ଫିରିଙ୍ଗିଆ,୨୩l୭ : ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏମିତି ଅନେକ ଗାଁ ରହିଛି ଯେଉଁଠି ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ପାରିନାହିଁ l ରାସ୍ତା, ପାନୀୟ ଜଳ, ବିଦ୍ୟୁତ ଆଦି ମୌଳିକ ସୁବିଧା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତର ୯ ନମ୍ବର ୱାର୍ଡ ମାଦେପାଙ୍ଗା ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।
ମାଦେପାଙ୍ଗା ଗାଁରେ ପ୍ରାୟ ୧୭ ପରିବାର ରହି ଆସୁଛନ୍ତି। କିନ୍ତୁ ଏ ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ବାରମ୍ବାର ପ୍ରଶାସନ ପାଖରେ ଲିଖିତ ଭାବରେ ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁରେ ବିଦ୍ୟୁତ ସଂଯୋଗ ହୋଇ ପାରି ନାହିଁ । ତେଣୁ ଗ୍ରାମବାସୀଙ୍କ ପାଇଁ ଡିବିରି ଆଲୁଅ ଏକ ମାତ୍ର ଭରସା । ଛୋଟ ପିଲାମାନେ ପାଠ ପଢା ପାଇଁ ଡିବିରି ଆଲୁଅରେ ପଢ଼ୁଥିବା ବେଳେ କିରୋସିନ ନଥିଲେ ଜାଳ କାଠରେ ନିଆଁ ଲଗାଇ ରାତି ବିତିଥାଏ । ତେଣୁ ସରକାରଙ୍କ ତରଫରୁ ତୁରନ୍ତ ଗାଁରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କଲେ ମାଦେପାଙ୍ଗା ଗ୍ରାମବାସୀ ଉପକୃତ ହେବେ ବୋଲି ଗାଁର ସନ୍ତୋଷ କହଁର, ତ୍ରିଲୋଚନ କହଁର, ସ୍ଵପ୍ନେଶ୍ଵର କହଁର, ସୁଶାନ୍ତ କହଁର, କେଶବ କହଁର, ରମେଶ କହଁର, ଚୈତନ୍ୟ କହଁର, ବାବୁଲା କହଁର କହିଛନ୍ତି । ଏହି ଘଟଣାକୁ ନେଇଁ ଦାୟିତ୍ୱରେ ଥିବା ବିଦ୍ୟୁତ ବିଭାଗୀୟ ଅଧିକାରୀ ଏସଡିଓଙ୍କୁ ପଚାରିବାରୁ ଗାଁରେ ବିଦ୍ୟୁତ ନଥିବା ସ୍ୱୀକାର କରିବା ସହ ଯଥା ଶୀଘ୍ର ଟେଣ୍ଡର ପରେ ମାଦେ ପାଙ୍ଗା ଗାଁରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଛନ୍ତି।