ନୂଆଦିଲ୍ଲୀ/ଭୁବନେଶ୍ୱର, ୨୭/୦୫ : ମଧ୍ୟପ୍ରାଚ୍ୟ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଶକ୍ତି ସଂକଟର ଚେର ସମଗ୍ର ବିଶ୍ୱକୁ ମାଡ଼ିଗଲାଣି । ଭାରତ ଭଳି ଉପଭୋକ୍ତା ଦେଶ ପାଇଁ ଏହା ଏକ ବଡ଼ ବିପତ୍ତି । ଦେଶରେ ଏବେ ଅସମ୍ଭାଳ ସ୍ଥିତି । ନିୟମିତ ବ୍ୟବଧାନରେ ବଢ଼ିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର । ମେ’ ୧୫ରୁ ୪ ଥରରେ ପ୍ରାୟ ୮ ଟଙ୍କା ମହଙ୍ଗା ହୋଇଗଲାଣି ଉଭୟ ଇନ୍ଧନ । ପରିବହନ ବିପର୍ଯ୍ୟସ୍ତ । ଡିଜେଲ ଅଭାବ ଏବଂ ଇନ୍ଧନ ଦର ବୃଦ୍ଧି ଯୋଗୁ ମାଲ୍ ପରିବହନ ଭଡ଼ା ପ୍ରାୟ ୧୫% ଯାଏ ବୃଦ୍ଧି ପାଇଛି । ମହଙ୍ଗା ଡିଜେଲ ଏବଂ ଇନ୍ଧନ ଅଭାବ ଯାଗୁ ଦେଶବ୍ୟାପୀ ପ୍ରାୟ ୧୯ ଲକ୍ଷ ଟ୍ରକ୍ ରାଜପଥରୁ ଉଭାନ ହୋଇଯାଇଛି । ପ୍ରତି ୫ରୁ ଗୋଟିଏ ଟ୍ରକ୍ ଏବେ ଛିଡ଼ାହୋଇଛି । ଏଥିମଧ୍ୟରୁ ଓଡ଼ିଶାରେ ୫୦ ହଜାର ଟ୍ରକ ଚଳାଚଳ ବନ୍ଦ ହୋଇଥିବା ଜଣାପଡ଼ିଛି । ଏସବୁ ମଧ୍ୟରେ ଏବେ ସଂକଟରେ ଦେଶର ପରିବହନ ବ୍ୟବସ୍ଥା । ଠୋସ୍ ପଦକ୍ଷେପ ନିଆ ନ ଗଲେ ଆଗକୁ ପରିବହନ ସଂକଟ ସମଗ୍ର ଅର୍ଥବ୍ୟବସ୍ଥାକୁ କରିପାରେ ବିପର୍ଯ୍ୟସ୍ତ । ଦରଦାମ ସ୍ଥିତି ଉତ୍କଟ ହେବା ଥୟ । ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଦର ଆକାଶ ଛୁଇଁବ । ବିଗିଡ଼ିଯିବ ଆମ୍ଆଦ୍ମୀଙ୍କ ବଜେଟ ଗଣିତ ।
ପୂର୍ବରୁ ଦରଦାମ ଚାପରେ ଛନ୍ଦି ହୋଇଥିବା ଖାଉଟିଙ୍କୁ ଏହା ଡବଲ୍ ଝଟ୍କା । ବାଣିଜ୍ୟିକ ଯାନ ବର୍ଗରେ ଟ୍ରକ, କଣ୍ଟେନର ବୋଝେଇ ଟ୍ରକ ଏବଂ ମିନିଟ୍ରକ ରହିଛି । ମାଲବାହୀ ଯାନଗୁଡ଼ିକର ପରିଚାଳନାରେ ଡିଜେଲ ପ୍ରମୁଖ ଅଂଶ ଗ୍ରହଣ କରିଥାଏ । ମାତ୍ର ଇନ୍ଧନ ଲଗାତର ଭାବେ ମହଙ୍ଗା ହେବା ଯୋଗୁ ପରିବହନକାରୀ ଚାପରେ । ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ରାଜ୍ୟ ଟ୍ରକ ମାଲିକ ସଂଘ ମୁତାବକ, ରାଜ୍ୟରେ ପ୍ରାୟ ୫ ଲକ୍ଷ ଟ୍ରକ ରହିଛି । ଏଥିମଧ୍ୟରୁ ୫୦ ହଜାର ଟ୍ରକ ଚଳାଚଳ ବନ୍ଦ ହୋଇଯାଇଛି । ଫଳରେ ପରିବହନ କ୍ଷେତ୍ର ଉପରେ ଚାପ ପଡ଼ିବା ଥୟ । ତେଲ ଦର ବୃଦ୍ଧି ବାଦ ବିଏସ୍-୬ ଯାନଗୁଡ଼ିକରେ ବ୍ୟବହୃତ ଆଡଲ୍ୟୁପ ନାମକ ଅଏଲ ଦର ୧୨୦୦ ଟଙ୍କାରୁ ୨ ହଜାର ଟଙ୍କା ଯାଏ ବଢ଼ିଛି । ଏହା ଆଉ କିଛି ଦିନ ମଧ୍ୟରେ ୩ ହଜାର ଟଙ୍କା ଯାଏ ବଢ଼ିବାର ଆଶଙ୍କା ରହିଛି । ଏହା ମଧ୍ୟ ପରିବହନକାରୀଙ୍କ ଉପରେ ଚାପ ସୃଷ୍ଟି କରୁଛି । କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ପରିବହନକାରୀ ମାନେ ବେଶି ସମସ୍ୟାରେ ପଡ଼ିଛନ୍ତି । ତେଲ ଦର ବୃଦ୍ଧି ଚିନ୍ତାରେ ପରିବହନ କ୍ଷେତ୍ର ଅଂଶୀଦାରମାନେ ରାଜ୍ୟ ସରକାରଙ୍କୁ ଭେଟି ଆଲୋଚନା କରିବେ । ଶିଳ୍ପ ସାମ୍ନାରେ ରହିଥିବା ସମସ୍ୟାକୁ ନେଇ ଏକ ଦାବିପତ୍ର ଦିଆଯିବ ବୋଲି ଜଣାପଡ଼ିଛି । ରାଜ୍ୟର ଖଣି ଅଞ୍ଚଳ ସହ ଶିଳ୍ପାଞ୍ଚଳଗୁଡ଼ିକରେ ଟ୍ରକଗୁଡ଼ିକ ଛିଡ଼ା ହୋଇ ରହୁଥିବା ଦେଖାଯାଉଛି ।
ଏହି ଖବରଟିକୁ ପଢନ୍ତୁ- ଭାରତର ସୁରକ୍ଷାରେ ନୂଆ ବ୍ରହ୍ମାସ୍ତ୍ର, ଜେନ୍ ଟେକ୍ନୋଲୋଜିସ୍ର ପ୍ରଥମ ଏଆଇ ଆଣ୍ଟି-ଡ୍ରୋନ୍ କବଚ
ତେଲ କମ୍ପାନିଙ୍କ ଉପରେ ଚାପ କମ୍ କରିବା ଲାଗି କେନ୍ଦ୍ର ସରକାର ଉତ୍ପାଦ ଟିକସ ହ୍ରାସ କରିଛନ୍ତି । ରାଜ୍ୟଗୁଡ଼ିକ ମଧ୍ୟ ଭାଟ୍ କମାଇ ପରିବହନ କ୍ଷେତ୍ରର ଚାପକୁ କମାଇବା ଦିଗରେ କାର୍ଯ୍ୟ କରିବାକୁ ଦାବି ହେଉଛି । ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ପ୍ରଣବ ପରିଜା କହିଛନ୍ତି, ଡିଜେଲ ଦର ବୃଦ୍ଧି ଯୋଗୁ ଏବେ ଖର୍ଚ୍ଚ ବଢ଼ିଛି । ଅଧିକ ଭଡ଼ା ଦେବାକୁ ଗ୍ରାହକ ରାଜି ହେଉନାହାନ୍ତି । ଫଳରେ ଟ୍ରକ ଟର୍ମିନାଲ ଏବଂ ବିଭିନ୍ନ ଡିପୋରେ ଟ୍ରକଗୁଡିକ ପଡ଼ିରହିଛି । ପୂର୍ବ ଭଳି ଭଡ଼ା ମିଳୁନି । ଭଡ଼ା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଭଡ଼ା ନ ବଢ଼ିଲେ ଟ୍ରକ ଚଳାଚଳ ଠପ୍ ହୋଇଯିବ । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଦେଶର ୯୫ ଲକ୍ଷ ଟ୍ରକ ମଧ୍ୟରୁ ୨୦% ବା ୧୯ ଲକ୍ଷ ଟ୍ରକ ସଡ଼କରୁ ହଟିଯାଇଛି । ଦେଶର ପରିବହନ କ୍ଷେତ୍ରରେ ୭୦% ହେଉଛି କ୍ଷୁଦ୍ର ବାଣିଜ୍ୟିକ ଯାନ । ତେଲ ଦର ବୃଦ୍ଧି ଯୋଗୁ ଛୋଟ ଅପରେଟର ମାନେ ବେଶି ପ୍ରଭାବିତ ହୋଇଥିବା ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ହରୀଶ ସବରୱାଲ କହିଛନ୍ତି ।