ନୂଆଦିଲ୍ଲୀ, ୨୦/୦୫: ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ସଙ୍କଟ ସ୍ଥିତିରେ ରହିଛି । ପାତାଳମୁହାଁ ହୋଇଛି ଟଙ୍କା । ଆମଦାନି ବିଲ୍ ବଢ଼ାଉଛି ଚିନ୍ତା । ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବନିମ୍ନ ସ୍ତର ୯୬.୫୩ ସ୍ତରରେ ରହିଛି । ଏହା ପୂର୍ବରୁ ସୋମବାର ଟଙ୍କା ୯୬.୨୯ ସ୍ତରରେ ବନ୍ଦ ହୋଇଥିଲା । ଗତ କିଛି ଦିନ ହେବ ଟଙ୍କା ମୂଲ୍ୟ ଲଗାତାର ହ୍ରାସ ହେଉଛି । ୨୦୨୬ ଆରମ୍ଭରୁ ଟଙ୍କା ଉପରେ ଚାପ ରହିଛି । ଡିସେମ୍ବର ୨୦୨୫ରେ ପ୍ରଥମ ଥର ଲାଗି ଟଙ୍କା ୯୦ ସ୍ତରକୁ ଖସିଥିଲା । ଏଭଳି ସ୍ଥିତିରେ ମୁଦ୍ରାସ୍ଫୀତି ଚାପ ବଢ଼ିବା ଆଶଙ୍କା ରହିଛି ।
ବିଶେଷଜ୍ଞ କହିଛନ୍ତି ଯେ, ଯୁଦ୍ଧ ବନ୍ଦ ନ ହେବା ଏବଂ ଅଶୋଧିତ ତେଲ ଦର ଏଭଳି ବଢ଼ି ଚାଲିଲେ ଟଙ୍କା ୧୦୦ ସ୍ତର ଛୁଇପାରେ । ଟଙ୍କା ମୂଲ୍ୟ ଦୁର୍ବଳ ହେବା ପଛରେ ଆମେରିକା-ଇରାନ ଯୁଦ୍ଧ ସହ ଅନ୍ୟ କିଛି କାରଣ ଦାୟୀ ରହିଛି । ଆମେରିକା-ଇରାନ ଯୁଦ୍ଧ ଯୋଗୁ ପଶ୍ଚିମ ଏସିଆରେ ସଙ୍କଟ ସୃଷ୍ଟି ହୋଇଛି । ଏହି ଯୁଦ୍ଧକୁ ଟଙ୍କା ମୂଲ୍ୟ ହ୍ରାସର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଯୁଦ୍ଧ ଜନୀତ ଅନିଶ୍ଚିତତା ଯୋଗୁ ବିଶ୍ୱ ବଜାରରେ ଡର ସ୍ଥିତି ରହିଛି । ଏଥିଯୋଗୁ ନିବେଶକମାନେ ଅଭିବୃଦ୍ଧିଶୀଳ ବଜାର ଗୁଡିକରୁ ନିବେଶ ଅର୍ଥ ପ୍ରତ୍ୟାହାର କରୁଛନ୍ତି ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବର୍ତ୍ତମାନ ବ୍ୟାରେଲ ପିଛା ୧୧୦ ଡଲାର ନିକଟତର ହୋଇଛି । ଭାରତ ଏହାର ଆବଶ୍ୟକତାର ୮୫% ତେଲ ଆମଦାନି ଜରିଆରେ ପୂରଣ କରୁଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମହଙ୍ଗା ହେବା ଯୋଗୁ ଭାରତ ଉପରେ ଆମଦାନି ବିଲ୍ ଜନୀତ ଚାପ ବଢ଼ିଛି । ଅନ୍ୟପଟେ ଡଲାର ଚାହିଦା ମଧ୍ୟ ଉପର ମୁହାଁ ହୋଇଛି । ଉପସାଗରୀୟ ଦେଶ ଗୁଡିକରୁ ତେଲ ଯୋଗାଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଷ୍ଟ୍ରେଟ ଅଫ୍ ହୋର୍ମୁଜ ଉପରେ ଇରାନ କଟକଣା ଲଗାଇବା ପରେ ତେଲ ଯୋଗାଣ ଠପ୍ ହୋଇଯାଇଛି । ବିଶ୍ୱର ୨୦%ରୁ ତେଲ ଏବଂ ଗ୍ୟାସ ଏହି ରାସ୍ତା ଦେଇ ଆସିଥାଏ ।
ବିଶ୍ୱ ବଜାରର ଅନିଶ୍ଚିତତା ଦେଖି ବିଦେଶୀ ପୋର୍ଟଫୋଲିଓ ନିବେଶକ ମାନେ ଭାରତୀୟ ବଜାରରୁ ଲଗାତାର ନିବେଶ ଅର୍ଥ ପ୍ରତ୍ୟାହାର କରୁଛନ୍ତି । ଫଳରେ ଡଲାର ଚାହିଦା ବୃଦ୍ଧି ହେବା ସହ ଟଙ୍କାକୁ ଏହା ଦୁର୍ବଳ କରୁଛି । ସୁରକ୍ଷିତ ନିବେଶ ଭାବେ ଆମେରିକା ଡଲାରର ଚାହିଦା ଉପର ମୁହାଁ । ମଜବୁତ ହୋଇଛି ଡଲାର ଇଣ୍ଡେକ୍ସ । ସେହିଭଳି ଆମେରିକାର ବଣ୍ଡ ଜନୀତ ଲାଭରେ ଉନ୍ନତି ଆସିଥିବାରୁ ନିବେଶକ ଡଲାରରେ ନିବେଶ କରିବାକୁ ଆଗଭର ହେଉଛନ୍ତି ।
ଅଧିକ ପଢ଼ନ୍ତୁ :- BRICS Summit 2026: ୭ ବର୍ଷ ପରେ ଭାରତ ମାଟିରେ ପାଦ ଥାପିବେ ଜିନପିଙ୍ଗ୍ ! ଦିଲ୍ଲୀ ବ୍ରିକ୍ସ ସମ୍ମିଳନୀରେ ମୋଦୀ-ପୁଟିନ-ଜିନପିଙ୍ଗଙ୍କ ମହାମିଳନ
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦଶନ୍ଧିର ସବୁଠୁ ବଡ ଶକ୍ତି ସଙ୍କଟ ବୋଲି କୁହାଯାଉଛି । ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡିଛି । ଦେଶର ଆମଦାନି ବିଲ୍ ବଢ଼ିଛି । ଏଲ୍ପିଜି, ପ୍ଲାଷ୍ଟିକଠାରୁ ଆରମ୍ଭ କରି ଅନ୍ୟ ପେଟ୍ରୋକେମିକାଲ ଉତ୍ପାଦର ଯୋଗାଣ ପ୍ରଭାବିତ ହୋଇଛି । ପେଟ୍ରୋଲ-ଡିଜେଲ ଏବଂ ଆମଦାନି ସାମଗ୍ରୀ ଦର ବଢ଼ିଛି । ଏହା ଖୁଚୁରା ମୁଦ୍ରାସ୍ଫୀତିକୁ ବଢ଼ାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଦେଶ ଭ୍ରମଣ ଏବଂ ଶିକ୍ଷା ଗ୍ରହଣ ଲାଗି ଅଧିକ ଦେୟ ପ୍ରଦାନ କରିବାକୁ ପଡ଼ୁଛି । ମୋବାଇଲ, ଲ୍ୟାପଟପ୍ ଏବଂ ଆମଦାନି ହେଉଥିବା ସାମଗ୍ରୀ ଦର ଆହୁରି ବଢ଼ିବା ଆଶଙ୍କା ରହିଛି । ଅନ୍ୟପଟେ ଦେଶକୁ ଡଲାର ପଠାଇଲେ ଅଧିକ ଟଙ୍କା ମିଳିବ । ମେଡିକାଲ ଟୁରିଜିମ ଏବଂ ଭାରତ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଭ୍ରମଣ ଶସ୍ତା ହେବ ।