ନୂଆଦିଲ୍ଲୀ : ଆଇପିଏଲର ୧୬ତମ ମ୍ୟାଚ୍ ରାଜସ୍ଥାନ ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଗୌହାଟୀ ଖେଳାଯିବାକୁ ଥିବା ଏହି ମ୍ୟାଚରେ ବର୍ଷା ସାଜିଛି ବାଧକ । ୭ଟାରେ ଟସ୍ ପଡ଼ିବା ପାଇଁ ଥିବାବେଳେ ବର୍ଷା ବାଧକ ସାଜିଛି । ଶେଷ ଖବର ସୁଦ୍ଧା ବର୍ଷା କମିଥିବାବେଳେ କିଚି ସମୟ ମଧ୍ୟରେ ଟସ୍ ପଡ଼ିପାରେ ବୋଲି କୁହାଯାଉଛି । ମାତ୍ର କାଳବୈଶାଖୀ ପ୍ରଭାବରେ ଆଜି ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା । ଆଜିର ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଫ୍ୟାନ୍ସଙ୍କ ନଜର ରହିଛି । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଟାର୍ଗେଟ୍ ରହିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଇତି ମଧ୍ୟରେ ଶେଷ ହୋଇଥିବା ୧୫ଟି ମ୍ୟାଚ୍ ମଧ୍ୟରେ କେବଳ ବେଙ୍ଗାଲୁରୁ ଓ ରାଜସ୍ଥାନ ପୂର୍ଣ୍ଣ ଆଧିପତ୍ୟ ଜାହିର କରିଛନ୍ତି । ରାଜସ୍ଥାନ କ୍ରମାନ୍ୱୟରେ ପ୍ରଥମ ୩ଟି ଯାକ ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ବେଙ୍ଗାଲୁରୁ ୨ଟି ମ୍ୟାଚ୍ ଖେଳି ଅପରାଜେୟ ରହିବା ସହ ଦ୍ୱିତୀୟ ସ୍ଥାନ ଦଖଲ କରିଛି । ଆଜି ବେଙ୍ଗାଲୁରୁ ଜିତିଲେ ଶୀର୍ଷ ସ୍ଥାନ ଦଖଲ କରି ପାରିବ । ମୁମ୍ବାଇ ବିପକ୍ଷରେ ବିଜୟ ରାଜସ୍ଥାନ ଦଳର ଶକ୍ତି ପ୍ରମାଣିତ କରିଥିଲା । ବର୍ଷା ଯୋଗୁଁ ବାଧାପ୍ରାପ୍ତ ଉକ୍ତ ମ୍ୟାଚକୁ ୧୧ଓଭର ବିଶିଷ୍ଟ ରଖା ଯାଇଥିଲା ଓ ରାଜସ୍ଥାନ ୧୫୦ ରନ ସଂଗ୍ରହ କରି ନେଇଥିଲା ।

ମୁମ୍ବାଇ ଦଳ ବିଶାଳ ବିଜୟ ଲକ୍ଷ୍ୟର ପିଛା କରିବାରେ ବିଫଳ ହୋଇଥିଲା । ଯଶସ୍ୱୀ ଜୈସ୍ୱାଲ୍ ମାତ୍ର ୩୨ଟି ବଲ୍ରୁ ଅପରାଜିତ ୭୭ (୧୦ଚୌକା, ୪ଛକା) ରନ କରିଥିଲେ । ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ଟି ବଲ୍ରୁ ୧ ଚୌକା ଓ ୫ ଛକା ବଳରେ ୩୯ ରନ କରିଥିଲେ । ସେ ଯଶପ୍ରୀତ ବୁମରାଙ୍କୁ ପ୍ରଥମ କରି ସାମ୍ନା କରିଥିଲେ ଓ ପ୍ରଥମ ବଲ୍ରେ ଛକା ମାରି କ୍ରିକେଟ୍ ପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଥିଲେ ।

​​​​​​​ଏହାସହ ପଢ଼ନ୍ତୁ : ଚେନ୍ନାଇର ସଙ୍କଟମୋଚକ ହେବେ କି ମାହି ?