ନୂଆଦିଲ୍ଲୀ,୦୬/୧୨; ଆପଣ ଅନେକ ସମୟରେ ଦେଖିଥିଲେ ଅଫିସ୍ ସମୟ ପରେ କର୍ମଚାରୀଙ୍କୁ ଫୋନ୍ ଆସେ । ଇ-ମେଲ୍ ଆସେ । ଅଫିସ୍ରୁ ଆସି ଘରେ ପହଞ୍ଚୁ ପହଞ୍ଚୁ କାମ ବାବଦରେ ଅଫିସ୍ରୁ ଫୋନ୍ ଆସିଯାଏ । ଯାହାକୁ ନେଇ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଥାନ୍ତି । ଏବେ ଏହି ଟେନ୍ସନରୁ ମିଳିବ ମୁକ୍ତି । ଆଉ ଅଫିସ ଫୋନ୍ କି ଇ-ମେଲ ଜବାବ ଦେବାକୁ ପଡିବ ନାହିଁ । ସଂସଦ ଶୀତ ଅଧିବେଶନର ପଞ୍ଚମ ଦିନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ସାଂସଦ ସୁପ୍ରିୟା ସୁଲେ ରାଇଟ୍ -ଟୁ-ଡିସକନେକ୍ଟ ଅଧିକାର ବିଲ୍ ୨୦୨୫ ଆଗତ କରିଛନ୍ତି । ଯାହା ପ୍ରତ୍ୟେକ କର୍ମଚାରୀଙ୍କୁ କାର୍ଯ୍ୟ ସମୟ ପରେ ଏବଂ ଛୁଟିଦିନରେ କାର୍ଯ୍ୟ ସମ୍ବନ୍ଧୀୟ ଟେଲିଫୋନ୍ କଲ୍ ଏବଂ ଇମେଲରୁ ଉତ୍ତର ଦେବାରୁ ମୁକ୍ତି ଦେବ । ଏହି ଅଧିକାର ଦେବା ପାଇଁ ଏକ କର୍ମଚାରୀ କଲ୍ୟାଣ ପ୍ରାଧିକରଣ ଗଠନ କରିବାର ପ୍ରସ୍ତାବ ରଖିଛି ।
ରାଇଟ୍ ଟୁ ଡିସ୍କନେକ୍ଟ ବିଲ୍- ଏହି ବିଲ୍ ଏକ ବ୍ୟକ୍ତିଗତ ସଦସ୍ୟ ବିଲ୍ ଭାବରେ ଉପସ୍ଥାପିତ ହୋଇଛି । ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟମାନେ ଯେଉଁ ବିଷୟଗୁଡ଼ିକ ଉପରେ ସରକାର ଆଇନ ପ୍ରଣୟନ କରିବା ଉଚିତ୍ ବୋଲି ସେମାନେ ବିଶ୍ୱାସ କରନ୍ତି ସେଗୁଡ଼ିକ ଉପରେ ବିଲ୍ ଆଗତ କରିପାରିବେ । କିଛି ମାମଲା ବ୍ୟତୀତ, ପ୍ରସ୍ତାବିତ ଆଇନ ପ୍ରତି ସରକାରଙ୍କ ପ୍ରତିକ୍ରିୟା ପରେ ଅଧିକାଂଶ ବ୍ୟକ୍ତିଗତ ସଦସ୍ୟ ବିଲ୍ ପ୍ରତ୍ୟାହାର କରିନିଆଯାଏ । ଯଦି ଏହି ବିଲ୍ ପାସ୍ ହୁଏ, ତେବେ ଅଫିସ୍ରେ କାର୍ଯ୍ୟ ସମୟ ପରେ ଅଫିସ୍ ଫୋନ୍ କିମ୍ବା ଇ-ମେଲ୍ ଦ୍ୱାରା ହଇରାଣ ହେଉଥିବା କାର୍ଯ୍ୟରତ କର୍ମଚାରୀଙ୍କୁ ଲାଭ ମିଳିବ । ଏହି ବିଲ୍ କର୍ମଚାରୀମାନଙ୍କୁ କାର୍ଯ୍ୟ ସମୟ ବାହାରେ ଏବଂ ଏହା ସହିତ ଜଡ଼ିତ ବିଷୟ ପାଇଁ କଲ୍ ଏବଂ ଇମେଲ୍ର ଉତ୍ତର ଦେବାକୁ ମନା କରିବାର ଅଧିକାର ଦେବ ।
ଖାଲି ସେତିକି ନୁହେଁ ଲୋକସଭାରେ ଆଗତ ବ୍ୟକ୍ତିଗତ ସଦସ୍ୟ ବିଲ୍ରେ ମୃତ୍ୟୁଦଣ୍ଡ ଉଚ୍ଛେଦ କରିବା, ମାସିକ ଋତୁସ୍ରାବ ଛୁଟି ଏବଂ ସୁବିଧା ପ୍ରଦାନ କରିବା ଏବଂ ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବା ଭଳି ବିଲ୍ ଅନ୍ତର୍ଭୁକ୍ତ ରହିଛି । ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ ଥିଲା ରାଇଟ୍ -ଟୁ-ଡିଟେକ୍ସନ ବିଲ୍ ଯାହା ପ୍ରସ୍ତାବ ଦିଏ ଯେ କାର୍ଯ୍ୟ ସମୟ ପରେ କିମ୍ବା ଛୁଟି ଦିନରେ କାର୍ଯ୍ୟାଳୟରୁ ଫୋନ୍ କଲ୍ କିମ୍ବା ଇମେଲ୍ ଉତ୍ତର ଦେବାକୁ କାହାକୁ ବାଧ୍ୟତାମୂଳକ କରାଯିବ ନାହିଁ ।
କହି ରଖୁଛି କି, ବ୍ୟକ୍ତିଗତ ସଦସ୍ୟଙ୍କ ବିଲ୍ ସାଂସଦମାନଙ୍କୁ ସେମାନଙ୍କ ପସନ୍ଦର ପ୍ରସଙ୍ଗରେ ଆଇନ ପ୍ରସ୍ତାବ ଦେବାକୁ ଅନୁମତି ଦିଏ, କିନ୍ତୁ ସରକାରଙ୍କ ପ୍ରତିକ୍ରିୟା ପରେ ଏପରି ଅଧିକାଂଶ ବିଲ୍ ପ୍ରତ୍ୟାହାର କରିନିଆଯାଏ । ଏଗୁଡ଼ିକ ସରକାରଙ୍କ ଦ୍ୱାରା ଆଗତ ବିଲ୍ ଠାରୁ ଭିନ୍ନ । ଦେଶରେ ଲୋକସଭା କିମ୍ବା ରାଜ୍ୟସଭାରେ ମନ୍ତ୍ରୀ ନଥିବା ଯେକୌଣସି ସାଂସଦ ଏକ ବ୍ୟକ୍ତିଗତ ସଦସ୍ୟଙ୍କ ବିଲ୍ ଉପସ୍ଥାପନ କରିପାରିବେ । ସାଧାରଣତଃ ଜନସ୍ୱାର୍ଥର ପ୍ରସଙ୍ଗ ଉଠାଇବା, ଆଇନରେ ସଂଶୋଧନ ପ୍ରସ୍ତାବ ଦେବା କିମ୍ବା ଏକ ନୂତନ ଆଇନ ପ୍ରଣୟନ କରିବା ଏହାର ଉଦ୍ଦେଶ୍ୟ ।