ମାଲକାନଗିରି, ୧୨/୨ (ଆପ୍ର ):  ରାଜସ୍ୱ ବିଭାଗ ଜମି ସମସ୍ୟା ନେଇ ମାଲକାନଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଅଧ୍ୟକ୍ଷ୍ୟତା କରିଥିଲେ। ଜିଲ୍ଲା ରେ ଥିବା ୧୨୦୦ ରୁ ଉର୍ଦ୍ଧ ବିଦ୍ୟାଳୟ ମଧ୍ୟରୁ ୧୧୬୦ ଟି ବିଦ୍ୟାଳୟ ର ନିଜସ୍ୱ ଜମି ପଟ୍ଟା ନଥିବା  ଜଣାପଡିଛି ।

ଜିଲ୍ଲାର ତହସିଲଦାର, ଶିକ୍ଷା ବିଭାଗ, ବନ ବିଭାଗଙ୍କୁ ନେଇ ଜମି ପଞ୍ଜୀକରଣ, ମୂଲ୍ୟ ନିର୍ଦ୍ଧାରଣ, ରାଜସ୍ୱ ବିଭାଗର ସମସ୍ୟା ସମ୍ବନ୍ଧରେ ଏହି ବୈଠକ ହୋଇଛି। ବୈଠକରେ ଜିଲା ଶିକ୍ଷାଧୀକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ କହିଥିଲେ, ଜିଲାର ୧୨୦୦ରୁ ଉର୍ଦ୍ଧ୍ଵ ବିଦ୍ୟାଳୟ ମଧ୍ୟରୁ କେବଳ ୧୬୦ଟି ବିଦ୍ୟାଳୟର ଜମି ପଟ୍ଟା ରହିଛି। ତେଣୁ ତୁରନ୍ତ ଅନ୍ୟ ବିଦ୍ୟାଳୟଗୁଡିକୁ ପଟ୍ଟା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେହିପରି ବନ ବିଭାଗର ଉପସ୍ଥିତ ଥିବା ସହକାରୀ ବନ ସଂରକ୍ଷକ ଜିଲାରେ କେତେ ଜଙ୍ଗଲ ଜମି ଅଧୁକାର ପଟ୍ଟା ପ୍ରଦାନ କରାଯାଇଛି, କେତେ ବିଚାରାଧୀନ ଅଛି ଏବଂ ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗର ମିଳିତ ସରଜମିନ ତଦାରଖ ହୋଇଛି ସେ ସମ୍ବନ୍ଧରେ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ରାସ୍ତା ଓ ପୋଲ ନିର୍ମାଣ ନିମନ୍ତେ ଜଙ୍ଗଲ ଜମି କିପରି ହସ୍ତାନ୍ତର ହେବ ସେ ସମ୍ବନ୍ଧରେ ସୂଚନା ଦେଇଥିଲେ। ହସ୍ତାନ୍ତର ପରେ ବାକି ଥିବା କାର୍ଯ୍ୟଗୁଡିକ ତୁରନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ।

ଟାଉନ୍ ପ୍ଲାନିଂ ଆଦେଶ ନ ପାଇ ଯେଉଁମାନେ ମାଲକାନଗିରି ସହରରେ ନୂତନ ଗୃହ ନିର୍ମାଣ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ମତପ୍ରକାଶ କରିଥିଲେ । ସେହିପରି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ତାଙ୍କ ଅଞ୍ଚଳର ସମସ୍ୟା ସମ୍ବନ୍ଧରେ ମତ ପ୍ରକାଶ କରିଥିଲେ । ଉପଜିଲାପାଳ ଶ୍ରୀ ଭୋଇ ସମସ୍ତ ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କୁ ଜମିପଟ୍ଟା ନ ପାଇଥିବା, ତହସିଲ ଅଧୀନରେ ଥିବା ବିଭିନ୍ନ ଜମିର ଅଭିଯୋଗର ତୁରନ୍ତ ଶୁଣାଣିକରି ଫଇସଲା କରିବାକୁ ଆଦେଶ ଦେଇଥିଲେ । ପ୍ରତ୍ୟେକ ତହସିଲଦାର ନିଜ ନିଜ ତହସିଲର ଅଗ୍ରଗତି କାର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ।