ନୂଆଦିଲ୍ଲୀ,୩୦।୧୧: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ଏବଂ ଷ୍ଟାର ବ୍ୟାଟର ରୋହିତ ଶର୍ମାଙ୍କ ଆଉ ଏକ ଐତିହାସିକ ସଫଳତା । ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆରେ ଶାହିଦ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗି ଏକଦିବସୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି ହିଟମ୍ୟାନ୍। ରୋହିତ ଏବେ ଏକଦିବସୀୟ କ୍ରିକେଟର ହୋଇଛନ୍ତି ‘ସିକ୍ସର କିଙ୍ଗ’। ତାଙ୍କର ଏହି ସଫଳତା ଭାରତର ଇନିଂସକୁ ଆହୁରି ମଜବୁତ କରିଛି ଏବଂ ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକ ପୁଣି ଥରେ ତାଙ୍କର ଶକ୍ତିଶାଳୀ ଫର୍ମର ଝଲକ ଦେଖିବାକୁ ପାଇଛନ୍ତି।

​​​​​​​

ଆଫ୍ରିଦିଙ୍କ ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ହିଟମ୍ୟାନ୍ । ରୋହିତ ଏବେ ଓ୍ବାନଡେରେ ମୋଟ ୩୫୨ଟି ଛକା ମାରିଛନ୍ତି। ସେ ୨୭୭ ଟି ମ୍ୟାଚ୍ ଏବଂ ୨୬୯ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ, ଆଫ୍ରିଦି ୩୯୮ ଟି ମ୍ୟାଚ୍ ରେ ୩୫୧ ଟି ଛକା ମାରି ଦୀର୍ଘ ସମୟ ଧରି ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ରୋହିତ ପ୍ରାୟ ଦଶ ବର୍ଷ ଧରି ରହିଥିବା ଏହି ରେକର୍ଡକୁ ପଛରେ ପକାଇ ଦିନିକିଆରେ ସର୍ବାଧିକ ଛକା ମାରିବା ବ୍ୟାଟର ହୋଇଛନ୍ତି।

ଓ୍ବାନଡେ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟର

୩୫୨- ରୋହିତ ଶର୍ମା, ଭାରତ

୩୫୧-ଶାହଦି ଆଫ୍ରିଦି, ପାକିସ୍ତାନ

୩୩୧- କ୍ରିସ୍ ଗେଲ୍, ଓ୍ବେଷ୍ଟଇଣ୍ଡିଜ୍

୨୭୦-ସନଥ୍ ଜୟସୂର୍ଯ୍ୟା,ଶ୍ରୀଲଙ୍କା

୨୨୯-ଏମ୍ଏସ୍ ଧୋନୀ, ଭାରତ

ରୋହିତ ଏହି ମ୍ୟାଚ୍‌ରେ ୫ଟି ଚୌକା ଏବଂ ୩ଟି ଛକା ମାରି ୫୧ ବଲ୍‌ରେ ୫୭ ରନ୍ କରିଛନ୍ତି। ରୋହିତ ଏବଂ ବିରାଟ କୋହଲିଙ୍କ ଭିତରେ ଦ୍ବିତୀୟ ଓ୍ବିକେଟ୍ ପାଇଁ ୧୩୬ ରନ୍‌ର ଦମଦାର ପାର୍ଟନରସିପ୍ ଦେଖିବାକୁ ମିଳିଥିଲା। ରୋହିତଙ୍କୁ ମାର୍କୋ ଜନସନ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ରୋହିତ ଲଗାତାର ତୃତୀୟ ଓ୍ବାନଡେ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ରେ ୫୦ରୁ ଅଧିକ ରନ୍ କରିଛନ୍ତି। ୩୮ ବର୍ଷୀୟ ରୋହିତ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଆଉ ଏକ ଐତିହାସିକ ଉପଲବ୍ଧିର ଖୁବ୍ ନିକଟତର ହୋଇଛନ୍ତି। ‘ହିଟମ୍ୟାନ୍ ଦୁନିଆର ପ୍ରଥମ ଏଭଳି ବ୍ୟାଟର ହୋଇପାରନ୍ତି, ଯିଏକି ୬୫୦ ଇଣ୍ଟରନ୍ୟାସନାଲ ଛକା ପୂରଣ କରିପାରନ୍ତି। ବର୍ତ୍ତମାନ ତାଙ୍କ ନାଁରେ ୬୪୫ ଛକା ରହିଛି। ଏହି ରେକର୍ଡ ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ ତାଙ୍କୁ ମାତ୍ର ୫ଟି ଛକା ଆବଶ୍ୟକତା ରହିଛି। ସବୁଠାରୁ ଖାସ୍ କଥା ଏହା ଯେ, ଦୁନିଆର କୌଣସି ବି ବ୍ୟାଟର ଏପର୍ଯ୍ୟନ୍ତ ୬୦୦ ଛକା ମାରିବାରେ ସଫଳ ହୋଇପାରି ନାହାଁନ୍ତି। କ୍ରିସ୍ ଗେଲ୍ ଏପର୍ଯ୍ୟନ୍ତ ୫୫୩ ଛକା ମାରିବାରେ ସଫଳ ହୋଇଛନ୍ତି, ଯାହାକି ରୋହିତଙ୍କଠାରୁ ଖୁବ୍ କମ୍।