ଭୁବନେଶ୍ୱର,୧୯/୦୫: ରବିବାର ସନ୍ଧ୍ୟାରେ ମଧୁସୂଦନ ପାର୍କ  ସମ୍ମୁଖରେ ଜଣେ ରୋଡ୍‌ ରୋମିଓ ନିର୍ଘାତ ମାଡ଼ ଖାଇଛି । ବାଇକ୍‌ରୁ ଘୋଷାଡ଼ି  ନେଇ ଲୋକେ ନିସ୍ତୁକ ପିଟିଛନ୍ତି । ମାଡ଼ଖାଇ ଘାଇଲା ହୋଇଥିବା ରୋମିଓ ଜଣଙ୍କ ପୁଲିସ ପହଞ୍ଚିବା ପୂର୍ବରୁ ଲୋକଙ୍କ କବଳରୁ ଖସି ପଡ଼ିଉଠି ଦୌଡ଼ି ପଳାଇଛି ।  ଏହି ଘଟଣା ମଧୁସୂଦନ ପାର୍କ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 

ପ୍ରାପ୍ତ ଖବର ଅନୁଯାୟୀ,  ରବିବାର ଥିବାରୁ ରବିବାର ସନ୍ଧ୍ୟାରେ ମଧୁସୂଦନ ପାର୍କରେ ପ୍ରବଳ  ଭିଡ଼ ହୋଇଥିଲା । ଏପରିକି  ଗେଟ୍‌ ନିକଟରେ ଭିଡ଼ ମଧ୍ୟ  ଜମିଥିଲା । କିଛି ଯୁବତୀଙ୍କୁ ଦେଖି ୨  ରୋଡ୍‌ ରୋମିଓ ସେହିବାଟ ଦେଇ ବାରମ୍ବାର ଯିବାଆସିବା କରିବା ସହ  ଯୁବତୀମାନଙ୍କୁ କମେଣ୍ଟ୍‌ ମାରୁଥିଲେ । ବାଇକ୍‌କୁ ଭଁଭାଁ କରି ବାରମ୍ବାର ସେହିବାଟେ ଯିବାଆସିବା କରିବା ଓ  ଯୁବତୀମାନଙ୍କୁ କମେଣ୍ଟ୍‌ ମରାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ  ପାଇଥିଲା । ପୁଣି ଥରେ ସେମାନେ ସେହିବାଟ ଦେଇ ଯିବା ସମୟରେ କିଛି ଯୁବକ ବାଇକ୍‌କୁ ଅଟକାଇଥିଲେ । ହେଲେ ବାଇକ୍‌ ନ ଅଟକାଇବାରୁ ପଛରେ ବସିଥିବା ଯୁବକ ଜଣଙ୍କ ହାତ ଧରି ଭିଡ଼ି ଦେଇଥିଲେ । ଫଳରେ ଯୁବକ ଜଣକ ବାଇକ୍‌ରୁ  ଖସି ପଡ଼ିଥିଲା । ବାଇକ୍‌ ଚଳାଉଥିବା ରୋମିଓ ଜଣଙ୍କ ଦ୍ରୁତଗତିରେ ପଳାଇଥିଲା ।  ଖସି ପଡ଼ିଥିବା ରୋମିଓ ଉପରେ ଆରମ୍ଭ ହୋଇ ଯାଇଥିଲା ବିଧା, ଗୋଇଠା ଓ  ଚାପୁଡ଼ା ମାଡ଼ । ନିସ୍ତୁକ ମାଡ଼ ଖାଇ ଆଉ ଏଭଳି କରିବିନି ବୋଲି ଯୁବକ ଜଣଙ୍କ  ଲୋକଙ୍କୁ ନେହୁରା ହେଉଥାଏ । ତଥାପି ଚାଲିଥିଲା ମାଡ଼ । ଏହି ସମୟରେ  ଲୋକେ ପୁଲିସକୁ ଫୋନ୍‌ କରିବାରୁ ଭୟରେ ଯୁବକ ଜଣଙ୍କ ଲୋକଙ୍କ କବଳରୁ  ଖସି ଯାଇଥିଲା। ପଡ଼ି ଉଠି ଦୌଡ଼ିଥିଲା । କିଛି ଯୁବକ ପିଛା କରିଥିଲେ ମଧ୍ୟ  ଅନ୍ଧାର ସୁଯୋଗରେ ରୋମିଓ ଜଣଙ୍କ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା।