ପାଟନା: ବିହାରର ଭୋଜପୁରରେ କଂଗ୍ରେସ ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏହି ସମୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିବା ବେଳେ ଅନେକ କର୍ମୀ ଗୁରୁତର ହୋଇଛନ୍ତି । କିଛି ଲୋକଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ଏହି ସଂଘର୍ଷର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କଂଗ୍ରେସ ନେତାମାନେ ଲଢ଼ୁଥିବାର ଦେଖାଯାଉଛି । ଭୋଜପୁର ଜିଲ୍ଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ଆୟୋଜିତ ହୋଇଥିଲା । କିଛି ସମୟ ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା । କର୍ମୀଙ୍କ ଦୁଇ ଗୋଷ୍ଠୀ ପରଷ୍ପର ମୁହାଁମୁହିଁ ହୋଇଥିଲେ।
ଏହା ପରେ କଥା ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା । ଫଳରେ ପରିବେଶ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ି ଥିଲା। ସୂଚନା ଅନୁଯାୟୀ, ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ଏବଂ ବିହାର ପ୍ରଦେଶ କଂଗ୍ରେସ କମିଟି ସହ-ପ୍ରଭାରୀ ଓ ଛତିଶଗଡ଼ର ଭିଲାଇ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଦେବେନ୍ଦ୍ର ଯାଦବ ଭୋଜପୁର ଆସିଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ କଂଗ୍ରେସ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦେବେନ୍ଦ୍ର ଯାଦବ ଯେତେବେଳେ କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଲେ, ସେଠାରେ ଉପସ୍ଥିତ କର୍ମୀମାନେ ତାଙ୍କୁ ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ। ଏହି ସମୟରେ କୌଣସି ପ୍ରସଙ୍ଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ।
ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । କଂଗ୍ରେସ କର୍ମୀ ପରଷ୍ପରକୁ ଧକ୍କା ମାରି ତଳେ ପକାଇ ଦେଇଥିଲେ । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ କଂଗ୍ରେସ କର୍ମୀମାନେ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହା ପରେ କାର୍ଯ୍ୟକ୍ରମକୁ ଆଗକୁ ବଢ଼ିଥିଲା । ବିଧାୟକ ଦେବେନ୍ଦ୍ର ଯାଦବଙ୍କୁ ମାଲ୍ୟାର୍ପଣ କରି ସ୍ୱାଗତ କରାଯାଇଥିଲା। ତେବେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ରାଜନୈତିକ ମହଲରେ ଚହଳ ସୃଷ୍ଟି କରିଛି ।