ଗଜପତି, ୭।୩: ମହେନ୍ଦ୍ରଗିରିରେ ଉତ୍ତେଜନା । ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏକଜୁଟ ହେଲେ ଶତାଧିକ ଲୋକ । ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଗତ କିଛି ଦିନ ତଳେ ଦେଖାଦେଇଥିବା ବିବାଦର ସ୍ଥାୟୀ ସମାଧାନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରି ଭଙ୍ଗାରୁଜା ଓ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଅଞ୍ଚଳର ଶତାଧିକ ଲୋକେ ମହେନ୍ଦ୍ରଗିରିଠାରେ ଏକତ୍ରିତ ହୋଇଥିଲେ ।

ମହେନ୍ଦ୍ରଗିରି ଇକୋ ଡେଭେଲପମେଣ୍ଟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଯୋଗଦେଇଥିବା ମହେନ୍ଦ୍ରଗିରି ଅଞ୍ଚଳବାସୀ କହିଛନ୍ତି ଯେ, ଏହା ଏକ ପବିତ୍ର ସ୍ଥାନ । ତେଣୁ ଏହାର ପବିତ୍ରତା ରକ୍ଷା କରିବା ଏବଂ ଏଠାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି । ଉନ୍ନୟନ କମିଟି ସଦସ୍ୟ ଏବଂ ଅଞ୍ଚଳବାସୀ ଜିଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ମହେନ୍ଦ୍ରଗିରିରେ ବାରଘର ଗାଁ ଲୋକେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଯାହା ଅସହ୍ୟ ହେଲାଣି । ତେଣୁ ବିଶୃଙ୍ଖଳାକରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶେଷ ଥର ପାଇଁ ସେମାନଙ୍କୁ ଡାକି ଆଲୋଚନା କରି ସମାଧାନ ପାଇଁ ପ୍ରୟାସ କରାଯାଉ । ଏହା ପରେ ବି ସ୍ଥିତିରେ ସୁଧାର ନଆସିଲେ ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦିଆଯିବ ବୋଲି ଲୋକେ କହିଛନ୍ତି ।