ସୁନାବେଡା,୨୦/୦୭: କୋରାପୁଟ ସୁନାବେଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ସହ ସଫାରୀ ଗାଡ଼ି ମୁହାଁମୁହିଁ ଧକ୍କା । ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥର ଟିଟିଏସ ଗେଟ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ କାର ଯୋଗେ ତିନି ଜଣ ଯୁବକ ସେମିଳିଗୁଡାରୁ ସୁନାବେଡା ଫେରୁଥିଲେ। ସେହି ସମୟରେ ଦାମନଯୋଡିରେ ଏକ ଟାଟା ସଫାରୀ ସୁନାବେଡାରୁ ଦାମନଯୋଡି ଯାଉଥିଲା ବେଳେ ଭାରସାମ୍ୟ ହରାଇ ଏକ କାର୍ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ କାର୍ରେ ଥିବା ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଫାରୀ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ବିଶାଖାପାଟଣାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକମାନେ ହେଲେ ସୁନାବେଡା ଗଞ୍ଜାମ କଲୋନୀର ବିକାଶ ପାତ୍ର, ଡିପି କ୍ୟାମ୍ପର ଦିବ୍ୟ ରଞ୍ଜନ ପାତ୍ର, ଏଇଏଫ କଲୋନର ଆଶୁତୋଷ ରଣା । ସେହିପରି ସଫାରୀର ଆହତ ଡ୍ରାଇଭରର ନାଁ ପ୍ରମୋଦ କୁମାର ସ୍ୱାଇଁ ବୋଲି ଜଣାପଡ଼ିଛି। ସେପଟେ ଘଟଣାର ତଦନ୍ତ ସୁନାବେଡ଼ା ପୁଲିସ କରୁଥିବା ବେଳେ ତିନି ଜଣ ଯୁବକଙ୍କ ମୃତ୍ୟୁ ଖବର ଶୁଣି ସେମାନଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।