ନୂଆଦିଲ୍ଲୀ : ପୋଷା କୁକୁରକୁ ସାଥୀରେ ଧରି ସଂସଦ ଭବନରେ ପହଞ୍ଚିଲେ ସାଂସଦ । ସଂସଦର ଶୀତକାଳୀନ ଅଧିବେଶନ ଆଜି (ସୋମବାର) ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ହିଁ ବିବାଦରେ ଫସିଛନ୍ତି କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ । ସେ ତାଙ୍କ ପୋଷା କୁକୁର ସହିତ ତାଙ୍କ କାରରେ ସଂସଦରେ ପହଞ୍ଚିଥିଲେ। ତାଙ୍କ ଆସିବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି, ଯାହାକୁ ନେଇ ରାଜନୈତିକ ମହଲରେ ନିନ୍ଦା ଓ ସମାଲୋଚନା ଆରମ୍ଭ ହୋଇଛି । ବିଜେପି ଏହାକୁ ସଂସଦର ମର୍ଯ୍ୟାଦାର ଉଲ୍ଲଂଘନ ବୋଲି କହି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଆଉ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ସାଂସଦ ରେଣୁକା ଚୌଧୁରୀଙ୍କୁ ଏହି ଘଟଣା ବିଷୟରେ ପ୍ରଶ୍ନ କରିଥିଲେ, ସେ ପାଲଟା ଜବାବ ଦେଇ କହିଥିଲେ ଯେ, ଏହି ଘଟଣାକୁ ଅଯଥାରେ ଚର୍ଚ୍ଚାକୁ ଅଣାଯାଉଛି । ସେ କହିଥିଲେ, "ଏଥିରେ କ'ଣ ସମସ୍ୟା ? ଯଦି ଏକ ମୂକ ପଶୁ ଭିତରକୁ ପଶିଯାଏ ତେବେ ବଡ଼ କଥା କ'ଣ ହେବ ? ଏହା ଛୋଟ, କାମୁଡ଼ିବା ଭଳି ନୁହେଁ । ସଂସଦ ଭିତରେ ଅନ୍ୟ ଲୋକ ଅଛନ୍ତି ଯେଉଁମାନେ କାମୁଡ଼ି ପାରିବେ।ତେବେ ତାଙ୍କର ଏବି ବକ୍ତବ୍ୟ ବିବାଦକୁ ଆହୁରି ଖୋରାକ ଯୋଗାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତିର ଜବାବ ଦେଇଛନ୍ତି ରେଣୁକା ଚୌଧୁରୀ…

ବିରୋଧୀ ଦଳ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟର ମଧ୍ୟ ଜବାବ ଦେଇଛନ୍ତି ରେଣୁକା ଚୌଧୁରୀ। ସେ ପଚାରିଛନ୍ତି କି, ଯଦି ସରକାର ଅଧିବେଶନ ବିଷୟରେ ଏତେ ଚିନ୍ତିତ, ତେବେ ନିର୍ଦ୍ଧାରିତ ଏକ ମାସର ଅଧିବେଶନକୁ କେବଳ ପନ୍ଦର ଦିନକୁ କାହିଁକି ହ୍ରାସ କରାଯାଇଛି ? ସେ ପଚାରିଛନ୍ତି ,"ଆମେ ଗୃହରେ କେଉଁ ପ୍ରସଙ୍ଗ ଉଠାଇବୁ ସେ ବିଷୟରେ ଆପଣ କାହିଁକି ଚିନ୍ତିତ ? ଯଥେଷ୍ଟ ପ୍ରସଙ୍ଗ ନଥିଲା କି ? ତେବେ ଅଧିବେଶନକୁ କାହିଁକି ସଂକ୍ଷିପ୍ତ କରାଯାଇଛି ?"

ଏହି ସମୟରେ ବିଜେପି ସାଂସଦ ଜଗଦମ୍ବିକା ପାଲ ରେଣୁକା ଚୌଧୁରୀଙ୍କ ଉପରେ ତାଙ୍କ ବିଶେଷାଧିକାରର ଅପବ୍ୟବହାର କରିବାର ଅଭିଯୋଗ ଆଣିଛନ୍ତି ଏବଂ କହିଛନ୍ତି ଯେ, ସଂସଦ ଜାତୀୟ ନୀତି ଉପରେ ଗମ୍ଭୀର ଆଲୋଚନା ପାଇଁ ଏକ ମଞ୍ଚ, ଏବଂ ଏପରି କାର୍ଯ୍ୟ "ଅପମାନଜନକ" ଏବଂ ଏହା ସଂସଦର ମର୍ଯ୍ୟାଦା ବିରୁଦ୍ଧରେ। "ତାଙ୍କ କୁକୁର ସହିତ ସଂସଦରେ ପହଞ୍ଚିବା ଏବଂ ପରେ ଏପରି ମନ୍ତବ୍ୟ ଦେବା ଦେଶ ପାଇଁ ଲଜ୍ଜା ଆଣିଥାଏ। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।" ସେ ଏହାକୁ ଗଣତନ୍ତ୍ରର ଅପମାନ ବୋଲି କହିଛନ୍ତି ।