ଭୁବନେଶ୍ୱର ୨୩/୦୩: ଅଶୋକାଷ୍ଟମୀ ଯାତ୍ରା ସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି - ମହୋତ୍ସବଂ ସମାଯୁକ୍ତଂ ଗୀତବାଦ୍ୟାଦି ମଙ୍ଗଳମ୍/ ଯଃ କୁଯ୍ୟାତ୍ପର୍ବକାଳେ ଚ ମହାପୂଜା ପ୍ରବର୍ଦ୍ଧନମ୍ । । / ବିଭୋର୍ବେ ରଥାଯାତ୍ରାୟାଂ ନଗରାନ୍ତା ମନୁବ୍ରତେ / ସର୍ବ ଦାନସ୍ୟ ପୁଣ୍ୟାନି ସର୍ବଯଜ୍ଞ ଫଳାନି ଚ । ।
ଅତଏବ ଅଶୋକାଷ୍ଟମୀ ଯାତ୍ରାରେ ପ୍ରଭୁଙ୍କ ଦିବ୍ୟ ରଥ ଯାତ୍ରାର ଆତ୍ମା । ସ୍ଥୂଳ ରୂପରେ ରଥାଋଢ଼ ଚଳନ୍ତି ପ୍ରତିମାମାନେ ସୁଦୃଶ୍ୟ ହେଉନଥିଲେ ହେଁ ସୂକ୍ଷ୍ମାତିସୂକ୍ଷ୍ମ ରୂପରେ ଏହି ରଥର ତତ୍ତ୍ୱରେ ଦେବ ଦର୍ଶନ ମିଳିଥାଏ । ସୁତରାଂ ରଥର ପରିଚୟଟି ହିଁ ଅଶୋକାଷ୍ଟମୀ ଯାତ୍ରାର ପ୍ରକୃତ ପରିଚୟ ।
ରଥ ସାଧାରଣତଃ ଏକ ଯୁଦ୍ଧକାଳୀନ ଯାନ । ତେଣୁ ପୁରାଣ ପୃଷ୍ଠାରେ ରୁକୁଣା ରଥର ପ୍ରାଚୀନତମ ନାମ ‘ଦେବଦଳନ’ । ପୁରୀ ଶ୍ରୀକ୍ଷେତ୍ରର ମା’ସୁଭଦ୍ରାଙ୍କ ‘ଦେବଦଳନ ରଥ‘ ସହ କୌଣସି ସମ୍ପର୍କ ନଥିଲେ ହେଁ ଅନେକେ ଏହାକୁ ନେଇ ଭ୍ରମରେ ପଡ଼ିଥାନ୍ତି । ତ୍ରିପୁରାସୁରକୁ ସଂହାର କଲାବେଳେ ଭଗବାନ୍ ଶିବ ଯେଉଁ ରଥଟି ବ୍ୟବହାର କରିଥିଲେ ତାହା ଦେବତାମାନଙ୍କ ତେଜରୁ ଗଠିତ ।
ଭଗବାନ୍ ଦେବତାମାନଙ୍କ ରାଜସିକ ଶକ୍ତିକୁ ଦମନ କରି ବା ହରଣ କରି ଏହି ରଥ ନିର୍ମାଣ କରିଥିବାରୁ ତାଙ୍କ ରଥର ନାମ ଦେବଦଳନ । ପୁନଶ୍ଚ ମହାଦେବଙ୍କ ରଥର ବର୍ଣ୍ଣ ସ୍ୱର୍ଣ୍ଣିମ, ଯାହାର ସଂସ୍କୃତ ନାମ ‘ରୁକ୍ମ’ । ଏହି ରୁକ୍ମରୁ ରୁକୁଣା ବୋଲି ରଥ ପରିଚିତ ହୋଇଥିବାର ଶାସ୍ତ୍ରୀୟ ପ୍ରମାଣ ମିଳେ । ଏଠାରେ ଉଲ୍ଳେଖନୀୟ କି, ଲିଙ୍ଗରାଜଙ୍କ 'ରୁକୁଣା ରଥ' ସହ ଶ୍ରୀକୃଷ୍ଣଙ୍କ ପାଟରାଣୀ ରୁକ୍ମିଣୀଙ୍କର କୌଣସି ସମ୍ପର୍କ ନାହିଁ ।
ପ୍ରଭୁଙ୍କ ରୁକୁଣା ରଥ ‘ଅଣଲେଉଟା ରଥ’ । ଏହି ନାମ ରଥର ସ୍ୱାତନ୍ତ୍ର୍ୟକୁ ବହନ କରେ । ବାହୁଡ଼ା ଯାତ୍ରା ସମୟରେ ରୁକୁଣାରଥକୁ ‘ଉତ୍ତର ମୋଡ଼’ କରାଯାଏ ନାହିଁ । ପରନ୍ତୁ ରଥର ସିଂହାସନର ସ୍ଥାନ ବା ଦିଗ ପରିବର୍ତ୍ତନ କରାଯାଇଥାଏ ।
ଶ୍ରୀପଞ୍ଚମୀ ଦିନ ବନଯାଗ ହୋଇ ରଥ ନିର୍ମାଣ ଲାଗି କାଠ ସଂଗ୍ରହ ସହ ‘ରୁକୁଣା ରଥ‘ ନିର୍ମାଣର ଆଦ୍ୟପର୍ବ ଆରମ୍ଭ ହୋଇଥାଏ । ମହାଖଳାରେ ଦୋଳପୂର୍ଣ୍ଣମୀରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ । ପ୍ରାୟ ୬୦-୭୦ ମହାରଣା ସେବାୟତ ରଥ ନିର୍ମାଣ ସମ୍ପନ୍ନ କରିବା ପରେ ଚୈତ୍ର ଶୁକ୍ଲ ସପ୍ତମୀରେ ରଥ ପ୍ରତିଷ୍ଠା ହୋଇ ଅଷ୍ଟମୀରେ ପବିତ୍ର ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଆକାର-ପ୍ରକାର: ରୁକୁଣା ରଥର ବର୍ତ୍ତମାନର ଉଚ୍ଚତା ୪୫ଫୁଟ (କଳସୀ ଓ ବାନା ସହିତ) । ରଥରେ ଥାଏ ଚାରୋଟି ଚକ, ଯାହା ସୂର୍ଯ୍ୟ-ଚନ୍ଦ୍ରଙ୍କର ପ୍ରତୀକ । ରଥର ଘୋଡ଼କନା ତ୍ରିରଙ୍ଗ ବିଶିଷ୍ଟ - ପୀତ, ଲୋହିତ ଏବଂ ନୀଳ । ରୁକୁଣା ରଥରେ ଦୁଇଟି ଲୋହିତ ଏବଂ ଦୁଇଟି ଶ୍ୱେତ ରଙ୍ଗର ମୋଟ ୪ଟି ଘୋଡ଼ା ଯୋଚା ଯାଇଥାନ୍ତି । ରଥର ସାରଥି ସ୍ୱୟଂ ବ୍ରହ୍ମା ହୋଇଥିବାରୁ ୪ ଅଶ୍ୱ ଚାରିବେଦର ପ୍ରତୀକ ବୋଲି ଅନେକେ ମତ ରଖିଥାନ୍ତି । ରଥର ପାଶ୍ୱର୍ଦେବତାମାନେ ହେଲେ - ବାୟୁ,କାର୍ତ୍ତିକେୟ,ନୈରତ, ଇନ୍ଦ୍ର,ସୂର୍ଯ୍ୟ,କୁବେର,ଶ୍ରୀଗଣେଶ, ଅଗ୍ନି, ଇଶାନ, ପାର୍ବତୀ ଏବଂ ବରୁଣ । ରୁକୁଣା ରଥର ଧ୍ୱଜାର ନାମ ଚନ୍ଦ୍ରମୌଳି ଏବଂ ଏହା ଅର୍ଦ୍ଧଚନ୍ଦ୍ରର ପ୍ରତୀକ । ରଥର ବାହନ ହେଲେ ନନ୍ଦି ଏବଂ ରଜ୍ଜୁର ନାମ ନାଗଫାଶ । ଶିବ ହେଉଛନ୍ତି ପ୍ରକୃତିର ପୁରୁଷ । ଏଣୁ ତାଙ୍କ ରଥର ଅଙ୍ଗମାନେ ପ୍ରକୃତି ସହ ଜଡ଼ିତ । ରଥର ଶରୀର ସ୍ୱୟଂ ପୃଥିବୀ, ସିଂହାସନ-ମନ୍ଦର ପର୍ବତ, ଅବୟବ-ସୁବର୍ଣ୍ଣ ମେରୁ ଏବଂ ଅଗ୍ରଭାଗ ହେଲେ ଅନ୍ତରୀକ୍ଷ ।
ଏହି ଦିବ୍ୟ ରଥରେ ଯେତେବେଳେ ପ୍ରଭୁ ଚନ୍ଦ୍ରଶେଖର, ମା’ଗୋପାଳୁଣୀ ବା ଦୁର୍ଗା ଏବଂ ଶ୍ରୀଦୋଳଗୋବିନ୍ଦ ବିରାଜମାନ କରି ଯାତ୍ରା କରନ୍ତି ସମସ୍ତ ପ୍ରାଣୀଙ୍କର ଦୁଃଖ,କଷ୍ଟ ଅଚିରେ ହରଣ କରିବା ସହ ସମସ୍ତଙ୍କୁ ପାପରୁ ମୁକ୍ତି ପ୍ରଦାନ କରନ୍ତି ।
ଏଣୁ ଶାସ୍ତ୍ର କହନ୍ତି - ଭୁବନେଶ ଉବାଚେଦଂ ରାଘବଂ କରୁଣାନିଧିଂ / ଚୈତ୍ରାଷ୍ଟମ୍ୟାଂ ଶୁଭେ ଲଗ୍ନେ ସର୍ବକାମ ଫଳପ୍ରଦେ ।/ ଯାସ୍ୟେ ଗିରିଜୟା ସାର୍ଦ୍ଧଂ ତବ ଲିଙ୍ଗସ୍ୟ ସନ୍ନିଧିମ୍ / ରଥସ୍ଥଂ ତତ୍ର ମାଂ ଦୃଷ୍ଟ୍ୱା ବ୍ରହ୍ମହତ୍ୟାଦି ପାତଃକୈ । ।