ନୂଆଦିଲ୍ଲୀ, ୨୯/୧୧: ଆସନ୍ତା ୩୦ ତାରିଖରୁ ଭାରତ ଓ  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ  ମଧ୍ୟରେ ଏକ ଦିବାରାତ୍ର ଅଭ୍ୟାସ  ମ୍ୟାଚ୍‌ ଆରମ୍ଭ ହେବ । ଏହାପୂର୍ବରୁ  ଭାରତୀୟ ଦଳ କାନବେରାରେ ପହଞ୍ଚି  ସାରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ  ଭାରତୀୟ ଦଳ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ  ଆଣ୍ଟୋନୀ ଆଲବାନସେଙ୍କୁ ଭେଟିଥିଲା ।  ପରେ ରୋହିତ ଅଷ୍ଟ୍ରେଲିଆ ସଂସଦରେ  ନିଜର ଅଭିଭାଷଣ ରଖିଥିଲେ । 

ସେ କହିଥିଲେ, ‘ଯଦି ଆମେ ପଛକୁ ଦେଖିବା ଭାରତ ଓ ଅଷ୍ଟ୍ରେଲିଆ  ମଧ୍ୟରେ କ୍ରୀଡ଼ା ଓ ବାଣିଜ୍ୟ କ୍ଷେତ୍ରରେ  ଦୀର୍ଘ ବର୍ଷ ଧରି ସୁସଂପର୍କ ରହି ଆସିଛି ।  ଆମେ ଏଠାକୁ ଆସି ଖେଳିବାକୁ ଭଲ  ପାଉ ଏବଂ ଏଠାକାର ବିଭିନ୍ନ ସଂସ୍କୃତିକୁ  ଉପଭୋଗ କରୁ । ସବୁବେଳେ  ଅଷ୍ଟ୍ରେଲିଆ ଆସି କ୍ରିକେଟ୍‌ ଖେଳିବା  ଆମ ପାଇଁ ଆହ୍ୱାନପୂର୍ଣ୍ଣ ରହିଥାଏ ।’ 

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ  ଟେଷ୍ଟରେ ଭାରତ ଚମତ୍କାର ପ୍ରଦର୍ଶନ  କରି ଅଷ୍ଟ୍ରେଲିଆ ମାଟିରେ ୨୯୫ ରନ୍‌ର  ବିଶାଳ ବିଜୟ ହାସଲ କରିଥିଲା ।  ଅଭ୍ୟାସ ମ୍ୟାଚ୍‌ ଶେଷ ହେବା ପରେ  ଡିସେମ୍ବର ୬ ତାରିଖରୁ ଆଡିଲେଡରେ  ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏଥର  ସିରିଜରେ ମୋଟ୍‌ ୫ଟି ମ୍ୟାଚ୍‌ ରହିଛି ।