ନୂଆଦିଲ୍ଲୀ, ୧୩।୪: ଭୋସଲେ "ଆଶା ଭୋସଲେ, ଯାହାଙ୍କୁ ଦୁନିଆ 'ସୁରର ମଲ୍ଲିକା' ବୋଲି କୁହେ, ସେ କହିଥିଲେ- 'ମୁଁ ସଙ୍ଗୀତ ଦୁନିଆର ଶେଷ ମୋଗଲ'... ଆଉ ସେହି ସ୍ୱର ଯେତେବେଳେ ଗୁଞ୍ଜରି ଉଠେ, ଚାରିଆଡ଼େ ସଙ୍ଗୀତର ନିଶା ଖେଳିଯାଏ । କିନ୍ତୁ ତାଙ୍କ ପିଲାଦିନର କାହାଣୀ ହୁଏତ ଅନେକଙ୍କୁ ଜଣାନଥିବ । ୮ ସେପ୍ଟେମ୍ବର ୧୯୩୩, ଗୋଆର ଏକ ସଙ୍ଗୀତମୟ ପରିବାରରେ ତାଙ୍କର ଜନ୍ମ । ଜାଣି ଆଶ୍ଚର୍ଯ୍ୟ ହେବେ, ଆଶା ଦିଦିଙ୍କୁ ସଙ୍ଗୀତ ଅପେକ୍ଷା ଖେଳକୁଦ ଅଧିକ ପସନ୍ଦ ଥିଲା । ପରିବାର ଲୋକେ ଏବଂ ପଡ଼ୋଶୀମାନେ ତାଙ୍କୁ 'ବୁଦ୍ଧୁ', 'ପହିଲବାନ' ନାଁରେ ଚିଡ଼ାଉଥିଲେ । ଆଶାଙ୍କ ମା' କହୁଥିଲେ- 'ଭୁଲ୍ରେ ମୋ ଘରେ ଝିଅଟିଏ ଜନ୍ମ ହୋଇଗଲା, ଏହାକୁ ତ ପୁଅ ହେବାର ଥିଲା !' କିନ୍ତୁ କିଏ ଜାଣିଥିଲା ଏହି ପହିଲବାନ ଝିଅ ଦିନେ ନିଜ ସ୍ୱରରେ ସାରା ବିଶ୍ୱକୁ କାବୁ କରିବ !" ଆଶାଙ୍କ ଜୀବନର ପଥ ସହଜ ନଥିଲା । ମାତ୍ର ୧୬ ବର୍ଷ ବୟସରେ ପରିବାର ବିରୋଧରେ ଯାଇ ବିବାହ କଲେ, ହେଲେ ଖୁସି ବଦଳରେ ମିଳିଲା ସଂଘର୍ଷ । ବୋରିଭଲିରୁ ଷ୍ଟୁଡିଓ ପର୍ଯ୍ୟନ୍ତ ସେହି ଲମ୍ବା ରାସ୍ତା, ଘରର ଆର୍ଥିକ ଅଭାବ ଏବଂ ଛୋଟ ଛୋଟ କାମ ପାଇଁ ଅପେକ୍ଷା ।

ଏହା ବି ପଢ଼ନ୍ତୁ... ‘ମୁସଲମାନ କର୍ମଚାରୀଙ୍କୁ ହଟାଇ ନିଅ, ସାଇନାଇଡ୍ ଭର୍ତ୍ତି ୧୫ ଆରଡିଏକ୍ସରେ ଉଡାଇଦେବୁ ବିଧାନସଭା’ : ଇ-ମେଲ୍ ପରେ ଆତଙ୍କ

ଆଜି ହଜାର ହଜାର କୋଟିର ସମ୍ପତ୍ତିର ମାଲିକାଣୀ ଆଶାଜୀଙ୍କୁ ତାଙ୍କର ପ୍ରଥମ ଗୀତ ପାଇଁ ମିଳିଥିଲା ମାତ୍ର ୧୦୦ ଟଙ୍କା । ସେହି ଟଙ୍କାକୁ ସେ ଖୁସିରେ ନିଜ ସ୍ୱାମୀଙ୍କ ହାତରେ ଟେକି ଦେଇଥିଲେ । ଘରୋଇ ହିଂସା ଠାରୁ ଆରମ୍ଭ କରି ମାନସିକ ଯନ୍ତ୍ରଣା ପର୍ଯ୍ୟନ୍ତ ସବୁ ସହିଛନ୍ତି, କିନ୍ତୁ ମାତୃତ୍ୱର ଖୁସି ତାଙ୍କୁ ସବୁ ଦୁଃଖ ଭୁଲାଇ ଦେଇଥିଲା । ଦୁଇ ଭଉଣୀ- ଲତା ଏବଂ ଆଶା । ଗୋଟିଏ ଗଛର ଦୁଇଟି ଶାଖା । ଲତାଙ୍କର ଏକ ବିରାଟ ଆଭାମଣ୍ଡଳ ଭିତରେ ନିଜକୁ ଗଢ଼ିବା ସହଜ ନଥିଲା । ଆଶାଜୀ ବହୁତ ସୁନ୍ଦର ଭାବେ କହିଥିଲେ- 'ଚନ୍ଦ୍ରରେ ନିଲ୍ ଆର୍ମଷ୍ଟ୍ରଙ୍ଗ ଏବଂ ବଜ୍ ଆଲଡ୍ରିନ ଏକାଠି ଓହ୍ଲାଇଥିଲେ, କିନ୍ତୁ ଦୁନିଆ କେବଳ ପ୍ରଥମ ନାମଟିକୁ ମନେ ରଖେ ।' ସେ କେବେବି ଲତାଙ୍କର ବିକଳ୍ପ ହେବାକୁ ଚାହୁଁନଥିଲେ, ସେ ଚାହୁଁଥିଲେ ନିଜର ଏକ ସ୍ୱତନ୍ତ୍ର ପରିଚୟ ।

ଓପି ନ୘ୟାର, ଏସଡି ବର୍ମନ ଏବଂ ଆରଡି ବର୍ମନ ଓରଫ 'ପଞ୍ଚମ'... ଏମାନଙ୍କ ସଙ୍ଗୀତରେ ଆଶାଜୀଙ୍କ ସ୍ୱର ଯେମିତି ପ୍ରାଣ ଭରିଦେଲା । ପଞ୍ଚମଙ୍କ ସହ ତାଙ୍କର ସଙ୍ଗୀତମୟ ସଫର କାଳଜୟୀ ହୋଇ ରହିଗଲା । କେବଳ ପୁରୁଣା ଦିନ ନୁହେଁ, ଆଧୁନିକ ଯୁଗର ଏଆର ରହମାନଙ୍କ ସହ 'ରଙ୍ଗୀଲା' ଓ 'ତାଲ' ଗୀତ ଗାଇ ସେ ପ୍ରମାଣ କରିଦେଲେ ଯେ ତାଙ୍କ ସ୍ୱର ଉପରେ ବୟସର କୌଣସି ପ୍ରଭାବ ପଡ଼େନାହିଁ । ଆଜି ସେହି ସ୍ୱର ଆମ ଗହଣରେ ନାହିଁ । କିନ୍ତୁ, ଖୋଲା ବହି ଭଳି ତାଙ୍କ ଜୀବନ ଆଜି ବି ଆମକୁ ପ୍ରେରଣା ଦିଏ । ପିଲାଙ୍କ ମୃତ୍ୟୁର ଦୁଃଖ ହେଉ କି ବ୍ୟକ୍ତିଗତ ବିବାଦ, ସେ ସବୁବେଳେ ହସି ହସି ସାମ୍ନା କରିଛନ୍ତି । ୯୧ ବର୍ଷ ବୟସରେ ବି ଦୁବାଇର ମଞ୍ଚରେ ଥରୁଥିବା ଗୋଡ଼ରେ ବିକି କୌଶଲଙ୍କ 'ତୗବା ତୗବା' ଷ୍ଟେପ୍ ମାରିଥିବା ଏହି ମହିଳା ଜଣକ ସତରେ ଅଦ୍ୱିତୀୟ । ଆଶା ଦିଦି, ଆପଣଙ୍କୁ କୋଟି କୋଟି ପ୍ରଣାମ ! ଆପଣଙ୍କ ସ୍ୱର ସବୁଦିନ ପାଇଁ ଆମ ପରିବେଶରେ ଗୁଞ୍ଜରିତ ହେଉଥିବ ।