ପୁରୀ, ୨୯/୦୫: ଆସନ୍ତା  ଏକାଦଶୀରେ ମହାପ୍ରଭୁଙ୍କ ବାହାଘର । ମଝିରେ ରହିଲା ଆଉ ମାତ୍ର ଏକ  ସପ୍ତାହ । ଜୁନ୍‌ ୬ ତାରିଖ ଶୁକ୍ରବାର ଠାକୁରେ ରୁକ୍ମିଣୀଙ୍କୁ ବିବାହ କରିବେ । ଏଣୁ ବାହାଘର ପୂର୍ବରୁ ଠାକୁରଙ୍କ ଶ୍ରୀମୁଖ ସିଂହାର ବିଧି ସମ୍ପନ୍ନ ହୋଇଛି ।  ବୁଧବାର ରାତ୍ରରେ ଶ୍ରୀବିଗ୍ରହଙ୍କ  ବନକଲାଗି(ଶ୍ରୀମୁଖ ସିଂହାର) କରିଛନ୍ତି  ଦତ୍ତମହାପାତ୍ର ସେବକ । ବିବାହ ତଥା ଅଣସର ଆରମ୍ଭ ପୂର୍ବରୁ ଏହା ହେଉଛି  ଠାକୁରଙ୍କ ଶେଷ ବନକଲାଗି ।  

ବୁଧବାର ସନ୍ଧ୍ୟା ୭ଟାରେ ମହାପ୍ରଭୁଙ୍କ  ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ  ହୋଇଥିଲା । ପରେ ମଇଲମ, ତଡ଼ପ  ଲାଗି ଓ ପହୁଡ଼ ଆଳତି ସମ୍ପନ୍ନ ହୋଇଥିଲା  ୭ଟା୪୫ମିନିଟ୍‌ରେ । ଦତ୍ତମହାପାତ୍ରମାନେ  ବନକଲାଗି କରିବାକୁ ରାତି ୮ଟାରେ  ଗର୍ଭଗୃହକୁ ପ୍ରବେଶ କରିଥିଲେ । ଦତ୍ତମହାପାତ୍ରେ ବାହାରକୁ ଆସିବା ପରେ ମଇଲମ, ସିଂହାସନ ଧୁଆ ଆଦି  ନୀତି ସହ ମହାପ୍ରଭୁଙ୍କ ମହାସ୍ନାନ ବଢି  ଠାକୁରଙ୍କ ଦର୍ଶନ ଆରମ୍ଭ ହୋଇଥିଲା ।  ବନକଲାଗି ପରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର  ଶ୍ରୀବୃଦ୍ଧି ଘଟିଥାଏ । ବରିଷ୍ଠ ଦତ୍ତମହାପାତ୍ର  ସେବକ ମଦନମୋହନ ଦତ୍ତମହାପାତ୍ର କୁହନ୍ତି ଆଗକୁ ଠାକୁରଙ୍କ ବିବାହ  ମହୋତ୍ସବ ରହିଛି । ଶ୍ରୀମନ୍ଦିରରେ  ମହାପ୍ରଭୁ ଓ ରୁକ୍ମିଣୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ମା'ଲକ୍ଷ୍ମୀ ଠାକୁରାଣୀ  ସାଜିବେ ଦେବୀ ରୁକ୍ମିଣୀ । ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଏଣୁ ବିବାହ ପୂର୍ବରୁ ଠାକୁରଙ୍କ ବନକଲାଗି କରାଯିବାର ବିଧି ରହିଛି ।