ଏକ ବଡ଼ ସଫଳତା ଭାବେ ବିବେଚନା କରାଯିବ ।