ଭୁବନେଶ୍ୱର,୦୪।୦୨: ରାଜଧାନୀ ସାରା ଛାତ ଉପରେ ହୋର୍ଡିଂ ଝୁଲୁଛି । ଯୁଆଡ଼େ ଚାହିଁବ ବିଜ୍ଞାପନ ଭର୍ତ୍ତି । ବିଏମ୍ସି ପାଖକୁ କିନ୍ତୁ ରାଜସ୍ୱ ଆସୁନି । ବିଜ୍ଞାପନ ମାରୁଛନ୍ତି ହାତୀ ଭଳି, ଦେଖାଉଛନ୍ତି ପିମ୍ପୁଡ଼ି । ଏମିତି କୋଟି କୋଟି ଟଙ୍କା ବିଏମ୍ସି ତହବିଲ୍କୁ ଆସିବା ଆଗରୁ ହରିଲୁଟ ହୋଇଯାଉଛି । ବିଏମ୍ସି ପକ୍ଷରୁ ରୁଫ୍ ଟପ୍ ହୋର୍ଡିଂ ସଂଖ୍ୟା ଜାଣିବାକୁ ସର୍ଭେ କରାଯାଇଥିଲା । ଜିପିଏସ୍ ସର୍ଭେ ଅନୁସାରେ ହୋର୍ଡିଂର ଆକାର ଏବଂ ସଂଖ୍ୟା ରେର୍କଡ କରାଯାଇଥିଲା । କାଗଜପତ୍ରରେ ଦର୍ଶାଯାଇଥିବା ଆକାର ତୁଳନାରେ ଅଧିକାଂଶ ହୋର୍ଡିଂର ଆକାର ବଡ଼ ରହିଥିବା ବିଏମ୍ସି ଧରିଥିଲା । ଏହି ଗୁମର ଫିଟିବା ପରେ ହୋର୍ଡିଂ ଲଗାଇଥିବା ଏଜେନ୍ସିମାନେ ବିଭିନ୍ନ ଆଳ ଦେଖାଇ ସର୍ଭେ ରିପୋର୍ଟକୁ ଭୁଲ ଦର୍ଶାଇ ଖସିବାକୁ ଉଦ୍ୟମ କରିଥିଲେ ।

ବିଏମ୍ସି ପକ୍ଷରୁ ଆଲୋଚନା ପାଇଁ ବାରମ୍ବାର ସେମାନଙ୍କୁ ବୈଠକକୁ ଡକାଯାଇଥିଲେ ମଧ୍ୟ ସେମାନେ ଧରାଛୁଆଁ ଦେଇନଥିଲେ । ବରଂ ଏକାଧିକ ଏଜେନ୍ସି ବିଏମ୍ସି ନଜରରୁ ଖସିବାକୁ ବିଜ୍ଞାପନରୁ ନିଜର ନେମ୍ପ୍ଲେଟ ହଟାଇ ଦେଇଥିଲେ । ଏହି ଗଫଲତି ଧରାପଡ଼ିବା ପରେ ବିଏମ୍ସି ପକ୍ଷରୁ ୩୨ରୁ ଅଧିକ ସଂସ୍ଥାକୁ ପ୍ରାୟ ୩୫ କୋଟି ଟଙ୍କାର ଡିମାଣ୍ଡ ନୋଟିସ ଜାରି କରାଯାଇଥିଲା । ହେଲେ ଗୋଟିଏ ବି ସଂସ୍ଥା ବିଏମସିକୁ ଟଙ୍କାଟିଏ ବି ଦେଲେନାହିଁ । ଆଗକୁ ମାର୍ଚ୍ଚ ମାସ ଆସୁଛି । ବିଏମ୍ସି ଉପରେ ଏବେ ରାଜସ୍ୱ ବୋଝ ରହିଛି । ହେଲେ ଏହି ସବୁ ବିଜ୍ଞାପନ ହୋର୍ଡିଂ ବାବଦକୁ ଟଙ୍କା ଆଦାୟ କରାନଯାଇ ସେମାନଙ୍କୁ ଅନୁକମ୍ପା ଦେଖାଯାଉଥିବା ନେଇ ଅଭିଯୋଗ ହୋଇଛି । ଓଡ଼ିଶା ମ୍ୟୁନିସିପାଲଟି କର୍ପୋରେସନ ଆକ୍ଟ ୨୦୦୩ର ବିଜ୍ଞାପନ ନିୟମାବଳୀ ଅନୁସାରେ ବିଏମ୍ସି ଧାରା ୧୩୨ ଏବଂ ୧୩୩ରେ ଜରିମାନା ଆଦାୟ କରିପାରିବ । ଆବଶ୍ୟକ ହେଲେ ସଂପୃକ୍ତ ସଂସ୍ଥାର ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରିବ । ହେଲେ ବିଏମ୍ସି ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ କେବଳ କାଗଜ ବାଘ ସାଜିଛି ।

ଆହୁରି ପଢନ୍ତୁ-ବନ୍ଧାକୋବି ଗାଡିରେ ଶିଳାବତୀ ଚାଲାଣ, ରେଡ୍ ମାରି କୋଟିଏ ଟଙ୍କାର ଗଞ୍ଜେଇ ଜବତ

ବିଏମ୍ସିର ବିଜ୍ଞାପନ ଟେଣ୍ଡର ନିୟମ କହୁଛି, ଯେଉଁ ସଂସ୍ଥା ବିଏମ୍ସି ରାଜସ୍ୱ ବକେୟା ରଖିଛନ୍ତି ସେମାନଙ୍କୁ ଟେଣ୍ଡରରେ ଭାଗ ନେବାକୁ ଅନୁମତି ଦିଆଯିବନି । ହେଲେ ଏବେ ଅଚାନକ ବିଏମ୍ସି ଟେଣ୍ଡର ନିୟମରେ ପରିବର୍ତ୍ତନ କରିଛି । ଯେଉଁମାନେ ବିଏମ୍ସି ଡିମାଣ୍ଡ ନୋଟିସ୍ର ୫୦ ପ୍ରତିଶତ ଅର୍ଥ ପୈଠ କରିବେ, ସେମାନେ ଟେଣ୍ଡରରେ ଭାଗ ନେଇ ପାରିବେ । ବର୍ଷ ବର୍ଷ ଧରି ଟିକସ ଫାଙ୍କିଥିବା ସଂସ୍ଥା ଉପରେ ବିଏମ୍ସି ହଠାତ କାହିଁକି ଏପରି ଅନୁକମ୍ପା ଦେଖାଉଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଏମ୍ସିର ଡେପୁଟି କମିଶନର (ରାଜସ୍ୱ) ଅଜୟ କୁମାର ମହାନ୍ତି କହିଛନ୍ତି ଯେ ରାଜସ୍ୱ ଆଦାୟରେ କୌଣସି ଲୋକଙ୍କୁ ଛଡାଯିବନି । ଆମେ ସବୁ ସଂସ୍ଥାକୁ ଡିମାଣ୍ଡ ନୋଟିସ୍ ଦେବୁ । ନିର୍ଦ୍ଧାରିତ ସମୟ ଭିତରେ ଯଦି ଟଙ୍କା ଦାଖଲ ନକରନ୍ତି ତେବେ ସାମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଟେଣ୍ଡର ନିୟମବଳୀରେ ପରିବର୍ତ୍ତନ ସମ୍ପର୍କରେ ସେ କୌଣସି ମତ ରଖିନଥିଲେ ।