ନୂଆଦିଲ୍ଲୀ,୨୫/୧୧: ଆଇସିସି ଅଧ୍ୟକ୍ଷ ଜୟ ଶାହ ରୋହିତ ଶର୍ମାଙ୍କୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରିଛନ୍ତି। ରୋହିତ ଶର୍ମା ୨୦୨୪ ଟି-୨୦ ବିଶ୍ୱକପ୍ ଟାଇଟଲରେ ଭାରତରୁ ଅଧିନାୟକ ଥିଲେ ଏବଂ ଏହା ପରେ ସେ ଏହି ଫର୍ମାଟରୁ ଅବସର ନେଇଥିଲେ। ଜୟ ଶାହ କହିଛନ୍ତି ଯେ ଆମ୍ବାସାଡର ଭୂମିକା ପୂରଣ କରିବା ପାଇଁ ରୋହିତ ଶର୍ମାଙ୍କ ଠାରୁ ଭଲ ବ୍ୟକ୍ତି ଆଉ କେହି ହୋଇପାରିବେ ନାହିଁ। ବ୍ରାଣ୍ଡ ଆମ୍ବାସାଡର ଭାବରେ, ରୋହିତ ଶର୍ମା ବିଶ୍ୱ ସ୍ତରରେ ଟି-୨୦ ବିଶ୍ୱକପ୍ ପ୍ରଚାର କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ।

ରୋହିତ ଶର୍ମାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରି ଜୟ ଶାହ କହିଛନ୍ତି, "ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା T20 ବିଶ୍ୱକପ୍ 2026 ପାଇଁ ରୋହିତ ବ୍ରାଣ୍ଡ ଆମ୍ବାସାଡର ହେବେ ବୋଲି ଘୋଷଣା କରିବା ମୋ ପାଇଁ ଏକ ସମ୍ମାନର ବିଷୟ। ଏହି ଇଭେଣ୍ଟର 2024 T20 ବିଶ୍ୱକପ୍ ବିଜେତା ଅଧିନାୟକ ରୋହିତ ଶର୍ମାଙ୍କ ଠାରୁ ଭଲ ପ୍ରତିନିଧିତ୍ୱ ଆଉ କେହି କରିପାରିବେ ନାହିଁ, ଯିଏକି ଏପର୍ଯ୍ୟନ୍ତ ସମସ୍ତ ନଅଟି T20 ବିଶ୍ୱକପ୍ ଖେଳିଛନ୍ତି।"

ICC ଟି-୨୦ ବିଶ୍ୱକପ୍ ପାଇଁ ପୂର୍ଣ୍ଣାଙ୍ଗ କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରିଛି। ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଫେବୃଆରୀ ୭ ତାରିଖରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ଖେଳାଯିବ। ଭାରତୀୟ ଦଳ ଫେବୃଆରୀ ୭ ତାରିଖରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ୨୦୨୪ ଟି-୨୦ ବିଶ୍ୱକପ୍ କଥା ଯଦି ମନେ ପକାଇବା ତେବେ, ICC ଚାରି ଜଣ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରିଛି। ଯୁବରାଜ ସିଂହ, ଶାହିଦ ଆଫ୍ରିଦି, କ୍ରିସ୍ ଗେଲ୍ ଏବଂ କିମ୍ବଦନ୍ତୀ ଅଲିମ୍ପିଆନ୍ ଉସେନ୍ ବୋଲ୍ଟଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରାଯାଇଥିଲା।

ଯଦିଓ ରୋହିତ ଶର୍ମା ୨୦୨୬ ଟି-୨୦ ବିଶ୍ୱକପରେ ଖେଳିବେ ନାହିଁ, କିନ୍ତୁ ସେ ମ୍ୟାଚ୍ ସମୟରେ ବ୍ରାଣ୍ଡ ଆମ୍ବାସାଡର ଭାବରେ ପଡ଼ିଆରେ ଦେଖାଯିବେ। ୨୦୨୪ ମସିହାରେ, ରୋହିତ ଶର୍ମା ଟି-୨୦ ବିଶ୍ୱକପ୍ ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଥିଲେ। ତାଙ୍କ ପୂର୍ବରୁ ଏମ୍ ଏସ୍ ଧୋନି ୨୦୦୭ ମସିହାରେ ଏପରି କରିଥିଲେ।