କିଏଭ,୨୬/୧୨: ବୁଧବାର ବିଶ୍ୱବାସୀ ଖ୍ରୀଷ୍ଟମାସ ପାଳନରେ ବ୍ୟସ୍ତ ଥିବା ବେଳେ ରୁଷ୍‌ ଦିନତମାମ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛି । ଏହା ଦିନକରେ ୭୮ଟି ମିସାଇଲ ଓ ୧୦୬ଟି ଡ୍ରୋନ୍‌ ମାଡ଼  କରିଛି । ଏଥିରେ ୨୧ ଜଣ ଆହତ ହୋଇଥିବା ବେଳେ  ଜଣକ ମୃତ୍ୟୁ ଘଟିଛି । ୟୁକ୍ରେନୀୟ ଗଣମାଧ୍ୟମ ମୁତାବକ,  ଖାର୍‌କିଭ୍‌ ସହର ଉପରେ ସବୁଠୁ ବଡ଼ ଆକ୍ରମଣ ହୋଇଛି ।  ଏହାବ୍ୟତୀତ ନିପ୍ରୋ, କ୍ରେମେନଚୁକ, କ୍ରିଭି ରିହ ଓ  ଇଭାନୋ-ଫ୍ରାଙ୍କିଭସ୍କ ଉପରେ ବି ହମ୍‌ଲା ହୋଇଥିଲା ।  ଏଠାରେ ଶକ୍ତି ଭିତ୍ତିଭୂମି ସମେତ ଆବାସିକ ଅଞ୍ଚଳ ଉପରେ  ଟାର୍ଗେଟ୍‌ କରାଯାଇଥିଲା । 

ସ୍ଥାନୀୟ ଗଣମାଧ୍ୟମ ମୁତାବକ,  ୟୁକ୍ରେନ୍‌ ଉପରେ ରୁଷ୍‌ ବାଲିଷ୍ଟିକ୍‌ ମିସାଇଲ ଆକ୍ରମଣ ବି  କରିଛି । ବ୍ଲାକ୍‌ ସି’ରୁ ଏହି ମିସାଇଲ ଛଡ଼ାଯାଇଥିଲା । ୟୁକ୍ରେନ୍‌  ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହାକୁ ଅମାନବୀୟ  କହିଛନ୍ତି । ସେ କହିଛନ୍ତି, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌  ମଣିଷ ନୁହନ୍ତି । ସେ ଜାଣିଶୁଣି ଆକ୍ରମଣ ଲାଗି ଖ୍ରୀଷ୍ଟମାସ  ଦିନକୁ ହିଁ ବାଛିଛନ୍ତି । ଜେଲେନସ୍କିଙ୍କ ସହର କ୍ରିଭି ରିହଠାରେ  ଆକ୍ରମଣ ହୋଇଛି । ଏକ ଆପାର୍ଟମେଣ୍ଟ ଉପରେ ବାଲିଷ୍ଟିକ୍‌  ମିସାଇଲ ମାଡ଼ ହୋଇଛି । ଏଥିରେ ଜଣେ ବ୍ୟକ୍ତି ପ୍ରାଣ  ହରାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।